Unknown

 

 

 

 

 

 

 

 

 

 

 

ମେଘ ଢାଙ୍କିଛି

ଶ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକ

 

ମେଘ ଢାଙ୍କିଛି

 

ଲେଖକ

 

ଶ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକ

 

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ

 

[ଲେଖକଙ୍କ କେନ୍ଦ୍ର ଏକାଡେମୀରୁ ପୁରଷ୍କାର ପ୍ରାପ୍ତ ହିନ୍ଦୀ ଉପନ୍ୟାସ ‘ମେଘାକ୍ରାନ୍ତ’ର ଓଡ଼ିଆ ଅନୁବାଦ ।]

Image

 

ମୁଖବନ୍ଧ

 

‘ମେଘ ଢାଙ୍କିଚି’ ମୁଁ ପ୍ରଥମେ ହିନ୍ଦୀରେ ଲେଖିଲି । ତା’ ନାଁ ଥିଲା ‘ମେଘାକ୍ରାନ୍ତ’ । ଏଥିରେ ଅଣହିନ୍ଦୀ ଅଞ୍ଚଳର ହିନ୍ଦୀ ଲେଖକ ହିସାବରେ କେନ୍ଦ୍ରରୁ ପୁରସ୍କାର ପାଇଥିଲି । ହିନ୍ଦୀ ବହିର ଭୂମିକା ଲେଖିଥିଲେ, ଶ୍ରୀ ଶାନ୍ତିପ୍ରିୟ ଦ୍ୱିବେଦୀ–ବର୍ତ୍ତାମାନ ସେ ସ୍ୱର୍ଗୀୟ...ସେ ଲେଖିଲେ–ଏହା ଗୋଟିଏ ଛୋଟ ଉପନ୍ୟାସ ବା କାହାଣୀ । ଲେଖକ ଏଥିରେ ସହୃଦୟତା ପୂର୍ବକ ରାଷ୍ଟ୍ରୀୟ ଭାବନାର ଉନ୍ମେଷ, ଆଉ ଦେଶର ଯାହା ବର୍ତ୍ତମାନ ସ୍ଥିତି ତାହାର ଏକ ଯଥାର୍ଥ ଚିତ୍ର ଦେଇଛନ୍ତି । ଏଥିରେ ଥିବା କଥୋପକଥନ ନିତିଦିନର କଥା ପରି ଅତି ସ୍ୱାଭାବିକ ।

 

ମୁଁ ହିନ୍ଦୀ ବହିଟିକୁ ଶ୍ରୀ ନନ୍ଦା, ସେତେବେଳେ ଗୃହମନ୍ତ୍ରୀଙ୍କ ନାମରେ ଉତ୍ସର୍ଗ କରିଥିଲି । କାହିଁକି ନା, ତାଙ୍କ ଭିତରେ ମୁଁ ମନୁଷ୍ୟଠୁ ଯାହା ଦେଶ ଦଶ ଚାହାନ୍ତି ସେଇ ଗୁଣ ଲକ୍ଷ୍ୟ କରିଥିଲି ।

 

ମନହେଲା ଏହାକୁ ଓଡ଼ିଆ କରିବି । କାଲି । ମୂଳ ଲେଖାକୁ ଟିକିଏ ସୁନ୍ଦର କରିବି ବୋଲି, ଟିକିଏ ବଡ଼ କରିବି ବୋଲି ଟିକିଏ ଫେଣେଇ ଦେଲି । ପଢ଼ିଲାବେଳେ ଟିକିଏ ଦୃଷ୍ଟିଦେବେ...କାଇଁକି ନା ୟା ଭିତରେ ଛୋଟ ଛୋଟ ଭୁଲ ରହିଯାଇଚି । ଯେମିତି ପୃ ୧୧ରେ ନା–ବା ହୋଇଯାଇଛି–ସେମିତି ୪୨ରେ ତାର–ତର, ୪୬ରେ ପଢ଼ା–ପଢ଼, ୪୮ରେ ଖୋଜୁଚି–ଖାଜୁଚି, ୬୫ରେ ଭଗବାନଙ୍କ ଥାନରେ ଭଗବାନଙ୍କୁ ହୋଇ ଯାଇଛି । ପୃଷ୍ଟା ୧୯ରେ ଗାଡ଼୍‌ ଥାନରେ ଗାଡ଼ି ହୋଇଯାଇ ଅର୍ଥ ଆଉ ମଜା ବିଗାଡ଼ି ଦେଇଚି ।

 

ଛୋଟ ହେଲେ ମଧ୍ୟ ଏହା ଏକ ସମ୍ପୂର୍ଣ୍ଣ ଉପନ୍ୟାସ । ବାକି ପଢ଼ିଲେ ଜାଣିବେ । ଧନ୍ୟବାଦ !

 

ଦୁର୍ଗାପ୍ରସାଦ

Image

 

ଦିହରୁ ଝାଳ ଗମ୍‌ ଗମ୍‌ ବହି ଯାଉଥିଲା । ଏଡ଼େ ଟିକିଏ ଘର । ଉପରେ ଟିଣର ଛପର-। ଦୁଆର ଛଡ଼ା ଘର ଭିତରକୁ ପବନ କି ଆଲୁଅ ଆସିବାର ଆଉ ବାଟ ନାହିଁ । ପିଣ୍ଡାରେ ଟିଣ ଦିଖଣ୍ଡ ଘେରା ହୋଇ ଚୁଲି । ଝାଳ, ଖରାଦିନେ କଅଣ, ଶୀତଦିନେ ବୋହି ପଡ଼ିବ । ଗାମୁଛା ଖଣ୍ଡକରେ ଝାଳ ପୋଛି ପୋଛି ଜଗୁ କାମରେ ଲାଗିଥିଲା । ଖଣ୍ଡେ ବାଲିଟି, ଖଣ୍ଡେ କଡ଼େଇ, ତାଉଆ ପଟେ, ଚୁମୁଟା, କରଚୁଲି ଏମିତି ଆଉ କେତେକ ଘରକରଣା ଜିନିଷ ସେ ଏକାଠି କରି ଗୋଟିଏ ଅଖାରେ ପୁରାଇଲା, ଅଖା ମହଁକୁ ଦିଚାରି ଖଣ୍ଡ ଝୋଟ ଦଉଡ଼ାରେ ବାନ୍ଧିଲା । ଏଗୁଡ଼ା କଅଣ ସିଆଡ଼େ ମିଳୁ ନାହିଁକି ? ନ ନେଇଥିଲେ ଚଳି ଥାଆନ୍ତା । ନିଜ ମନର ପ୍ରଶ୍ନକୁ ନିଜ ମନର ଉତ୍ତର ଦେଇ ଜଗୁ ମନେ ମନେ କହିଲା....ମିଳୁଛି ହେଲେ, ସିଏ କହିଥିଲା । ସେଠା ଜିନିଷ ଆଉ ଏଠା ଜିନିଷ, ଏଇ ଯାହା ତଫାତ । ଯାଉଚି ଯେତେବେଳେ ନେଇ ଗଲେ ଖରାପ କଅଣ ? ଦୂର ବାଟ–ଜିନିଷର ମୂଲ ଅଲଗା ।

 

ଅଖାଟିକୁ କାନ୍ଥକୁ ଡେରି ଦେଇ ସୁଟକେଶଟିକୁ ଖୋଲିଲା । ମନେ ମନେ ଦୁଇ ଚାରିଥର ସୁଟକେଶ୍‍ ଶବ୍ଦଟାକୁ ଉଚ୍ଚାରଣ କରି ଟିକିଏ ହସିଲା....ଟିଣ ବାକ୍‌ସ ତାର ଫେର୍‍ ଏଡ଼େ ନା । ସାହାବମାନେ ସିନା ସୁଟ୍‍ ରଖିବା ଲାଗି ଏମିତି ଖଣ୍ଡେ ବାକ୍‌ସର ଜନ୍ମ ଦେଲେ । ସେ କ’ଣ ଜାଣିଥିଲେ କୁଲିମାନେ ମଧ୍ୟ ତହିଁରେ ଅଗଡ଼ମ୍ ବଗଡ଼ମ୍‌ ପୂରାଇ କହିବେ ସୁଟକେଶ୍‌; ହଁ ଲୁଗାପଟା କି ଗାମୁଛା ଦି’ଖଣ୍ଡ ପୂରାଇ ଥିଲେ ବା ସେଇ ନାଁଟା ସାର୍ଥକ ହୋଇ ଥାଆନ୍ତା । ଛାଡ଼ କ’ଣ ମିଳିବ....ମନେ ମନେ ଭାବୁ ଭାବୁ ସେ ଖୋଲି କରି ଆଉ ଥରେ ଦେଖିଲା । ବାସନା ତେଲ ଶିଶିଟିଏ, ସିନ୍ଦୂର ଗୋଟିଏ ଡିବା, ଗୋଟିଏ ଦର୍ପଣ, ତା ସାଙ୍ଗକୁ ମାଇପୀ ମୁଣ୍ଡକୁଣ୍ଡା ପାନିଆ, ଦୁଇ-ଚାରିଖଣ୍ଡ ଛାପା ଶାଢ଼ୀ, କାଚ କେଇ ମୁଠା, ଏଣୁତେଣୁ ଶସ୍ତା ଖେଳନା–ଏମିତି କେତେ ଆଡ଼ୁରୁ ମାଡ଼ରୁ ସଜା ହୋଇ ରଖା ହୋଇଚି । ଖୋଲିକରି ଫେର୍‍ କଅଣ ଭାବିଲା । ଏଠୁ ଜିନିଷ କାଢ଼ି ସେଠି, ସେଠୁ କାଢ଼ି ଏଠି ରଖିଲା । କାଚ କେଇମୁଠା କାଢ଼ି ବାର ବାର ଦେଖିଲା ଆଉ ତାକୁ ରଖିବା ପାଇଁ ଗୋଟିଏ ନିରାପଦ ସ୍ଥାନ ଅନୁସନ୍ଧାନ କରି ପାଇଲା ।

 

ଜିନିଷକୁ ଯେତିକି ଦେଖୁଥାଏ ତା ମୁହଁରେ ସେତିକି ଆନନ୍ଦର ଲହଡ଼ି ଖେଳି ଯାଉଥାଏ-। ଫେର୍‍ କ’ଣ ଭାବିଦେଇ ମୁହଁ ଫିକା ପକାଇ ଦେଉଥାଏ । ଇଏ ଫେର୍‍ ଶାଢ଼ୀ । ଶାଢ଼ୀକୁ ଏପଟ ସେପଟ କରି ଓଲଟାଇ ପାଲଟାଇ ଜଗୁ ଭାବିଲା, ଦୋକାନର କାଚଲଗା ଦେଖାଣିଆ ଝରକା ଭିତରେ କେଡ଼େ ସୁନ୍ଦର ସୁନ୍ଦର ଶାଢ଼ୀ ସଜା ହୋଇ ଝଲମଲ କରୁଥାଏ । କେମିତି ଦାମ ଯେ ? ସୁନା ରୂପା ଜରିଲଗା କାମ । ସେ ଶାଢ଼ୀ ଆଉ ଏ ଶାଢ଼ୀ ? ଚମ୍ପା ଥରେ ସେ ଦୋକାନର କାଚ ଘେର ଭିତରୁ ସେ ଶାଢ଼ୀ ଦେଖନ୍ତା ତ ଏ ଶାଢ଼ୀ କି କ’ଣ ଆଉ ପସନ୍ଦ କରନ୍ତା ? ଫିଙ୍ଗି ଦିଅନ୍ତା, କହନ୍ତା–ରଖମ, ଯୋଉ ଅପୂରୁବ ଶାଢ଼ୀ !

 

ମନକୁ ମନ ଜଗୁ ବୁଝାଇଲା । ହଉ ଯାହା ପାଖରେ ପଇସା ନାଇଁ ଏଇଥିରୁ ଗୁଡ଼ାଏ ଭାବି ଭାବି ତା’ର କି ଲାଭ ? ଏ ଶାଢ଼ୀ ବା ଖରାପ କଅଣ ? ପାତଳା ଶାଢ଼ୀ ନେଲେ ସେ ପିନ୍ଧିକରି ସମ୍ଭାଳିବ କେମିତି ? ଫେରେ ଭିତରକୁ ସାୟା ଦରକାର । ଫେର୍‍ ଦୁନିଆଁ ଯାକର କାମ । ଘର ଓଳାଇବ, ବାସନ ମାଜିବ, ଧାନ କୁଟିବ, ପାଣି ବୋହିବ, ଗୋରୁ ଗାଈ ଗୁହାଳ ଗୋବର ସବୁ କାମ ତା’ରି ଉପରେ । ଏଥିରେ ଫେରେ ଝଲମଲ ଶାଢ଼ୀ !

 

ପିନ୍ଧିବାକୁ ବେଳ କାହିଁ ? ସେସବୁ ଯାହା ପାଇଁ ତା ପାଇଁ, ତାକୁ ପିନ୍ଧିବାକୁ ଅଲଗା ଭାଗ୍ୟ ନେଇ ଜନ୍ମ ହେବାକୁ ହୁଏ । ଏଇଥିରେ ଚମ୍ପା ଖୁସି ହୋଇଯିବ । କେମିତି ନ ହେବ ? ଏମିତି ଶାଢ଼ୀ ଗାଁର କେତେ ଜଣଙ୍କୁ ପିନ୍ଧିବାକୁ ମିଳୁଚି ? ୟା ଶାଢ଼ୀ ଦେଖି ଗାଁ ମାଈପେ କେତେ କଥା କହିବେ–ପଚାରିବେ, କେତେ ପଡ଼ିଲା ? କିଏ ଆଣିଚି ? କେତେ ସୁନ୍ଦର ହେଇଚି ! ସେଇଥିରୁ ବାହାରିବ, ଚମ୍ପାକୁ ମୁଁ କେତେ ଭଲ ପାଏ । ସେ ସେଇ କଥାଟାରେ ଖୁସି ହୋଇଯିବ । ଭଲପାଇବା କଥାଟାକୁ ଢାଙ୍କି ପକାଇବ ବୋଲି ସେ ଲାଜରେ ବାଆଁରେଇ ବାଆଁରେଇ ଦେଖାଇବ ଚୁଡ଼ି, ସିନ୍ଦୂର–ଆଉ କହିବ ଇଏ ବାସନା ତେଲ–ଠିପି ଖୋଲି କହିବ–ଦେଖୁନା କେଡ଼େହଁ । ବାସୁଚି-! ମୋ ମୁଣ୍ଡବାଳ ଉପୁଡ଼ୁଚି ବୋଲି ଥରେ ଶୁଣିଥିଲେ ଯେ–ସେଇଥିପାଇଁ.... । ବଙ୍ଗଳାରେ ମାଈପିଙ୍କର କେଉଁଠି ଭାରି ବାଳ । ଏଇ ତେଲ ଲଗେଇଲେ ବାଳ ଘୁଘୁ ବଢ଼ିଯାଏ ।

 

ଜଗୁ ଠିପି ଖୋଲି କେତେବେଳେ ନାକଠି ଲଗେଇ ଦେଇଚି । ଖୁବ୍‌ ବାସନା । ଦୁଆର ପାଖରେ ନାଳୀପଚା ଗନ୍ଧ, ଛୋଟିଆ ଛୋଟିଆ ଅନ୍ଧାରିଆ ଘର ଚାରିପଟେ ଘେରିଚି, ଆଉ ମଝିରେ ଅଳିଆ ମଇଳା ଅଗଣା । ପାଣିକଳ, ତା’ ମୂଳଟା ସବୁବେଳେ ପଚ ପଚ । ପାଇଖାନାର ଗନ୍ଧ ଅଗଣା ଭିତରେ ଖେଳିବୁଲୁଚି । ଟିକିଏ ସମୟ ପାଇଁ ଜଗୁର ନାକଟା ମୁକ୍ତି ପାଇଲା ।

 

ଚମ୍ପା ଲଗେଇବ ବାସନାତେଲ । ଆଉ ବାଳାବତୀ କନ୍ୟାର ସ୍ୱପ୍ନ ଦେଖିବ....ମୁଁ ତାକୁ ଭଲପାଏ ବୋଲି କ’ଣ ସେ ସମସ୍ତଙ୍କୁ କହିପାରିବ ? ତାର ଖାସ୍‌ ସାଙ୍ଗ ଭାରି ମଲ୍ଲ ଘର ବୋହୂ । ତାକୁଇ କହିବ । ହଁ ତା ପାଇଁ ବି ସାବୁନ ଖଣ୍ଡେ, ସିନ୍ଦୂର ପୁଡ଼ାଏ, ଆଉ ଛୋଟ ବାସନା ତେଲ ଶିଶିଟିଏ ଜଗୁ ନେଇଚି । ନ ନେଲେ ଅସୁନ୍ଦର ହବ ନାଇଁ, କଥାଟା ? ପିଲାଙ୍କ ପାଇଁ କିଛି ଶସ୍ତା ଖେଳନା କିଣିଚି । ରବର କଣ୍ଢେଇ-କଚାଡ଼ିଲେ ଭାଙ୍ଗିବ ନାହିଁ । ସେ ସବୁକୁ ଦେଖୁ ଦେଖୁ ତା ଘରକଥା ଭାଇକଥା, ବାପା ମା କଥା ସବୁ ମନେ ପଡ଼ିଲା । କଅଣ ଥିଲା ତାଙ୍କ ଘର ଆଉ କଅଣ ହେଲା ? ଧୀରେ ଧୀରେ ସବୁ ବିଗିଡ଼ିଗଲା । ଭାଉଜ ବେମାର ପଡ଼ିଲେ । ପଇସା ଖର୍ଚ୍ଚ ହେଲା, ଓଷଦ ହେଲା । ସମସ୍ତେ କହିଲେ, ଅଛଦରା ମାଈପୀ ଜୀବନକୁ ଫେର୍‍ ଏତେ ଯତନ । ବାପା ଶୁଣିଲେ ନାହିଁ । ଜମି ବନ୍ଧା ପକାଇ ପଇସା ଆଣିଲେ, ଫଳ କିଛି ହେଲା ନାହିଁ । ଭାଇଙ୍କି ଖୁବ୍‌ ବାଧିଲା । ସେ ଘର ଛାଡ଼ି ଚାଲିଗଲେ । କୁଆଡ଼େ ଗଲେ କେହି କହିପାରିଲେ ନାହିଁ । କିଏ କହିଲା ସାଧୁ ହୋଇ ଚାଲିଗଲେ । ଗାଁ ଲୋକେ ସେ ବର୍ଷ ତୀର୍ଥ କରି ଯାଇଥିଲେ, କହୁଥିଲେ ଦେଖିଥିଲେ ବୋଲି–ସତ କି ମିଛ କେଜାଣି ? ‘ଦାଢ଼ି ରଖିଥିଲା–ଚିହ୍ନି ହେଲାନାହିଁ ।’ ଭାଇକଥା ଭାବି ଭାବି ବୋଉ କତରା ଧରିଲା–ଆଉ ତାକୁ ରଖି ହେଲା ନାହିଁ । ବାପା କହିଲେ ମୋର ଧନ କ’ଣ ହେବ-? ବିକିଭାଙ୍ଗି ଏକୁ ବଞ୍ଚେଇବି–ବିକା ହେଲା, ଭଙ୍ଗା ହେଲା ହେଲେ ଆଉ ବୋଉର ଦେହ ଗଢ଼ା ହୋଇ ପାରିଲା ନାହିଁ । ତା ପରେ ପରେ ଗଲେ ବାପା–

 

ଜଗୁ ପଛକୁ ଚାହିଁ ମନେ ମନେ ଏକ ସିଂହାବଲୋକନ କଲା–ଖାଲି ଧୂ ଧୂ ତାତି–ସବୁ ଜଳିପୋଡ଼ି ଯାଇଛି । ଜନ ଯାଇଚି–ତା ପଛେ ପଛେ ଧନ । ଆଗକୁ ଅନାଇଲା । ସେଠି ମଧ୍ୟ ସେଇ ସବୁ.....ଆଉ ଘାସ କଅଁଳିବ ନାହିଁ । ଏ ମରୁର ଅନ୍ତ ନାହିଁ ।

 

ଭାଇଙ୍କ ଯିବା ଆସି ସାତବର୍ଷ ହୋଇଗଲା । ହଁ ସାତବର୍ଷ । ୟା ଭିତରେ ଏତେ ପରିବର୍ତ୍ତନ । ଏବେ ସେ ଭାଇଙ୍କ କଥା ଖାଲି ୟା ମୁହଁରୁ ତା ମୁହଁରୁ ଶୁଣୁଚି । କିଏ କହୁଚି ସେ ଭାଇଙ୍କୁ ବହୁତ ଥର ଦେଖୁଥିଲା । ଏବେ ବର୍ଷେ କି ଛ ମାସ ହେଲା ଆଉ ଦେଖୁନାହିଁ । ଲୋକେ କହୁଛନ୍ତି ସେ ମରିଗଲେଣି । କିଏ କହୁଚି, ଏବେ କଲିକତାର ରାସ୍ତାରେ ଦେଖିଥିଲା । ଡାକୁ ଡାକୁ ସେ କୁଆଡ଼େ ଗହଳି ଭିତରେ ଛପିଗଲା । କିଏ କହୁଚି, ତାକୁ ଗାଡ଼ିରେ ଦେଖିଥିଲା । କିଏ କହୁଚି, ଗୋଟିଏ ଷ୍ଟେସନଠେଇଁ ଦି’ଜଣ ବାବାଜିଙ୍କ ସାଙ୍ଗରେ ଗଞ୍ଜେଇ ପିଉଥିବାର ସେ ଦେଖିଥିଲା । ଡାକିଲା, ସେ ଅନାଇଲା ବେଳକୁ ଗାଡ଼ି ଛାଡ଼ି ଦେଲାଣି । ଏଇ ସବୁ କଥା ଶୁଣି ଶୁଣି ଜଗୁ ଏବେ କୋଉ ବାବାଜି କି ପାଗଲା ଦେଖିଲେ ଭଲ କରି ସେମାନଙ୍କୁ ଦେଖେ । ବେଳେ ବେଳେ ନାଁ ଗାଁ ପଚାରେ । ହତାଶ ହୁଏ ।

 

ସେ ତ ଗଲେ ଗଲେ, ଛାଡ଼ି ଯାଇଛନ୍ତି ଦୁଇଟି ପିଲା; ପୁଅଟିଏ ଝିଅଟିଏ । ସେ ଦୁହିଙ୍କ ଭାର ଜଗୁ ଉପରେ । ବାପ ନାହିଁ ବୋଲି ସେମାନେ ଯେମିତି ନ ଜାଣନ୍ତି ତା ପାଇଁ ଜଗୁ ସବୁବେଳେ ହୁସିଆର ଆଉ ମା ନାହିଁ ବୋଲି ସେମାନେ ଯେପରି କିଛି ଅସୁବିଧା ନ ଭୋଗିବେ ତା ପାଇଁ ଚମ୍ପା ସବୁବେଳେ ଜଗିକରି ଥାଏ । ଚମ୍ପା, ନିଜର ପିଲା ନାହିଁ ବୋଲି କେତେବେଳେ ହେଲେ ସେ ଭୁଲରେ ମଧ୍ୟ ଭାବେ ନାହିଁ । ଭାବୁଥିବ । କଏ ଜାଣେ ? ନାରୀ ପ୍ରାଣ ହେଲେ ତା ଦୁଃଖ ଭୁଲିବାକୁ ଭଗବାନ୍‌ ଏ ଦୁଇଟିଙ୍କି ତାକୁ ଦେଇଛନ୍ତି ।

 

କ’ଣ ଜଗୁଭାଇ, ବନ୍ଧାବନ୍ଧି ହେଲା ? କିଏ ଜଣେ ଆସି ପଚାରି ଦେଲା । ଜଗୁର ଚିନ୍ତା ଚହଲିଗଲା । ଚମ୍ପା, ଭାଇର ପିଲେ ଚହଲା ପାଣିର ପ୍ରତିବିମ୍ବ ପରି ଅସ୍ପଷ୍ଟ ହୋଇଗଲେ ।

 

ଇସ୍‌ କେତେବେଳେ ୫ଟାର ଭୂଁ ବାଜି ଯାଇଚି–ଲୋକେ ଘରକୁ ଫେରି ଆସିଲେଣି । ଜଗୁର ଖିଆଲ ନାହିଁ । ପଚାରିବା ଲୋକ ଜଣକ କହିଲା, ‘‘ଦେଖ ଘରୁ ଟିକିଏ ଜଲ୍‌ଦି ବାହାରିଯିବା ଗାଡ଼ି ଦଶଟାରେ ଛାଡ଼ୁଚି । ଦି ଘଣ୍ଟା ଆଗରୁ ନ ଗଲେ ଟିକଟ ପାଇଁ ହଇରାଣ ହେବା । ଦେଖ ଏଇନା ଛ’ଟା ବାଜିବ ।’’

 

ଜଗୁ କହିଲା, ଟିକଟ ପାଇଁ ହରିଆ ଆଗରୁ ଯାଇଁ ଲାଇନ୍‌ ଲଗାଇବ କହିଚି । ତର ତର କରି ଜଗୁ ସୁଟକେଶ୍‌ଟିକୁ ଅଖା ପାଖରେ ରଖି ନିତ୍ୟକର୍ମ ଛିଣ୍ଡାଇବ ବୋଲି ଚାଲିଗଲା । ଅଧଘଣ୍ଟାଏ ଗଲା । ସମୟ ଏଥର ଚଞ୍ଚଳ ଚଞ୍ଚଳ ସରିଲା ପରି ଜଣା ପଡ଼ିଲା । କାମ ସାରି ଫେରିଲା ବେଳକୁ ଦେଖିଲା ଗୋଟିଏ ଗୋଟିଏ କରି ଲୋକେ ଜମିଲେଣି । କିଏ ଗାଁର, କିଏ ଗାଁ ପାଖର । ଜଗୁ ବସିଗଲା । ସମସ୍ତଙ୍କର କିଛି ନା କିଛି ଖବର ପଠାଇବାକୁ ଅଛି । କିଏ ଚିଠି ଆଣିଚି, କିଏ ଜିନିଷ ଆଣିଚି । ଜଗୁ ସେମାନଙ୍କଠାରୁ ଜିନିଷ ଆଉ ଚିଠି ନେଇ ଆଉ ଗୋଟିଏ ସୁଟକେଶରେ ବନ୍ଦକରି ରଖିଲା । ଆଜି ପାଖ ବସାର ଲୋକେ ତାକୁ ଖାଇବାକୁ ଡାକିଛନ୍ତି । ଆଉ ଡେରି ନ କରି ସେ ଦିଟା ଖାଇ ପକାଇଲା । ‘‘ଆଠଟା ବାଜିଲା, ବାହାରି ପଡ଼ ଜଗୁଭାଇ’’ ଷ୍ଟେସନକୁ ଛାଡ଼ି ଯିବା ଲୋକେ ଆସି ଠିଆ ହୋଇ ଗଲେ । କଥା ସରୁ ନାହିଁ ।

 

‘‘ଦେଖ, ଷ୍ଟସନରେ ପହଞ୍ଚିବାକୁ ଘଣ୍ଟାକରୁ ବେଶି ଲାଗିବ ସିନା କମ୍‍ ନୁହଁ ।

 

‘‘ତେଣେ ଫେର୍‍ ହରିଆ ଟିକଟ କରିଥିବ କି ନାହିଁ । ତାଗିଦା ଉପରେ ତାଗିଦା । ଜଗୁ ଉଠି ଠିଆ ହେଲା । ଗୋଟାଏ ହାତରେ ଅଖାଟିକୁ ଟେକିବାକୁ ଯାଉଚି ହାଲୁ କହିଲା, ଇଏ କଅଣ କରୁଚ ଜଗୁଭାଇ ? ଆମେ ଥାଉ ଥାଉ ତୁମେ ଗଣ୍ଠରୀ ବୋହିବ ?

 

ଜଗୁ ହାତରୁ ସେ ଅଖାଟିକୁ ଟାଣିନେଇ ନିଜ କାନ୍ଧରେ ରଖିଲା । ଜଗୁ କହିଲା–ଆରେ, ମୋର ତ ଫେର୍‍ ଦୁଇଟା ହାତ ଅଛି । ହଁ ଅଛି ଯେ, ଆମର ଚିଠି ଲେଖି ଦବାକୁ, ଦରଖାସ୍ତ ଲେଖି ଦେବାକୁ, ସନେଇ ଧରରେ ସୁଟକେଶ୍‌ ଖଣ୍ଡକ । ହାଲୁ କଥାରେ ସନେଇ ସୁଟକେଶ୍‌ ଖଣ୍ଡକ ଧରିଲା-। ଆଉ ଖଣ୍ଡେ ସୁଟକେଶ୍‍ ଜଗୁ ଉଠାଉ ଉଠାଉ ବସାର ଆଉ ଜଣେ ଆସି ହାତରୁ ନେଇ ଯାଇ କହିଲା–ଚାଲ, ଦାଣ୍ଡ ଯା ନେଇ ଯାଉଚି । ଜଗୁ ଖାଲି ହାତରେ କେବଳ ଛତା ଖଣ୍ଡକ ଝୁଲାଇ ପଦାକୁ ଗୋଡ଼ କାଢ଼ିଲା । ବସାର ସାଙ୍ଗସାଥୀମାନେ ଘେରି ଯାଇ ପଚାରିଲେ–ପହଞ୍ଚି ଚିଠି ଦବଟି-? ହଁ–ଚିଠି ଦେବି ନାଇଁ ?

 

ଜଣେ ଆସି କହିଲା–ବୋଉକୁ ଟିକିଏ କହିଦେବ । ଦେଖୁଚ ତ ମୋ ହାଲଚାଲ, ବୋଉ ଭାବୁଥିବ ପୁଅ ସୁଖରେ ଅଛି । ଥରେ ଆସି ଯଦି ଦେଖି ଦିଅନ୍ତା ।

 

ଏତିକି କହୁ କହୁ ତା ଆଖିରେ ଲୁହ ଭରିଗଲା । କଣ୍ଠରେ କଥା ବାନ୍ଧି ହୋଇଗଲା ।

 

ଜଗୁ ତା’ର ମନକଥା ଜାଣିପାରି କହିଲା–ଆରେ, କାନ୍ଦୁଚୁ କାହିଁକି ? ଏଇ ବୟସରୁ କାନ୍ଦିବା ଆରମ୍ଭ କରିଦେବୁ ତ ତୋ ଆଖିରେ ଶେଷଯାଏ ପାଣି ଆସିବ କୁଆଡ଼ୁ ? ଜୀବନଯାକ ପଡ଼ିଚି । ଇଏ ତ ଖାଲି ଆରମ୍ଭ । ପାଗଲା ! କାନ୍ଦନା କାନ୍ଦନା । ଚେଷ୍ଟାକର, ଧୈର୍ଯ୍ୟଧର ଭଲ ଚାକିରି ମଳିଯିବ ।

 

ଆଉ ଜଣେ ଆସି କହିଲା, ଇଆଡ଼ିକି ଟିକିଏ ଆସ । ଅଣାଆଡ଼ିଆରେ କାନ ପାଖରେ ମୁହଁ ଲଗାଇ ଚୁପ୍‍ ଚୁପ୍‍ କରି କହିଲା–ତାକୁ ଦେଖିଲେ କହିଦବ । ମୋ କଥା ତ ତୁମେ ଜାଣ–ଯାଉନାହିଁ ବୋଲି ସେ ଖାଲି କାନ୍ଦୁଚି । କ’ଣ କରିବି କହ ? ମୋତେ ଛାଡ଼ିକରି ସେ କେବେ ଏକୁଟିଆ ରହି ନ ଥିଲା । କ’ଣ ଯେ କରୁଥିବ ! ଜଗୁ କହିଲା, ହଁ ମ କହିଦେବି । ବୁଝାଇ ଦେବି ଯେ ଭଗବାନ ଓଡ଼ିଆଙ୍କ କପାଳେ ଏଇଆ ଲେଖିଛନ୍ତି । ଆମ ପୂର୍ବ ପୁରୁଷେ ଲଢ଼େଇ କରିବାକୁ ଯାଉଥିଲେ, ବେପାର ବଣିଜ କରିବାକୁ ଯାଇ ସାତ ସମୁଦ୍ର ତେର ନଈ ପାରି ହଉଥିଲେ ଘର ଛାଡ଼ୁଥିଲେ । ଏଇ କଥା ଚାଲି ଆସୁଚି । ପେଟପାଇଁ ଆଉ କ’ଣ କରାଯିବ ? କାନ୍ଦୁଥିଲେ ବୁଝାଇ ଦେବି । ସେ କାନ୍ଦୁଥିବ ବୋଲି ତୁ ଆଉ କାନ୍ଦନା । ହଉ, ଯା ।

 

ଦୁହେଁ ଚାଲୁ ଚାଲୁ ଆଉ କେତେ ଜଣ ମିଳିଗଲେ ।

 

ଜଣେ କହିଲା–ଜଗୁ ଟିକିଏ ବୁଝିବ । ଗାଁ ବାଲା କ’ଣ ଚାନ୍ଦା ପାଇଁ ଗୋଟିଏ କନ୍ଦଳ ଲଗାଇଛନ୍ତି । ହଇ ହେ ଆମେ ଗଲେ ଦେଇ ଦିଅନ୍ତୁ ନାହିଁ । ମାଇପିଲୋକ–ସେମାନଙ୍କୁ ଜବରଦସ୍ତି କଲେ ସେମାନେ କୁଆଡ଼ ଦେବେ ?

 

ଆଉ ଜଣେ କହିଲା, ପୋଖରୀ ଗୋଳି ହେଲା ଆମ ଘରକୁ କେରାଣ୍ଡି ଖଣ୍ଡେ ପଡ଼ିଲା ନାହିଁ । ସବୁ ବାଣ୍ଟିକୁଣ୍ଟି ଖାଇଗଲେ । ଆଉ ଚାନ୍ଦା ଭେଦା ବେଳକୁ ଦୁଆରେ ଠେଙ୍ଗା ଧରି ବସିବେ । ଶୁଣେଇ ଦବ ଭଲ କରି ଦିପଦ–ଜାଣିଲ ? ହାଁ ?

 

ଆଉ କେତେ ଲୋକ କେତେ କଥା କହିଲେ । ଜଗୁର କଥାବାର୍ତ୍ତାରେ ବାଟ କଟିଗଲା । ଷ୍ଟେସନରେ ପହଞ୍ଚି ଜଗୁ ଦେଖିଲା, ଟିକଟ ଖିଡ଼ିକି ପାଖରେ ଲମ୍ବା ଲମ୍ବା ଧାଡ଼ି ଲାଗିଚି । ହୋ ହା, ଘୋ ଘା । ଦିହସୁହା ହୋଇଗଲାଣି ଏ ଗହଳ, ଏ ଧାଡ଼ି, ଏ ଠେଲାପେଲା । ଦଳ ଦଳ ହୋଇ ଯାତ୍ରୀ; ସେଇଠି ତଳେ ଗଣ୍ଠରୀପତ୍ର ରଖି ବସି ଯାଇଛନ୍ତି, ଅପେକ୍ଷା କରିଛନ୍ତି, କେହି ସାଥୀ ଯାଇଚି ଧାଡ଼ି ଦେଇ ଟିକଟ ଆଣିବ । ଜଗୁ ପାଇଁ ଟିକଟ ଆଣିବା ଲୋକ ଆଗରୁ ଆସି ଯାଇଥିଲା । କିଛି ସମୟ ପରେ ସେ ଟିକଟ ଧରି ଜଗୁ ପାଖରେ ପହଞ୍ଚିଲା । ଜଗୁ ଆଉ ତା’ର ଦି’ଜଣ ସାଙ୍ଗ ଗାଡ଼ି ପାଖକୁ ଯିବାକୁ ଗେଟ୍‌ ପାଖରେ ପହଞ୍ଚିଲେ । ଭିତରକୁ ମୁହାଁଉ ମୁହାଁଉ ଟିକେଟ ଚେକର୍‍ ଅଟକାଇଦେଲା ।

 

କ’ଣ କଥା ? ଜଗୁ ପଚାରିଲା ।

 

ଉତ୍ତର ଆସିଲା–ଏ ବୋରା ପାସ୍‍ ହେବ ନାହିଁ ।

 

ଜଗୁ ଅଟକି ଗଲା । ସେ ଜାଣେ କେମିତି ସେମାନେ ସମୟ ବୁଝି ଲୋକ ଦେଖି ଅଟକାନ୍ତି । ଚାରି ଆଠଣା ପାଇଲେ ଛାଡ଼ି ଦିଅନ୍ତି । ଏକେ ଅପାଠୁଆ ଲୋକ, ଏଣେ ଫେର୍‍ ଗାଡ଼ି ଛାଡ଼ିବା ବେଳ ହୋଇ ଯାଉଚି । ଡେରି ହୋଇଗଲେ ତେଣେ ଗାଡ଼ି ଭିତରେ ଠିଆ ହେବାକୁ ଥାନ ଟିକିଏ ମିଳିବା କଷ୍ଟ । ଚାରି ଆଠଅଣାକୁ ଅନାଇଲେ ତେଣେ ଯିବା ମୁସ୍କିଲ ହୋଇଯିବ । ତେଣୁ ସେମାନେ ଦି ଚାରଣା ଦେଇ ଭିତରକୁ ଚାଲି ଯାଆନ୍ତି । କାହିଁକି ଦଉଚି, ଦେବା ଉଚିତ କି ନା ଏକଥା ବିଚାର କରିବାକୁ ତା’ର ବିଦ୍ୟା ଅଛି, ନା ଧନ ଅଛି, ନା ଭାଷା ଅଛି ? ଜଗୁ ଟିକିଏ ଆଡ଼େଇ କରି ତା’ ଗଣ୍ଠିଲି ପତ୍ର ରଖିଲା । ଦେଖିଲା ତା ସାମ୍ନାରେ ଲୋକେ କିଛି କିଛି ଟିକେଟ ଚେକର୍‍ ହାତରେ ଗୁଞ୍ଜି ଗୁଞ୍ଜି ଭିତରକୁ ଗଲେ ।

 

ଜଗୁ ପଚାରିଲା–ବାବୁ, ଅଖାର କି ଦୋଷ ଯେ ଛାଡ଼ ମିଳିବ ନାହିଁ ?

 

ଟିକିଏ ଗମ୍ଭୀର ହୋଇ ଟି.ଟି.ସି. କହିଲା–‘‘ତୋତେ ତ କହୁଚି ଛାଡ଼ ମିଳିବ ନାହିଁ, ଫେର୍‍ କ’ଣ ପଚାରୁଛୁ ?’’

 

ଏତିକି କହି ସେ ମୁହଁ ପୋତି ଟିକଟ ଦେଖି, ଜିନିଷ ଦେଖି ଅନ୍ୟମାନଙ୍କୁ ଯଥାବିଧି ବାଟ ଛାଡ଼ି ଛାଡ଼ି ଦେଲା ।

 

ଜଗୁ କହିଲା, ‘‘ମୁଁ ଆପଣଙ୍କୁ ପଚାରୁଚି କାରଣ କ’ଣ? କଅଣ ପାଇଁ ଆପଣ ଛାଡ଼ିବେ ନାଇଁ ? କଅଣ ଅଖାରେ ବନ୍ଧା ହୋଇଚି ବୋଲି ନା ଅଖା ଭିତରେ ଏମିତି କିଛି ଜିନିଷ ଅଛି ଯାହା ଛାଡ଼ ଯୋଗ୍ୟ ନୁହେଁ ?’’

 

‘‘ଜଣା ପଡ଼ୁଚୁ ତୁ ସବୁଠୁ ଗୋଟାଏ ଚାଲାକ ଲୋକ’’ ।

 

ଟିକିଏ ଖେଙ୍କାରି ହୋଇ ଟି.ଟି.ସି. କହିଲା । ଆଉ କହିଲା–ଆଡ଼େଇ କରି ଠିଆ ହ । ଲୋକଙ୍କୁ ଯିବାକୁ ଦେ ।

 

‘‘ଦେଖନ୍ତୁ’’ ଜଗୁ ଗମ୍ଭୀର ହୋଇ କହିଲା, ‘‘ଗେଟ୍‌ ପାଖକୁ ମୁଁ ଆଗ ଆସିଚି । ଏତେ ଭିଡ଼ ସେତେବେଳେ ନ ଥିଲା । ଆପଣ ସେତିକି ବେଳୁ ନା ମୋତେ ଛାଡ଼ୁଛନ୍ତି, ନା ନ ଛାଡ଼ିବାର କାରଣ କହୁଛନ୍ତି । ହଉ, ମୁଁ ଯାଉଚି ଷ୍ଟେସନ ମାଷ୍ଟ୍ରଙ୍କ ପାଖକୁ । ତାଙ୍କୁ ଟିକିଏ ପଚାରି ଆସେ । ମୋର ଏ ଟିକଟରେ କିଛି ଦୋଷ ଅଛି ନା ଏ ଅଖାରେ ?

 

ଜଗୁର ଜଣେ ସାଙ୍ଗ କହିଲା–ଜଗୁଭାଇ, ଗାଡ଼ି ଛାଡ଼ିବା ବେଳ ହେଲାଣି ଦେଇ ଦିଅ ଦି’ ଚାରି ଅଣା, ଝଂଝଟ ଯାଉ ।

 

ଜଗୁ କହିଲା–କାହିଁକି ? ଗାଡ଼ି ଛାଡ଼ିଲେ ଛାଡ଼ୁ, ଆଉ ଗାଡ଼ି ଅଛି । ଆଜି ନ ହେଲେ କାଲି ଯିବି । ହେଲେ ଏ ଅଖାରେ ଜିନିଷ ବାନ୍ଧିଚି ବୋଲି ଜୋରିମାନା ଦେବି ଏକଥା ହେବ ନାହିଁ । ତମେ ବସିଥା, ମୁଁ ଏଇନା ଆସୁଚି ।

 

ଜଗୁ ମୁହଁ ବୁଲାଇ ଚାଲି ଆସିଲା ।

 

ଗେଟ୍‌ ପାଖରୁ ଚେକର୍‌ ପାଟି କରି ଡାକ ପକାଇଲା–ଆରେ ହେ କୁଆଡ଼େ ଯାଉଚୁ ଇଆଡ଼େ ଆ...ଶୁଣ, ଶୁଣ ।

 

ଜଗୁ ଆଗକୁ ମାଡ଼ି ଚାଲିଛି ତା ସାଙ୍ଗ ଦଉଡ଼ି ଯାଇ ଜଗୁକୁ କହିଲା–ସେ ଡାକୁଚି ।

 

ଜଗୁ ଫେରିଲା; ଶୁଣିଲା ଚେକର୍‍ କହୁଚି ଜଗୁର ଆଉଜଣେ ସାଙ୍ଗକୁ–ମହା ପାଗଳ ଇଏ-! କିଏ ତାକୁ ମନାକରୁଚି ଭିତରକୁ ଯିବାକୁ ? ଯାଉ–ବାକୀ ଭିତରେ ଧରା ହେଲେ ମୋର ଦୋଷ ନାହିଁ ।

 

ଜଗୁ କହିଲା–କ’ଣ କହୁଚ ବାବୁ ? କାହିଁକି ଫେର୍‍ ଡାକିଲ ?

 

ଚେକର୍‌ କହିଲା–ଆରେ ତୋ ଭଲକୁ କହୁଚି ନା ଧରିଲେ ଓହ୍ଲେଇ ଦେବ । ଭଲ ହେବ-? ଯା କିଏ ମନା କରୁଚି ।

 

ଜଗୁ ଜିନିଷପତ୍ର କିଛି ସାଙ୍ଗକୁ ଦେଲା, କିଛି ଧରିଲା । ଭିତରକୁ ପଶିଲାବେଳେ କହିଲା–ନିଜ କାମ ଦେଖ ବାବୁ । ମୋର କଅଣ ହେବ ନ ହେବ ତା ପାଇଁ ତୁମ ମୁଣ୍ଡ କାହିଁକି ବଥଉଚି । ତା ପାଇଁ ସରକାର ତୁମକୁ ପଇସା ଦଉ ନାହିଁ ?

 

ଚେକର୍‍ ଅନେଇଥାଏ–ଜଗୁ ତା ସାଙ୍ଗମାନଙ୍କୁ ଧରି ଭିଡ଼ ଭିତରେ ହଜିଗଲା । ଗାଡ଼ିରେ ଚଢ଼ୁ ଚଢ଼ୁ ଗାଡ଼ିର ସିଟି ବାଜି ଉଠିଲା । ଲାଲବତୀ ନୀଳ ହୋଇ ଗାଡ଼ିକୁ ଛାଡ଼ିବାର ସଂକେତ ଦେଲା-। ଗାଡ଼ିରେ ବନ୍ଧୁଙ୍କୁ ଛାଡ଼ିବାପାଇଁ ଆସିଥିବା ଲୋକେ ତରତର ହୋଇ ଓହ୍ଲେଇ ପଡ଼ିଲେ–ଗାଡ଼ି ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲା ।

 

ଜଗୁର ସାଙ୍ଗମାନେ ଓହ୍ଲେଇ ପଡ଼ିଲେ–ଆଉ ସମସ୍ତେ ସାଙ୍ଗ ସାଥୀଙ୍କୁ ଅନାଇ ରହିଲା ପରି ଅନାଇ ରହିଲେ–ଆଉ ପାଟି କରି କହିଲେ, ଚିଠି ଦବ.....ନିଶ୍ଚେ...ଭୁଲିବ ନାହିଁ....ଗାଡ଼ିର ଗତି ପ୍ରଖର ହେଲା... ଧୀରେ ଧୀରେ ସମସ୍ତେ ଗାଡ଼ିଆଡ଼ୁ ମୁହଁ ଫେରାଇ ଘର ଆଡ଼କୁ ମୁହଁ କଲେ ।

 

ଜଗୁ ଗାଡ଼ି ଭିତରେ କୌଣସି ପ୍ରକାରେ ଏଠି ସେଠି ପଡ଼ିଥିବା ନିଜର ଜିନିଷତକ ଏକାଠି କରି ଠିଆ ହେଲା । ଚାରିଆଡ଼କୁ ଅନାଇ ଅନାଇ ଦେଖିଲା–କାଳେ କେଉଁଠି ଟିକିଏ ବସିବା ପାଇଁ ଥାନ ଥିବ । କାଇଁ ?

 

ଭାବିଲା, ଏଇଥିପାଇଁ ଲୋକେ ଚାରିଅଣା ଆଠଅଣାକୁ ନ ଅନାଇ ହାତଗୁଞ୍ଜା ଦେଇ ଚାଲିଆସନ୍ତି । ହକ୍‌ କଥାରେ ତ ସେ ଜିଣିଲା, ହେଲେ ଏଠାରେ ତା’ର ହାର ହେଲା । ଫେର୍‍ ଭାବିଲା, ହାରିଲା କ’ଣ ? ଅନ୍ୟାୟ ସାଙ୍ଗରେ ଲଢ଼ିବା ତ ମନୁଷ୍ୟର ଧର୍ମ । ହାରିବା ଜିଣିବାରେ ଗୋଟାଏ ଅଛି କ’ଣ ?

 

ମନ ଭିତରେ ତା’ର କେତେ ପ୍ରଶ୍ନ, କେତେ ଉତ୍ତର, ଏକ ତୁମୁଳ ଯୁଦ୍ଧ; ମନର ଆଉ ଚୈତନ୍ୟର ।

 

ତୁ ଏକୁଟିଆ କ’ଣ କରିବୁ ?

 

କରିବି କ’ଣ ? ଅନ୍ୟାୟ ଅଛି, ନ୍ୟାୟ ଅଛି, ଅନ୍ୟାୟ ସାଙ୍ଗରେ ନ୍ୟାୟର ଲଢ଼େଇ ଇଏ-। ଅନ୍ୟାୟ ସାଙ୍ଗରେ ଲଢ଼ିବା ଲୋକ ଆଙ୍ଗୁଠିରେ ଗଣି ହେଇଯିବେ । ଜାଣିବାବାଲା ତ ଆଉରି କମ୍‌-

 

‘‘ଜିଣି ଜିଣି ଚାରିଅଣା ଜିଣିଗଲୁ । ଏଣେ କ’ଣ ହେଉଚି ଏଇନା ?

 

‘‘ମୁଁ ତ ଚାରିଅଣା ଜିଣିବାପାଇଁ ଲଢ଼ୁନଥିଲି । ମୁଁ ଲଢ଼ୁଥିଲି ଚାରିଅଣା ଦେବା ଅନ୍ୟାୟ ଏଇକଥା ବୁଝେଇ ଦେବି ବୋଲି ।

 

ମନ କହ ଚୈତନ୍ୟ କହ–ସବୁ ନିଜେ ନିଜେ । ନିଜେ ପ୍ରଶ୍ନକର୍ତ୍ତା, ନିଜେ ଉତ୍ତର ଦାତା ହୋଇ ସେ ଯେତେବେଳେ କୃତକର୍ମର ସମୀକ୍ଷା କରୁଥିଲା ତା’ର ବସିବାର ସମସ୍ୟା ତାକୁ ବାଧ୍ୟକଲା କେଉଁଠି ଟିକିଏ ଥାନ ଖୋଜି ଗୋଡ଼ ଦିଇଟାର କଷ୍ଟ ଦୂର କରିବାକୁ ।

 

ବସାରୁ ସେ ଷ୍ଟେସନକୁ ପ୍ରାୟ ଚାରି ମାଇଲି ଚାଲି ଚାଲି ଆସିଚି । ଷ୍ଟେସନରେ ଠିଆ ଠିଆରେ ଘଣ୍ଟାଏ କଟିଲା–ଠିଆ ହୋଇ ହୋଇ ଫେର୍‍ କେତେବାଟ ଯିବ କିଏ କହିବ ? ଦେଖିଲା ଗୋଟିଏ ବେଞ୍ଚରେ ପାଞ୍ଚଜଣ ବସିଛନ୍ତି । ଇଞ୍ଚେ ବୋଲି ଥାନ ଖାଲି ନାହିଁ । ଯଦି ପ୍ରତ୍ୟେକ ଲୋକ ନିଜ ନିଜ ଭାଗରୁ ଦୁଇ ଦୁଇ ଇଞ୍ଚ କରି ଛାଡ଼ି ଦିଅନ୍ତି ତେବେ ଦଶଇଞ୍ଚ ଥାନ ବାହାରି ପଡ଼ିବ । ଚେଷ୍ଟାକଲେ କ’ଣ ନହୁଏ ? କଥା ହେଲା କାହାକୁ କହିବ ? ଏଠିତ ଖାଲି ନିଜ ପ୍ରଦେଶର ଲୋକ ବସି ନାହାନ୍ତି, ଏଠିତ ସାରା ଭାରତ ବସିଚି । ସେଠେଇ ଜଣକୁ ଲାଗି ପଞ୍ଜାବର ଦି’ଜଣ ଶିଖ ବସିଛନ୍ତି, ଖୁବ୍‌ ଆଡାରେ । ଆଉ କିଏ ବସିଲା ନ ବସିଲା ତା ପାଇଁ ତାଙ୍କର ଚିନ୍ତା ନାହିଁ । ତାଙ୍କ ପାଖକୁ ବସିଚି ଗୋଟିଏ ଓଡ଼ିଆ ଚୁପ୍‌ ଚାପ୍ । ତାକୁ ଦେଖିଲେ ଓଡ଼ିଆ ଇତିହାସ ଜାଣିବା ଲୋକେ କହିବେ ଇତିହାସ ଭୁଲ, ନ ହେଲେ ସେ ଜଣକ ଓଡ଼ିଆ ନୁହଁ । ଯେଉଁ ଓଡ଼ିଶାର ମନ୍ଦିର, କଳାକୃତି ପାଟି କରି କରି ଓଡ଼ିଶାର ଗୌରବମୟ ଅତୀତର ଗାନ କରୁଛନ୍ତି ସେଇ ଓଡ଼ିଶାର ଏ ଜଣେ ପ୍ରତିନିଧି ! ନା ଦେହରେ ବଳ ଅଛି ନା ପକେଟରେ । ଜଣାପଡ଼ୁଥିଲା ଯେମିତି ବିନା ଟିକଟବାଲା ଯାତ୍ରୀ । ତା ପାଖକୁ ଲାଗି ଦୁଇଜଣ ତେଲେଙ୍ଗା ବସିଛନ୍ତି । କିଛି ନ ହେଲେ ମଧ୍ୟ ମନରେ ବଳ ଅଛି; ଯାହା ହେବାର ପଛେ ହେବ ଲଢ଼ିଯିବା ।

 

ଥାନ ଟିକିଏ କାହାକୁ ମାଗିବ ? ସମସ୍ତଙ୍କୁ ଅବା କହିବ । କିନ୍ତୁ ଦବ କିଏ ? ଭାବିଲା ଯେଉଁ ଲୋକେ ବେଶି ଆରାମରେ ବସିଛନ୍ତି ତାଙ୍କୁଇ ମାଗିଲେ ହେବ । ହେଲେ ଆରାମରେ ରହିବାବାଲା ଫେର୍‍ କେବେ କିଛି କାହାକୁ ଦିଅନ୍ତି ? ସେମାନେ ଅନ୍ୟର ଦୁଃଖ ବୁଝିବେ ବା କେମିତି ? ତେବେ କ’ଣ ଯାହାଙ୍କ ପାଖରେ ଟିକିଏ ଅଛି ତାଙ୍କୁ ମାଗିବ ? ସେ ବିଚରା ଦେବେ କ’ଣ ? ତେବେ ମଧ୍ୟ ବିନୋବା ମାଗୁଛନ୍ତି । ହଁ ଏକଥା ସତ ଯେ କିଛି ନ ଥିଲା ବାଲାଙ୍କଠାରୁ ‘କିଛିଥିଲା’ ବାଲାଙ୍କ ଅବସ୍ଥା ଭଲ । ତେବେ କଥା ହେଲା ସେଇ ‘କିଛି’ ଟିକକ ଦେଇ ଦେଲେ ତାଙ୍କ ପାଖରେ ରହିବ କ’ଣ ?

 

ଭାବୁ ଭାବୁ ସେ ଯାଇ ପହଞ୍ଚିଗଲା ସେଇ ତେଲଙ୍ଗା ଦି’ଜଣଙ୍କ ପାଖରେ । କହିଲା, ଭାଇ, ଟିକିଏ ଥାନ ଦେବ ? ବହୁତ ବାଟ ଯିବାକୁ ଅଛି । ସେ ଦି’ଜଣ ନିଜ ଭାଷାରେ କ’ଣ ଗଡ଼ ଗଡ଼ ହେଲେ । ଆଉ ତାଙ୍କ ଅଭିନୟଦ୍ୱାରା ପ୍ରକାଶ କଲେ, ଯେମିତି ସେମାନେ ପଚାରୁଛନ୍ତି ‘‘କ’ଣ ମୁଣ୍ଡ ଉପରେ ବସିବୁ ?’’

 

ଜଗୁ ସେଠୁ ଗଲା–ନିଜ ପ୍ରଦେଶର ଲୋକଟିକୁ ପଚାରିବାକୁ ।

 

ସେ ଏକୁ ଦେଖୁ ଦେଖୁ ଲାଙ୍ଗୁଡ଼ରେ ଠିଆ । କହିଲା–ଦେଖୁଛୁ କାଠ ପୋଛୁଚୁ ଚନ୍ଦନ ! ମୋର ତ ନିଜେ ବସିବା କଷ୍ଟ ଆଉ ତୋ ପାଇଁ କ’ଣ ଦେବି ? କୁଆଡ଼ିକି ଘୁଞ୍ଚିବି କହ ? କାଣୀ ବିରାଡ଼ିର ଛୋଟୀ ଅସରପା ଉପରେ ରାଗ ଭଳି ସେ ତା’ର ଗୁମୁରୁଥିବା ଅସନ୍ତୋଷଯାକ ଇଆରି ପାଖରେ ପ୍ରକାଶ କଲା ।

 

ଜଗୁ ଆଉ ଟିକିଏ ପାଦ ବଢ଼ାଇ ଆଗକୁ ଗଲା । ବାକୀ ଅଛନ୍ତି ଦି’ଜଣ ଯାହାଙ୍କ ପାଖରେ କିଛ ଅଛି । କିନ୍ତୁ କଅଣ ସେମାନେ ଦେବେ ? ହ-ମାଗିବାରେ କଅଣ ଅଛି ? ଗଲା । କହିଲା–ଆପଣମାନେ ଟିକିଏ ଟିକିଏ ଘୁଞ୍ଚି ଯାଆନ୍ତେ କି କିଛି ଥାନ ବାହାରି ପଡ଼ନ୍ତା । ମୁଁ ଟିକିଏ ବସି ଯାଆନ୍ତି । ଉତ୍ତର ଆସିଲା–କ’ଣ ଚେତା ଚୈତନ୍ୟ ଅଛିଟି ? ଆରେ ଦେଖୁନୁ ? ଚାରିଜଣଙ୍କ ପାଇଁ ଏ ଥାନ । ଗଣି ଦେଖିଲୁ ? କେତେ ଜଣ ବସିଛନ୍ତି ? ଭାରି ଆସି ଗଲେ ବସିବା ବାଲା ।

 

ଜଗୁ ଜବାବ ଶୁଣି କାଠ ପରି ଠିଆ ହୋଇଗଲା । ମନ ହେଉଥିଲା ଦି’ପଦ ଭଲ କରି ଶୁଣାଇ ଦିଅନ୍ତା । ଆରେ ହେ, ତୁମେ ଦି’ଟାତ ମହିରାବଣ ପରି ତିନିଭାଗ ଭୂଇଁ ମାଡ଼ି ବସିଚ, କଥା କଅଣ କହୁଚ ? କେଡ଼େ ସ୍ୱାର୍ଥପରରେ ତୁମେ ? ଭାବିଚ ବଳରେ ସବୁ ମାରି ନବ ? ବଳ ବି କେଉଁଠି କେଉଁଠି କାମ ଦିଏ ନାହିଁ । ବଳପାଇଁ ବଡ଼ ବଳ ଅଛି । ନ ହେଲେ ତୁମେ ସବୁ ପାକିସ୍ତାନ ଛାଡ଼ି ପଳେଇ ଆସି ଥାଆନ୍ତ କାହିଁକି ?

 

ହେଲେ ଏସବୁ କହିବ କେମିତି ? ଯେତେବେଳେ ତ ନିଜ ଦେଶର ଲୋକ ! ଆଉମଧ୍ୟ କହି ପାରିଥାଆନ୍ତା–ତୁମେ ତ ପାଠୁଆ ପରି ଜଣା ପଡ଼ୁଚ ! ଏଥିରେ ମଧ୍ୟ ପରର ଦୁଃଖ ଦୂର କରିବାକୁ ଟିକିଏ ହେଲେ ମନ ନାହିଁ । ଆଜି ଭାରତରେ ଅଶାନ୍ତି ଆଉ କାହିଁକି ? ତୁମରି ଭଳିଆ ସ୍ୱାର୍ଥପରଙ୍କ ଲାଗି । ଜିଭ ଖଲ ଖଲ ହେଲା କହିବ ବୋଲି । ମନେପଡ଼ିଲା, ବଡ଼ ବଡ଼ ମହାତ୍ମାଙ୍କ ବାଣୀ । ମନେପଡ଼ିଲା ପୁରାଣ କଥା । ଅସୁରଯାକ ଜମା ମାନୁ ନାହାନ୍ତି । ଦେହରେ ବଳ ଅଛି ବୋଲି ଅଡ଼ି ବସିଛନ୍ତି । ଚାରିଆଡ଼େ ଅଶାନ୍ତି, ଅସନ୍ତୋଷ । ସେଡ଼େ, ବିଷ୍ଣୁ ମୋହିନୀରୂପ ଧରି ଆସିଲେ । ସେ ରୂପ ଦେଖି ସମସ୍ତେ ମୁଗ୍‌ଧ । ତା ପରେ ଯେମିତି ଚାହିଁଲେ ସେମିତି କରିଗଲେ । ଏତେବେଳେ ଭାଷାକୁ ମୋହିନୀରୂପ ଧରି ବାହାରିବାକୁ ପଡ଼ିବ । ତେବେ ଯାଇ ଏମାନଙ୍କ ଦାନବ ପ୍ରକୃତିର ଉଗ୍ରତା ସ୍ଥିର ହେବ । ବଳ ନାହିଁ ତ ଛଳରେ କାମ ନେବା କଥା । ପୁରାଣ କହିଚି, ଶାସ୍ତ୍ର କହିଚି–ତା କଥା ଏଇଠି କାମରେ ନ ଲଗାଇଲେ ଆଉ ଲଗାଇବ କେଉଁଠି ?

 

କହିଲା–ଆଜ୍ଞା, ଆପଣଙ୍କ ପାଖରେ ଗୋଟିଏ ଗୁହାରୀ ଅଛି । ଥାନ ତ କମ୍‌ ଏକଥା ମୁଁ ବୁଝୁଚି । ଆପଣମାନଙ୍କୁ ବସିବାକୁ ଯେ କଷ୍ଟ ହେଉଚି ଏକଥା ମଧ୍ୟ ବୁଝା ପଡ଼ୁଚି । ଆଉ ଦେଖନ୍ତୁ, ଏଇ ତିନିଜଣ ଯେ ବସିଛନ୍ତି ସେମାନଙ୍କ ରଙ୍ଗ ଢଙ୍ଗ କହୁଚି ସେମାନେ ମୂର୍ଖ । ସେଇଠି ଆପଣମାନେ ପଢ଼ାଲେଖା ଭଦ୍ରବ୍ୟକ୍ତି; ଏକଥା ଯିଏ ଦେଖିବ ସିଏ କହିବ । ଆପଣ ଆଉ ସେମାନଙ୍କ ଭିତରେ ତଫାତ ତ ନିଶ୍ଚେ ରହିଚି ? କ’ଣ କହୁଛନ୍ତି ? ତେବେ ଏମାନଙ୍କଠାରୁ ପାଞ୍ଚପଦ ଶୁଣି ସାରିଲା ପରେ ଆପଣଙ୍କୁ ଆଉ ଥାନ ଟିକିଏ ମାଗିବାକୁ ଗଲି କାହିଁକି ? ଆପଣମାନେ ଶିକ୍ଷିତ । ଆପଣମାନଙ୍କଠାରୁ ଥାନ ଟିକିଏ ନ ପାଇଲେ ମଧ୍ୟ ଭଲ ବ୍ୟବହାର ଟିକିଏ ପାଇବି ବୋଲି ତ ଆଶା ରଖିଚି ।

 

ଭାଷାର ମୋହିନୀରୂପ ମନ୍ତ୍ର ପରି କାମ କଲା । ସେମାନେ କହିଲେ, ଆରେ ବସ୍‌ ବସ୍, ଏତେ ନାରାଜ ହେଲେ ଚଳିବ ? କେଉଁ ଯାଁ ଯିବ ?

 

କହି କହି ସେମାନେ ଟିକିଏ ଜାକି ଜାକି ହୋଇ ବସି ଥାନ କରିଦେଲେ । ଜଗୁ କହିଲା–ନାହିଁ ନାହିଁ ଆପଣମାନେ ବସନ୍ତୁ । ମୋତେ ତ କଷ୍ଟ ହଉଚି ହେବ; ତହିଁରେ ଆପଣମାନଙ୍କୁ କାହିଁକି କଷ୍ଟ ଦେବି ? ମୁଁ ଜାଣେ ପରା, ଭଦ୍ରଲୋକ ଯିଏ ସିଏ ସିନା ଭଦ୍ର ବ୍ୟବହାର କରିବ, ମୂର୍ଖଲୋକ କରିବେ ? ବସନ୍ତୁ ବସନ୍ତୁ । ମୋ ପାଇଁ ଚିନ୍ତା କରନ୍ତୁ ନାହିଁ । ସହାନୁଭୂତି ଦେଖାଇଲେ ସେଇ ଯଥେଷ୍ଟ ।

 

ସେ ଦୁଇଜଣ ଏଥର ଉଠି ଠିଆ । କହିଲେ....ନାଇଁ ଭାଇ ବସିଯା । କଷ୍ଟ ଜଣେ କାହିଁକି ସହିବ ! ସହିବା ତ ସମସ୍ତେ ସହିବା । ଦେଖୁନା ଲେଖା ହେଇଚି ଅଠୋଇଶ ଜଣ ବସିବେ ଆଉ ବସିଛନ୍ତି ଅଠାଅଶୀ । ଜଗୁ କହିଲା–କାହିଁକି ଆଉ ପଚାରୁଛନ୍ତି ? ଏ ଡବା ଯେବେ ତିଆରି ହେଲା ଆଉ ଏଥିରେ ଏସବୁ ଲେଖା ହେଲା ସେତେବେଳେ କେହି ଭାବି ନ ଥିଲେ ଯେ ଭାରତର ଲୋକସଂଖ୍ୟା ବଢ଼ି ବଢ଼ି ଏତେ ହୋଇଯିବ । ହଉ ଯେମିତି ହେଲେ ଚଳେଇ ନେବା । ଡବା ଛୋଟକୁ ଲୋକ ଏତେ । ଆପଣ ଗୋଟିଏ ଗପ ଜାଣନ୍ତି ? ଗୋଟିଏ ବୁଢ଼ା ଯାଇଥିଲା ଜଙ୍ଗଲକୁ । ଫେରିବାବେଳେ ତା ହାତରୁ ତା ହାତ ମୋଜାଟି ଖସି ପଡ଼ିଲା । ତାକୁ ଆଗ ଦେଖିଲା ମୂଷା । ସେ ତହିଁରେ ଘରକରି ରହିଲା । ତା ପରେ ଆସିଲା ବେଙ୍ଗ, ତା ପଛକୁ କୋକିଶିଆଳୀ, ସେଠଉ ବାର୍‌ହା–ଏତକ ତହିଁରେ ଘରକରି ରହିଲେ । ଫେର୍‍ ଥାନ ବଳିଲା ଯେ ଶେଷକୁ ଗୋଟିଏ ଭାଲୁ ଆସି ରହିଲା । ସମସ୍ତେ ଅଲଗା ଅଲଗା; ଜାତି ଅଲଗା, ଆକାର ଅଲଗା, ସ୍ୱଭାବ ଅଲଗା, ତହିଁରେ ଫେର୍‍ ଏକାଠି ରହିଲେ ସେଇ ଚାଖଣ୍ଡକ ଥାନରେ । ଗାଡ଼ି ଏକଥା ଆମକୁ ଶିଖଉଚି । ଆମେ ଏମିତି ଏକାଠି ରହିବା ଶିଖିଗଲେ ଜାଗା ପାଇଁ କିଛି ଅଡ଼ୁଆ ପଡ଼ିବ ନାହିଁ ।

 

ପଞ୍ଜାବୀରୁ ଜଣେ ଏକଥା ଶୁଣି କହିଲା–ଖାସା ଲୋକଟିଏ ତୁ ଭାଇ ।

 

ଆର ପଞ୍ଚାବୀ କହିଲା–କ୍ଷମା କରିବ ଭାଇ । ତୁମେ ତ ବେଶ୍‌ ମଜାଦାର ଲୋକ । ଏତେ କଷ୍ଟରେ ଫେର୍‍ ତୁମେ ହସଉଚ ।

 

ଜଗୁ କହିଲା–ଗେଲ କଥା ନୁହେଁ । ଦେଖୁ ନାହାନ୍ତି । ପନ୍ଦରବର୍ଷ ଭିତରେ ଆମେ ଏତେ ବଢ଼ିଗଲୁଣି ଯେ ଆମକୁ ଏଥର କେମିତି ଜିଇବା ସେକଥା ଶିଖିବାକୁ ପଡ଼ିବ । ଆରାମ ଭୁଲିବା କଷ୍ଟ ସହିବା, ଏକାଠି ରହିବା, ଯାହା ମିଳିବ ତାକୁ ବାଣ୍ଟିକୁଣ୍ଟି ଖାଇବା, ଛୋଟିଆ ଥାନରେ ରହିବା ଫେର୍‍ ମିଳିମିଶି ରହିବା । ତେବେ ସିନା ଶାନ୍ତି, ନ ହେଲେ ଦ୍ୱନ୍ଦ୍ୱ, ଯୁଦ୍ଧ, ହାଣକାଟ ସବୁ ଆସି ମୁଣ୍ଡରେ ନଦିହୋଇ ଯିବେ ।

 

ୟା’ ଭିତରେ ସେ ଦି’ଜଣ ପଞ୍ଜାବୀ ଜଗୁ ପାଇଁ ଟିକିଏ ଟିକିଏ ଥାନ ଛାଡ଼ି ଦେଇଥାଆନ୍ତି-। ଲାଗୁଚି ଜଗୁ କଥାକୁ ବୁଝି ତାକୁ ପାଳନ କରିବାକୁ ଯାଇଛନ୍ତି । ବାସ୍‌, ସେଇ ଡବା ଭିତରେ ଯିଏ ଯେଉଁଠି ଆରାମ କରିବେ ବୋଲି ଟିକିଏ ଥାନ ଆବୋରି ଥିଲେ ଧୀରେ ଧୀରେ ପାଖରେ ଠିଆହୋଇ ରହିଥିବା ଲୋକଙ୍କୁ ଡାକି ଡାକି ବସାଇ ଦେଲେ ।

 

ଆଗ ଷ୍ଟେସନରେ ଗାଡ଼ି ରହିଲା । ଲୋକେ ଓହ୍ଲାଇଲେ ଯେତେ ଚଢ଼ିଲେ ତହିଁରୁ ଅଧିକ-। ଦୁଆର ଖୋଲି ଠିଆ ହୋଇଥିବା ଲୋକେ ପାଟିକରି କହୁଥାଆନ୍ତି, ‘‘ଏଥିରେ ଜାଗା କାଇଁ ହେ ? ଆଗରେ ଦେଖ । ବହୁତ ଡବା ଖାଲି ପଡ଼ିଚି ।’’ କିଏ ଶୁଣୁଚି ? ଭିଡ଼ ହୋଇଗଲା ।

 

ଜଗୁ କହିଲା, ଆସନ୍ତୁ, ଆସନ୍ତୁ । ଟିକଟ ଦେବା ଲୋକ ଜାଣିଚି ଗାଡ଼ିରେ ଥାନ ଅଛି । ନ ହେଲେ ଟିକଟ ବିକ୍ରି ହୁଅନ୍ତା କାହିଁକି ?’’ ଗାଡ଼ି ଚାଲିଲା । କେତେକ ଲୋକ ଚଢ଼ିବେ ବୋଲି ଏପଟ ସେପଟ ଦଉଡ଼ୁ ଦଉଡ଼ୁ ରହିଗଲେ । ଉଠି ପାରିଲେ ନାହିଁ । ଜଗୁର ସେମାନଙ୍କ ପାଇଁ ଭାରି ଦୁଃଖ । ‘‘ଆହା ବିଚରା’’ ଜଗୁ ଭାବିଲା, ‘‘କେତେ ଆଶାରେ ଆସିଥିଲେ ଗାଡ଼ିରେ ଯିବେ ବୋଲି । କାହାର ମା’ ବେମାର, କାହାର ପିଲା ତ କାହାର ସ୍ତ୍ରୀ । ଚଞ୍ଚଳ ସାକ୍ଷାତ ହୋଇ ଯାଇଥାଆନ୍ତା । ଏବେ ଆଉ ଗାଡ଼ି ଆସିବାକୁ ପନ୍ଦର ଘଣ୍ଟା ଡେରି । ଅଟକିବାକୁ ପଡ଼ିବ । କେଜାଣି ଦେଖାହେବ କି ନାହିଁ । ତା ପ୍ରାଣରେ ଦୁଃଖର ଏକ ଗହୀରିଆ ରେଖା ଟାଣି ହୋଇଗଲା । ସେ ଅର୍ଥହୀନ ଦୃଷ୍ଟିରେ ପଛରେ ରହି ଯାଇଥିବା ଲୋକଙ୍କୁ ଦେଖୁଥିଲା । କେତେ ଧାଁ ଦଉଡ଼ । କେତେ ଛଟପଟ । ମନରେ ଖାଲି ଏକ ମିଳନର ଆଶା ସେମାନଙ୍କୁ ନଚାଉଥିଲା ।

 

ପଞ୍ଜାବୀ ଭିତରୁ ଜଣେ କହିଲା–କ’ଣ ଭାବୁଚ ? କଥାବାର୍ତ୍ତା କର । ଏଇନା ତ ବହୁତ ବାଟ ଅଛି ।

 

ଜଗୁ ବାହାର ଆଡ଼ୁ ମୁହଁ ବୁଲାଇ ଆଣି ପଞ୍ଚାବୀକୁ ଦେଖିଲା । କହିଲା–ହଁ କଥାବାର୍ତ୍ତା କରିବା, ନ ହେଲେ କ’ଣ ବେଳ କଟିବ ? ଆପଣଙ୍କ ନା’କଣ ?

 

ପଞ୍ଚାବୀ ଜଣକ ଉତ୍ତର ଦେଲା–ରତନ ସିଂ ।

 

ଅନ୍ୟ ଜଣକୁ ଲକ୍ଷ୍ୟ କରି ଜଗୁ ପଚାରିଲା–ଆଉ ଆପଣ ?

 

ସେ ଜଣକ କହିଲା–ମୋତେ କହନ୍ତି ବଚନ ସିଂ । ଆଉ ତୁମ ନାଁ ?

 

ମୋ ନାଁ ଜଗୁ । ନାଁ ତ ଜଗନ୍ନାଥ, ହେଲେ ଏଡ଼ ବଡ଼ ନାଁଟା ଡାକିବ କିଏ ?

 

କାଇଁକି ? କ’ଣ ହେଲା ? ବଚନ ସିଂ ପଚାରିଲା ।

 

ଜଗୁ ଉତ୍ତର ଦେଲା–ହବ କଅଣ ? ଦି’ଟା ଅକ୍ଷରରେ କାମ ଚଳିଯିବ ତ ଚାରିଟା ପାଇଁ ଏତେ କିଏ କାହିଁକି ଜିଭକୁ କଷ୍ଟ ଦେବ ? ଫଳ ବା କଅଣ ?

 

ବଚନ ସିଂ କହିଲା–ଆରେ ନାଇଁ, ଆମେ ଜଗନ୍ନାଥ କହିବୁ । ଆଚ୍ଛା, ତୁମ ପୁରୀରେ ପରା ଜଗନ୍ନାଥଜୀଙ୍କ ମନ୍ଦିର ?

 

ରତନ ସିଂ କହିଲା–ହଁ, ହଁ ମୁଁ ଶୁଣିଚି, ତାଙ୍କର ହାତ ଅଧା ଅଧା, ଗୋଡ଼ ନାଇଁ । କଥା କ’ଣ ?

 

ଜଗୁ କହିଲା–ଆଚ୍ଛା, ତୁମକୁ ଏକଥା କେହି କହି ନାହିଁ ଯେ ତାଙ୍କର କାନ ବି ନାହିଁ ?

 

ରତନ ସିଂ କହିଲା–ନାଇଁ ତ ? ତବେ ତ ବଡ଼ ବିଚିତ୍ର ରୂପଟିଏ ହୋଇଥିବ ।

 

ଜଗୁ କହିଲା–ଠିକ୍ । ଜଗନ୍ନାଥରୁ ଜଗୁ ଭଳିଆ କଥା । ଅଳପକେ ଯଦି ଚଳିଯିବ ପୂରା ନାଁରୁ ମିଳିବ କ’ଣ ? ମୂଳ କଥା ହେଲା, ଜଗନ୍ନାଥଙ୍କୁ ଗଢ଼ିଲାବାଲା କାରିଗର ଭାବିଥିବ ଭଗବାନ ଏ ସଂସାରରୁ କିଛି ନେବେ ନା ଦେବେ ? ତେବେ ତାଙ୍କ ହାତରେ ପାପୁଲି ଦେଇ ଲାଭ କ’ଣ । କଳିଯୁଗରେ ତ ଭଗବାନ କାହାରି କଥା ଶୁଣନ୍ତି ନାହିଁ, ତେବେ ତାଙ୍କର କାନ ଦେଇ କ’ଣ ହବ ?

 

କଅଣ ? ଭଗବାନ କାହାରି କଥା ଶୁଣନ୍ତି ନାହିଁ ? ଜଣେ କିଏ ପଚାରିଲା ।

 

ଜଗୁ କହିଲା–ମିଛ କହିଲି ? ଦେଖୁନା ? ଗୋଟିଏ ଛୋଟ କଥାରୁ ବୁଝ । ଏଠେଇ ଆମେ ଯେତେ ଲୋକ ଅଛେଁ, ସମସ୍ତେ ଘରୁ ବାହାରିଲା ବେଳେ କହିଥିବା, ହେ ଭଗବାନ ! ଗାଡ଼ିରେ ବସିବାକୁ ଯେମିତି ଟିକିଏ ଥାନ ମିଳିଯିବ । ଯଦି ଭଗବାନ ଶୁଣୁ ଥାଆନ୍ତେ ତେବେ କ’ଣ ସମସ୍ତଙ୍କୁ ବସିବାକୁ ଥାନ ମିଳି ନ ଥାନ୍ତା ? ଏ ଡିବାରେ ଏମିତି ମଧ୍ୟ ଲୋକ ଥିବେ ଯେ କି ଖାଲି ହାତରେ ଘରକୁ ଫେରୁଥିବେ । ଅଧଲାଟାଏ ହେଲେ ରୋଜଗାର କରିପାରି ନ ଥିବେ । ପଚାର, ସେ ଯେଉଁଦିନ ଘରୁ ବାହାରିଥିଲେ ଭଗବାନଙ୍କୁ ମୁଣ୍ଡିଆ ମାରି କହିଥିଲେ କି ନାହିଁ ଭଗବାନ ମୋତେ ଚାକିରିଟିଏ ଯେଉଁଠୁ ଯେମିତି ଜୁଟେଇ ଦବ । ଖାଲି ହାତରେ ମୁଁ ଯେମିତି ଘରକୁ ଫେରି ମୁହଁ ନ ଦେଖାଏ । ଭାବିଲ ଦେଖି ଯଦି ଭଗବାନ ଶୁଣୁ ଥାଆନ୍ତେ....‘‘ମୁଁ ଶୁଣିକରି କ’ଣ କରିବି ?’’ ଏଡ଼େ ପାଟିରେ ଜଗୁର କଥା ଠକ୍‍ କରି ବନ୍ଦ ହୋଇଗଲା–ଖୁବ୍‌ ଗୋଟାଏ ଚିଡ୍‌ଚିଡ଼ା ପାଟିରେ ଟି.ଟି.ଆଇ. କାହାକୁ କହି ଉଠିଲା । ସମସ୍ତଙ୍କ କାନ ସେଇ ଆଡ଼କୁ ।

 

କାଢ଼, ଷୋଳ ଟଙ୍କା ପଚାଶ ପଇସା ।

 

ଜଗୁ କହିଲା–ଦେଖୁଚ, ବିଚରା ଗାଡ଼ି ଚଢ଼ିବା ଆଗରୁ ନିଶ୍ଚେ ଭାବିଥିବ ଯେ କେଉଁଠି ହେଲେ ଧରାପଡ଼ିବ । ଟିକଟ ତ କରିପାରି ନାହିଁ । ଭଗବାନଙ୍କୁ ଡାକିଥିବ–ହେ ଭଗବାନ ମୋ ଯାତ୍ରା ଶୁଭ ହେଉ । କିନ୍ତୁ ହେଲା କ’ଣ ? ଭଗବାନଙ୍କର କାନ ଥିଲେ କ’ଣ....

 

କଥାରେ ବାଧା ପକାଇ ଜଣେ କିଏ କହିଲା–ଆରେ ଭାଇ, ଭଗବାନଙ୍କୁ ନିନ୍ଦା କରୁଚୁ ? ଏତକ କହି କୃଷ୍ଣ କୃଷ୍ଣ-କୃଷ୍ଣ-କୃଷ୍ଣ ଉଚ୍ଚାରଣ କରି ଭଗବାନଙ୍କର ନିନ୍ଦାଶୁଣି ଯେଉଁ ପାପ ହେଲା ତାକୁ ଭଗବାନଙ୍କ ନାମ ନେଇ ଧୋଇ ପକାଇବାର ଚେଷ୍ଟା କରି ଲାଗିଲା ।

 

ଜଗୁ ଟିକିଏ ଚୁପ୍‌ ହୋଇ ପୁଣି ଆରମ୍ଭ କଲା–ବିଚରାର ଚିଠି ଆସିଥିବ ଅମୁକ ବେମାର ଅଛି । ହୋଇପାରେ ନିଜର ମା’–କି ହେଲେ ସ୍ତ୍ରୀ, କି ବାପା, କି ପୁଅଝିଅ । ଆସିଲାବେଳେ ପୁଅଝିଅଙ୍କୁ କହିଆସିଥିବ–ସୁନ୍ଦର ସୁନ୍ଦର ଖେଳନା ଆଣିବି, ବଢ଼ିଆ କୁରୁତା–ଆଉ କଲିକତୀ ମିଠେଇ ଆଣବି କିନ୍ତୁ ଦେଖ ବିଚରା କି ଅବସ୍ଥାରେ ପଡ଼ିଚି !

 

ଜଗୁ ସମସ୍ତଙ୍କ ମୁହଁକୁ ଅନାଇଲା । ତା କଥାଟା ଯେପରି ସମସ୍ତଙ୍କ ମନକୁ ବସାଇ ଦେଇଚି । ସରଦାର୍‍ ଭିତରୁ ଜଣକର ଆଖିରେ ଲୁହ ଭରିଯାଇଚି । ସେ ବୁଝି ପାରିଲା ନାହିଁ, ଆଘାତ କେଉଁଠି ଲାଗିଲା । ପଚାରିବାକୁ ତା’ର ସାହସ ହେଲା ନାହିଁ ।

 

ଜଣେ କହିଲା, ଜଗୁଭାଇ ଠିକ୍‌ କହିଚ–ଭଗବାନ ଶୁଣନ୍ତି ନାହିଁ, ଯିଏ ତା’ର କାନ କି ହାତ ତିଆରି କରିନାହିଁ ସେ ଠିକ୍‌ କରିଚି ।

 

କୃଷ୍ଣ, କୃଷ୍ଣ କେତେଥର ଉଚ୍ଚାରଣ କରି ଫେର୍‍ ସେଇ ବୁଢ଼ା କହିଲା–କଥାଟା ପସନ୍ଦ ଆସିଗଲା କି ? ଯେତେ ସବୁ ପାପୀ ଏକାଠି ହୋଇଛନ୍ତି । କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ।

 

ତା କଥା ପ୍ରତି କାହାରି ଦୃଷ୍ଟି ନାହିଁ ।

 

ରତନ ସିଂ ଆରମ୍ଭ କଲେ–ମୁସଲମାନ ଉପଦ୍ରବ ବେଳର କଥା କହିଲେ–

 

ମୁସଲମାନମାନେ ଆମକୁ ସବୁ ମାରିବେ ବୋଲି ହାତହତିଆର ସଜିଲ କଲେ । ଦଳବାନ୍ଧି ଚଢ଼ଉ କରିବେ ବୋଲି ବିଚାର କଲେ । ଏକଥା ଆମେ ଜାଣିପାରି ରାତି ରାତି ପଳାଇ ଆସିଲୁ । ଆମେ ଦୁହେଁ ଗୋଟିଏ ଗାଁର । ଯାହା ହେବାର ହେବ ଦେଖାଯିବ । ଭଗବାନଙ୍କ ନାଁ ଧରି ପିଲାପିଲିଙ୍କୁ ସାଙ୍ଗରେ ନେଇ ବାହାରି ପଡ଼ିଲୁ । ନିଜପାଇଁ ତ ଡର ନ ଥାଏ, ଡର ଥାଏ ପିଲାମାନଙ୍କ ପାଇଁ । କିନ୍ତୁ ଭଗବାନ ଆମ ଡାକ ଶୁଣିଲେ ନାହିଁ ।

 

ଜଗୁ ପଚାରିଲା–ସେଠଉ ?

 

ରତନ ସିଂ–ଆଉ ସେଠଉ କ’ଣ ?

 

ସେ ଆଉ କିଛି କହିପାରିଲେ ନାହିଁ । ଆଖିର ପାଣି ଗାଲ ଉପରକୁ ଗଡ଼ି ଆସି ଦାଢ଼ି ଭିତରେ ହଜିଗଲା ।

 

ବଚନ ସିଂ ସାନ୍ତ୍ୱନା ଦେଇ କହିଲେ–କାଇଁକି ଆଉ କାନ୍ଦୁଚ ଭାଇ ! ଲାଭ କ’ଣ ? ଯାହା ହେବାର ଥିଲା ହେଲା ।

 

ଜାଣିଚି କିଛି ଲାଭ ନାହିଁ–ରତନ ସିଂ ରୁଦ୍ଧକଣ୍ଠରେ ଜବାବ ଦେଲେ ।

 

ତା ପରେ ଲୁହ ପୋଛି, ନାକ ଟିକିଏ ସୁଡ୍‌ ସୁଡ୍‌ କରି କହିଲେ–କିନ୍ତୁ ଭୁଲିବି କେମିତି ।

 

ମୁହଁରେ ଏକ ଅତୀତର ଘଟଣାକୁ ପ୍ରତ୍ୟକ୍ଷରେ ଦେଖିଲା ଭଳି ଭାବ ଫୁଟାଇ ସେ କିଛିକ୍ଷଣ ଅନାଇ ରହିଲେ, ତା ପରେ କହିଲେ–ଶୁଣ ଜଗୁ, ମୋ ଝିଅଟି ଏଡ଼େ ସୁନ୍ଦର ହୋଇଥିଲା ! କ’ଣ କହିବି ? ହସିଲେ, ଯାହା କହନ୍ତି ମୁକୁତା ଝରୁଥିଲା; ଠିକ୍‌ ତା ମା ଭଳିଆ, ମୁହଁ, ନାକ, କଥାବାର୍ତ୍ତା ସବୁ । ପାଞ୍ଚବର୍ଷ ଦିନରୁ ମାକୁ ଖାଇ ବସିଥିଲା । କାଳେ ପିଲାଟିକୁ କିଏ ହତାଦର କରିବ ତା ପାଇଁ ମୁଁ ଆଉ ବାହା ହେଲି ନାହିଁ । କେତେ ପ୍ରସ୍ତାବ ଆସିଲା । ସବୁ ଟାଳି ଟାଳି ଗଲି । ସେ ବଡ଼ ହେଲା–ବିଚାର ଥିଲା ଯେ ଏଙ୍କର ପୁଅ, ଆଉ ମୋ ଝିଅ ବାହାଘର କରିଦେବୁ । ପିଲାଦିନର ସାଥୀ ଆମେ ଦୁହେଁ....ଦୁଇ ସମୁଦୀ ହୋଇଯିବୁ । ସମ୍ବନ୍ଧ ଆଉରି ଟାଣ ହୋଇଯିବ । ହୋଇଗଲା ଟାଣ । ସରଦାର୍‍ଙ୍କର ଆଉ କଣ୍ଠ ଖୋଲିଲା ନାହିଁ.....

 

ବୁଢ଼ା ପାଖରେ ଥାଇ ସବୁ ଶୁଣୁଥିଲା । କହିଲା–କୃଷ୍ଣ କୃଷ୍ଣ, ସବୁ ତୁମରି ମାୟା । କିଏ ପଶିବ ସେ ମାୟାରେ ।

 

ଜଗୁ କହିଲା–ସରଦାର୍‍ଜୀ–କ୍ଷମା କରନ୍ତୁ । ମୁଁ ଏଣୁତେଣୁ କଥା ପକାଇ ମନକୁ ବହୁତ ବାଧାଦେଲି । ଛାଡ଼ନ୍ତୁ ସେ କଥା ।

 

ରତନ ସିଂ କହିଲେ–ନାଇଁ ଭାଇ । ଆଖି ଆଗରେ ସେମାନଙ୍କ ରକ୍ତ ଦେଖି ଏ ଛାତି ବାନ୍ଧି ରହିଛୁ–ଆଉ ଏଇନା ଏମିତି କ’ଣ ହୋଇଗଲା କି ? ଦୁଃଖ ଅନ୍ୟକୁ ଶୁଣାଇଲେ ପ୍ରାଣ ଟିକିଏ ହାଲୁକା ହୋଇଯାଏ । ନ ହେଲେ ଯାହା ଯାଇଚି ତା ଆଉ ଫେରିବ ନାହିଁ ।

 

ଏକ ଭାରି ଭାରି ନିସ୍ତବ୍‌ଧତା । କାହାରି ମୁହଁରେ କଥା ନାହିଁ । ଦୁଇ ସରଦାର୍‍ଙ୍କ ଆଖିରୁ ଲୁହ ଝରି ଲାଗିଚି ।

 

ସେମାନଙ୍କ ମନ ଭୁଲାଇବ ବୋଲି ଜଗୁ ପଚାରିଲା–ଆପଣମାନେ ଇଆଡ଼େ କୁଆଡ଼େ ଯାଉଛନ୍ତି ? ଅସଲ କଥାଟା ନ ପଚାରି ଇଆଡ଼ୁସିଆଡ଼ୁ କଥାଗୁଡ଼ାଏ ପକାଇ ଚାଲିଚି ।

 

ବଚନ ସିଂ କହିଲେ–ତୁମରି ଦେଶକୁ ।

 

କଅଣ କିଛି କାରବାର କରୁଛନ୍ତି ? ଜଗୁ ପ୍ରଶ୍ନ କଲା ।

 

ହଁ–କରିନାହୁଁ–କରିବାକୁ ମନ ଅଛି ।

 

କି ବେପାର ?

 

ଯାହା ମିଳିବ କରିନେବୁ । କାଠ ହେଉ କି ପଥର ହେଉ, ଟ୍ରକ୍‌ ହେଉ କି କନ୍‌ଟ୍ରାକ୍ଟରୀ ହେଉ ।

 

କୃଷ୍ଣ କୃଷ୍ଣ କହି ବୁଢ଼ା ଜଣକ କହି ଉଠିଲା...ତୁମ ମନ ନେଇ କାମ ହେବ ନାହିଁ ବାପ । କହିଚି ପରା–

 

କରି କରାଉ ଥାଇ ମୁହିଁ,

ମୋ ବିନୁ ଅନ୍ୟ ଗତି ନାହିଁ ।

 

କୃଷ୍ଣ କୃଷ୍ଣ । ରାମଚନ୍ଦ୍ର ମହାପ୍ରଭୁ ଭାବି ନ ଥିଲେ କି ରାଜା ହେବେ–ହୋଇ ପାରିଲା ? କଂସ ଭାବି ନ ଥିଲା କି କୃଷ୍ଣକୁ ନିପାତ କରି ନିଶ୍ଚିନ୍ତରେ ଗାଦିରେ ବସିବ–ହୋଇ ପାରିଲା–କାହୁଁ ହେବ ?

 

ତେଣେ ଟି.ଟି.ଆଇ. ଆଉ ବିନା ଟିକଟର ଯାତ୍ରୀ ଭିତରେ ଚାଲିଚି ଟଣାଓଟରା । ଟି.ଟି.ଆଇ. କହୁଚି ପଇସା ନବ....ଯାତ୍ରୀ କହୁଚି କାହୁଁ ଦବ ?

 

ଶେଷକୁ ଟି.ଟି.ଆଇ. କହିଲା–ତୁ ଆଗ ଷ୍ଟେସନରେ ଓହ୍ଲାଇ ଯା । ‘‘ଓହ୍ଲାଇ କରି କ’ଣ କରିବି ବାବୁ ?’’ ଆର୍ତ୍ତସ୍ୱରରେ ଯାତ୍ରୀ କହୁଚି । ଫେର୍‍ ଗୋଟାଏ ଗାଡ଼ି ଧରିବାକୁ ହେବ । ସେଇ ବିନା ଟିକଟ । ଦେଖୁଚ ତ ମୋ ପାଖରେ ଅଧଲାଟାଏ ନାହିଁ । ଘରେ ପହଞ୍ଚିଗଲେ କିଛି ହେଲେ ଦି’ଟା ପେଟରେ ପଡ଼ି ଯାଆନ୍ତା । ଏମିତି ଫେର୍‍ ଆଉ ଦିନଟାଏ ଉପାସ ରହିବାକୁ ପଡ଼ିବ ।’’

 

ଟି.ଟି.ଆଇର ଯୁକ୍ତି ହାର୍‍ ମାନିଲା ପରି ଲାଗିଲା । ଜଣା ପଡ଼ୁଥାଏ–ଗୋଟାଏ ପଟେ ନିଜର କର୍ତ୍ତବ୍ୟ ଯେଉଁଠି ଦୟା ନାହିଁ ମାୟା ନାହିଁ, ଅନ୍ୟ ପଟେ ଦୟା ଆଉ ମାୟାରେ ତିଆରି ଏକ ସାମାଜିକ ସଂସ୍କାର । ଯେ କର୍ତ୍ତବ୍ୟର ଟାଣପଣକୁ ପାଣି ଫଟେଇ ଦଉଚି । ଏଇ ଦୁଇଟିର ମଝିରେ ଠିଆ ହୋଇ ଟି.ଟି.ଆଇ. ନିଜର ବିଚାରବୁଦ୍ଧି ଲଗାଇ ସମାଧାନ ଖୋଜି ଲାଗିଚି । ଖାଲି ଖୋଜୁଚି, ପାଉ ନାହିଁ । ଲାଗୁଥାଏ ନୂଆ ନୂଆ ଚାକିରି କରିଚି । ଛାତି ପଥର ପରି କଠୋର ହୋଇ ନାହିଁ । ନ ହେଲେ କେତେ ଆଗରୁ ତାକୁ ଓହ୍ଲାଇ ଦେଇ ସାରନ୍ତାଣି । କହିଲା–ତେବେ କହ, କ’ଣ କରାଯିବ-?

 

ଯାତ୍ରୀ କହିଲା–ଆପଣଙ୍କ ଇଚ୍ଛା ବାବୁ, ମୋତେ କଅଣ ପଚାରୁଛ ? ଟି.ଟି.ଆଇ. ଅନ୍ୟମାନଙ୍କଠାରୁ ଟିକଟ ଦେଖିବା ଆରମ୍ଭ କରି କହିଲେ ଆଗ ଷ୍ଟେସନରେ ଓହ୍ଲାଇ ଯିବୁ ।

 

ରତନ ସିଂ କହିଲେ–ଜଗୁଭାଇ, କିଛି ମନେ କରିବ ନାହିଁ, ତୁମ ଦେଶର ଲୋକମାନେ ଭାରି ଗରିବ । ଏତେ ଧନ୍ଦା ପଡ଼ିଛି, କାମ କରିବାବାଲାର ଅଭାବ । ଖାଲି କୁଲି ହେବାକୁ ତିଆରି ହୋଇ ଯାଉଛନ୍ତି ।

 

ଜଗୁ ଟିକିଏ ଶୁଖିଲା ହସ ମୁହଁରେ ଫୁଟାଇ ଅନେଇଲା । ହସଟା ଜାତି ନାଁରେ ସାର୍ଟିଫିକେଟ ହାସଲ କରି ନୁହେଁ; ମାନବତାର ଏକ ବିକୃତ ରୂପ ଦେଖି । କହିଲା–ବିଲ୍‍କୁଲ୍‌ ଠିକ୍‌ କଥା କହିଛନ୍ତି । କିନ୍ତୁ ଭାରତରେ ଆଜି ଅମୀର କେତେ ଜଣ ? ଏ ତ କୁଲି ମୂଲିଆର ଦେଶ । ଧନୀମାନୀ ଲୋକେ ଯେତିକି ଯେତିକି ମାନବତା ଭୁଲିବେ ଦେଶରେ ସେତିକି ସେତିକି ଏପରି ଲୋକଙ୍କ ସଂଖ୍ୟା ବଢ଼ିବ । ଆପଣ ଗୋଟିଏ ରାଜ୍ୟର କଥା କହୁଛନ୍ତି ! ମୁଁ ଗୋଟିଏ ଛୋଟିଆ କଥା ପଚାରିବି । ଗୋଟିଏ ନାଆରେ ବହୁତଗୁଡ଼ିଏ ଲୋକ ବସି ନଈ ପାର ହେଉଛନ୍ତି.....

 

କଥା ନ ସରୁଣୁ ଟି.ଟି.ଆଇ. ଆସିଗଲେ । ଜଗୁ, ରତନ ସିଂ, ବଚନ ସିଂ ଆଉ ଅନ୍ୟମାନେ ନିଜ ନିଜର ଟିକଟ କାଢ଼ି ଦେଖାଇଲେ । ଗାଡ଼ିର ଗତି ଧୀର ହୋଇଗଲା । ଆଗରେ ଷ୍ଟେସନ । କିଛି ଲୋକ ଓହ୍ଲାଇବାକୁ ସଜ ହେଲେ । ଟି.ଟି.ଆଇ. ବିନା ଟିକେଟବାଲା ଯାତ୍ରୀଙ୍କୁ କହିଲେ–ଶୁଣ୍‌, ଏଇଠି ଓହ୍ଲାଇ ଯା । ନ ହେଲେ ତୋତେ ପୁଲିସ ହାତରେ ଦେଇଦେବି ।

 

ଯାତ୍ରୀ ଟି.ଟି.ଆଇ. ପାଖକୁ ଆସି ହାତଯୋଡ଼ି ପ୍ରାର୍ଥନା କଲା ମୋତେ ଛାଡ଼ିଦିଅ ବାବୁ-। ମୋ ପିଲାଟି ବେମାର ପଡ଼ିଚି । ମୋ ପାଖରେ ପଇସା ଥିଲେ ମୁଁ ବନା ଟିକଟରେ ଯାଆନ୍ତି କାହିଁକି-? ଆପଣ ମୋ ଲୁଗାପଟା ସବୁ ଖୋଜନ୍ତୁ–ଯଦି ଅଧଲାଟାଏ ବାହାରିବ । ଜଗୁ ଟି.ଟି.ଆଇଙ୍କୁ ପଚାରିଲା–ଆଜ୍ଞା, ତାଙ୍କୁ କେତେ ଦେବା କଥା ?

 

ଟି.ଟି.ଆଇ. କହିଲେ–ଷୋଳଟଙ୍କା ପଚାଶ ପଇସା ।

 

ଜଗୁ ପଚାରିଲା–ତାଠୁ କମ୍‌ ହୋଇ ପାରିବ ?

 

‘‘ହୋଇପାରେ’’ । ଟି.ଟି.ଆଇ. ଟିକିଏ ଚିନ୍ତା କରି କହିଲେ–‘‘ମୁଁ ଏଇ ଷ୍ଟେସନ୍‌ରୁ ଟିକଟ କାଟିଦେବି; କିନ୍ତୁ ତା ପାଖରେ ତ ଫଟା କଉଡ଼ିଟାଏ ନାହିଁ । ଏଣେ ତା କଥା ଶୁଣିଲେ ଦୁଃଖ ବି ଲାଗୁଚି ।’’

 

‘‘ହଁ ଆଜ୍ଞା, କ’ଣ ହେଲା ତା’ର ? ରତନ ସିଂ ପଚାରିଲେ ।

 

ଟି.ଟି.ଆଇ. କହିଲେ–ସେ କହୁଚି ଏବେ ସେ ଧାର ଉଧାର କରି କିଛିଦିନ ତଳେ ଚାକିରି ଖୋଜି ଯାଇଥିଲା–ଚାକିରି ତ ପାଇଲା ନାହିଁ..... ଶୁଣିଲା ତା ପିଲା ବେମାର । ଫେରି ଯାଉଚି ।

 

ରତନ ସିଂ କହିଲେ–ଆଜ୍ଞା ଟଙ୍କା ଦଶଟିରେ ଯଦି ହୋଇଯିବ ତ ତା’ର ବନ୍ଦୋବସ୍ତ କରିଦିଅନ୍ତୁ । ଦେଖନ୍ତୁ ଯହିଁରେ ଆପଣଙ୍କ ରେଲବାଇକୁ ହାନି ହେବ ନାହିଁ କି ଏ ବିଚରାକୁ ହାନି ହେବ ନାହିଁ । ଟି.ଟି.ଆଇ. ସେହିପରି ଟିକିଏ ଚିନ୍ତାକରି କହିଲେ–ହେବାପାଇଁ ସବୁ ହୋଇପାରେ....କିନ୍ତୁ....

 

କଥାକୁ ଅଟକାଇ ରତନ ସିଂ କହିଲେ–କିନ୍ତୁ ଆପଣ ନିଶ୍ଚୟ ଆପଣା କର୍ତ୍ତବ୍ୟରୁ ଟିକିଏ ଏପଟ ସେପଟ ହେବେ । ସେଇଟା ଆପଣଙ୍କ ଉପରେ । ଏଇ ନିଅନ୍ତୁ ।

 

ଏହା କହି ଦଶଟଙ୍କାର ଗୋଟିଏ ନୋଟ ପକେଟରୁ କାଢ଼ି ଟି.ଟି.ଆଇ.କୁ ବଢ଼ାଇ ଦେଲେ । ଟି.ଟି.ଆଇ. ସେତିକିର ଗୋଟିଏ ଟିକେଟ କାଟି ଯାତ୍ରୀକୁ ବଢ଼ାଇ ଦେଇ ଦୁଆର ପାଖକୁ ଚାଲିଗଲେ । ଗାଡ଼ି ଅଟକିଗଲା । ସେ ଓହ୍ଲାଇ ଗଲେ । ଆଉ କେତେ ଓହ୍ଲାଇଲେ କେତେ ଚଢ଼ିଲେ-। ତା ଭିତରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଆଉ ଗୋଟିଏ କୋଳ ପିଲାକୁ ଧରି ଚଢ଼ିଲେ । ପଶି ଆସି ଦେଖିଲେ କେଉଁଠି ଥାନ ଅଛି କି ନାହିଁ । ଜଗୁ ସେମାନଙ୍କର ଜିନିଷପତ୍ର ରଖିବାରେ ଟିକିଏ ସାହାଯ୍ୟ କଲା । ଗୋଟିଏ ବେଞ୍ଚର ଗୋଟିଏ ମୁଣ୍ଡକୁ ଦୁଇଜଣ ଲୋକ ବସିଥିଲେ । ତାଙ୍କୁ କହିପୋଛି ସେଠାରେ ଉକ୍ତ ସ୍ତ୍ରୀଲୋକ ଓ ସେ କୋଳପିଲାଟି ପାଇଁ ଟିକିଏ ଥାନ କରିଦେଲା । ଗାଡ଼ି ଛାଡ଼ିଲା । ଫେର୍‍ କଥାବାର୍ତ୍ତା ଆରମ୍ଭ ହୋଇଗଲା । ଜଗୁ କହିଲା–ହଁ, ସରଦାର୍‍ଜୀ ମୁଁ କହୁଥିଲି ସେଇ ନାଆ କଥା । ରତନ ସିଂ କହିଲେ–ହଁ, ହଁ, କହ କହ । ତୁମେ ନ ଥିଲେ ଆମେ ଖାଲି ବେପାର ବଣିଜ କଥା ପକାଇ ଥାଆନ୍ତୁ । ତା’ଛଡା ଆମେ ଜାଣୁ କ’ଣ ? ଆମେ ଆଉ କ’ଣ ମଣିଷ ହୋଇ ଅଛୁଁ ? ମେସିନ୍‌ ପାଲଟି ଗଲୁଣି....ଖାଲି ଖାଅ କମାଅ । କମାଅ ଖାଅ....ବେଶ୍‌ । ଜଗୁ କହିଲା–ଆରେ ବାଃ....ସରଦାର୍‍ଜୀ, ତୁମେ ମେସିନ୍‌ କି ମିଣିଷ ଏଇନା ଚିହ୍ନାଇ ଦେଲ । ମେସିନ୍‌ କ’ଣ ମଣିଷର ଦୁଃଖ ସୁଖ ବୁଝେ ? ଯାହାର ହୃଦୟ ଅଛି ତା ହାତରେ ପଇସା ନାହିଁ । ଆଉ ପଇସା ଯାହା ହାତରେ ତା’ର ହୃଦୟର ଅଭାବ । ଭଗବାନ ତୁମକୁ ଦୁଇଟା ଯାକ ଦେଇଛନ୍ତି ।

 

ରତନ ସିଂ କହିଲେ–ସେ ଯାହାହେଲା ସବୁ ତୁମରି ଯୋଗୁଁ । ତୁମେ ନ ଥିଲେ ଆମ ମନ ତରଳି ନ ଥାନ୍ତା । ହଉ ଛାଡ଼, କ’ଣ କହୁଥିଲ କହ ।

 

ଜଗୁ କହିଲା–ତୁମେ ଧନ୍ୟ ସରଦାର୍‍ଜୀ–ହଉ ଶୁଣ । ମୁଁ କହୁଥିଲି ସେହି ନାଆ କଥା । ଧର ଗୋଟିଏ ନାଆରେ ବହୁତ ଲୋକ ବସିଛନ୍ତି । ନାଆରେ ଗୋଟିଏ ଥାନରେ ଜଣକ ଗୋଡ଼ ପାଖରେ କଣା ହୋଇଗଲା । ନାଆ ଭିତରେ ପାଣି ପଶିଲା । ଯାହା ଗୋଡ଼ ପାଖରେ ସେ କଣାଟି ହେଲା ଲୋକେ କ’ଣ ତାକୁ କହିବେ ଆହାରେ ବିଚରା–କେଡ଼େ ଅଭାଗା, କୋଉଠି କଣା ହେଲା ନାହିଁ ତାରି ଗୋଡ଼ ପାଖରେ କଣାଟେ ହୋଇ ପାଣି ପଶି ଯାଉଚି ?

 

ସରଦାର୍‍ ବୁଝି ନ ପାରି ପଚାରିଲେ–କ’ଣ କଥା ?

 

ଆଗନ୍ତୁକ ବ୍ୟକ୍ତି ମଧ୍ୟ ଆଲୋଚନାରେ ଭାଗ ନେବେ ବୋଲି ଏମାନଙ୍କ କଥା ଶୁଣୁଥିଲେ-। କହିଲେ–ବୁଝିହେଲା ନାହିଁ ।

 

ଜଗୁ କହିଲା–କଥାଟା କାହିଁକି କହୁଚି ସେ କଥା ତ ପଛେ । ଡଙ୍ଗାରେ ସମସ୍ତେ ବସିଛନ୍ତି, ଡଙ୍ଗାରେ ଜଣକ ଗୋଡ଼ ପାଖରେ କଣାଟେ ହୋଇଗଲା । ପାଣି ପଶୁଚି । ସମସ୍ତଙ୍କର କର୍ତ୍ତବ୍ୟ ସେଠେଇ କ’ଣ ? ଯାହା ପାଖରେ କଣା ତାକୁ ଅଭାଗା କହି ଚୁପ୍‍ଚାପ୍‍ ବସି ରହିବେ ନା ଅଣ୍ଟାଭିଡ଼ି କଣା ବନ୍ଦ କରିବାରେ ଲାଗିବେ ।

 

ସରଦାର୍‍ କହିଲେ–କଣା ବନ୍ଦ ନ କଲେ ତ ସମସ୍ତେ ଡୁବି ଯିବେ । ଜଣକୁ ଅଭାଗା କହି କ’ଣ ହେବ ?

 

ଜଗୁ କହିଲା–ଭାରତର ଏଇ ଡଙ୍ଗାରେ ଆମେ ସମସ୍ତେ ବସି ଥାଇଁ ପଞ୍ଜାବୀ ବସିଚି, ମରହଟ୍ଟୀ ବସିଚି, ଓଡ଼ିଆ ବସିଚି, ବଙ୍ଗାଳୀ ବସିଚି, ଗୁଜରାଟି ଆଉ ମାଡ୍ରାସୀ ବସିଚି । ଯେତେ ଜାତି ସମସ୍ତେ ବସିଛନ୍ତି । ଜଣକୁ ଦାରିଦ୍ର୍ୟ ଘୋଟିଲା ମାନେ ଜଣକ ଗୋଡ଼ ପାଖରେ କଣା ହୋଇ ପାଣି ପଶିଲା । ସମସ୍ତଙ୍କର କାମ ନୁହେଁ କି, ସେ କଣା ବନ୍ଦକରି ଦାରିଦ୍ର୍ୟକୁ ଭିତରକୁ ପଶିବାକୁ ନ ଦେବା, କ’ଣ କହୁଛନ୍ତି ? ଆମ ରାଜ୍ୟର ଦାରିଦ୍ର୍ୟ ଦୂର କରିବା ଅନ୍ୟ ସମସ୍ତ ରାଜ୍ୟର କାମ କି ନୁହେଁ ? ଦେଶରେ ପାଣିର ପ୍ରକୃତିକୁ ଅନୁକରଣ କରିବା ସମସ୍ତଙ୍କର ଉଚିତ । ପାଣି ଲୋଟାଏ ପୋଖରୀରୁ କାଢ଼ି ଆଣିଲେ ସେ ଥାନ ଖାଲି ହୋଇଯାଏ ନାହିଁ । ଅନ୍ୟ ଥାନରୁ ପାଣି ଆସି ପୁଣି ସମାନ କରିଦିଏ ।

 

ଆଗନ୍ତୁକ ଭଦ୍ରବ୍ୟକ୍ତି ଜଣକ କହିଲେ–ଆରେ, କଅଣ କହୁଚ ? ଏଠାଲୋକେ ମାଟିର ଗୁଣକୁ ଅନୁକରଣ କରି ଶିଖିଛନ୍ତି । ସେଇଥି ପାଇଁ କେଉଁଠି ପାହାଡ଼ ତ କେଉଁଠି ଅତଳ ସମୁଦ୍ର ।

 

ଜଗୁ କହିଲା–ଏମିତି ହେବା ଠିକ୍‌ ନୁହେଁ । ଆମେ ସମସ୍ତେ ଗୋଟିଏ କୁଟୁମ୍ବର, ଏକଥା ଭାବିବା ଉଚିତ । ଦେଖନ୍ତୁ ଏଇନା ଜଣେ ସ୍ତ୍ରୀଲୋକ ଡବାଭିତରକୁ ଆସିଲେ, ଆମେ ତାଙ୍କୁ ବସିବାର ଥାନ ଦେଲୁ, ସୁବିଧା ଅସୁବିଧା ବୁଝିଲୁ । ଆଗକରି ପଚାରିଲୁ ନାହିଁ ଯେ ତୁମେ କେଉଁ ରାଜ୍ୟର, କି ସେହି ଅନୁସାରେ ଯେ ତାଙ୍କର ବ୍ୟବସ୍ଥା କଲୁ ତା ମଧ୍ୟ ନୁହେଁ । ଏହିପରି ଯଦି ପ୍ରତ୍ୟେକେ ପ୍ରତ୍ୟେକ ପାଇଁ ଭାବନ୍ତା କେତେ ସୁନ୍ଦର ହୁଅନ୍ତା । ସବୁ ଜାତି ମିଳିମିଶି ରହିଲେ–

 

ନିଅ ବାରମଜା, ଚୁରମୁର ଭଜା, ଚୋବେଇ ଚୋବେଇ ଦାନ୍ତ ପଜା । ଛୋଟ ପୁଡ଼ିଆ ପାଞ୍ଚନୂଆ, ବଡ଼ ପୁଡ଼ିଆ ଦଶ ।

 

ଜଗୁର କଥାଟା ଶେଷ ନ ହେଉଣୁ ଦୁଆର ଖୋଲି ଭିତରକୁ ପଶି ଆସିଲା ଚୁରମୁର ଭଜାବାଲା । ବେକରେ ଝୁଲେଇଛି ଗୋଟିଏ ଟିଣ, ହାତରେ କାଗଜ ଧରି କାହାଳୀ ତିଆରି କରି ଲାଗିଚି ଆଉ ସେଇ କାହାଳୀରେ ଟିଣରୁ ବାହାର କରି ଭଜା ଭରୁଚି । ଚିତ୍କାର କରି କରି ଭଜାର ଗୁଣ କୀର୍ତ୍ତନ କରୁଚି ।

 

ଖାଲି ବସିବାଠାରୁ ଏଥିରେ ଦି’ଟା ପାଟିରେ ପକାଇ ମାଢ଼ି ବୁଲାଇବାକୁ ଅନେକ ପସନ୍ଦ କରନ୍ତି । ତେଣୁ ସେ ପଶୁ ପଶୁ, ତା’ର ବିକ୍ରି ଆରମ୍ଭ ହୋଇଗଲା ।

 

ଭାଇ ଜଗୁ, ଆଗନ୍ତୁକ କହିଲେ–ତମ ମନର କଥା ଆସିଗଲା । ଏଥିରେ ସବୁ ମିଶିଚି । ଓଡ଼ିଆ, ବଙ୍ଗାଳୀ, ପଞ୍ଜାବୀ ଖାଲି ନୁହ ବାର ଜାତି । ତା ଉପରେ ପୁଣି ମସଲା ।

 

ତାଙ୍କ କଥାରେ ସମସ୍ତେ ହସିଲେ । ଦେଖୁ ଦେଖୁ ପୁଡ଼ାଏ ପୁଡ଼ାଏ ସମସ୍ତେ ହାତରେ ଧରି ପାଟିରେ ପକାଇ ଲାଗିଲେ ।

 

ରତନ ସିଂ ଭଦ୍ରବ୍ୟକ୍ତିଙ୍କୁ ପଚାରିଲେ, ହଁ ବାବୁ–ଆପଣଙ୍କ ନାଁ କ’ଣ? ନାଁ ନ ଜାଣିଲେ କଥାବାର୍ତ୍ତା କରିବା କେମିତି ?

 

ଭଦ୍ରବ୍ୟକ୍ତି କହିଲେ–ମୋତେ ଭବତୋଷ ବୋଷ୍‍ କହନ୍ତି ।

 

ରତନ ସିଂ କହିଲେ–ବଢ଼ିଆ ନାଁ ତ ! ବେଶ୍‌ ଆପଣଙ୍କୁ ଆମେ ବୋଷ୍‍ବାବୁ ବୋଲି ଡାକିବୁ ।

 

ଡାକିବା କ’ଣ ବାକୀ ଅଛି ? ଅନେକ କାଳରୁ ଲୋକେ ଡାକିଲେଣି । ବୁଝିଲେ ?

 

ଜଗୁ ପଚାରିଲା–ଆଚ୍ଛା ବୋଷ୍‍ବାବୁ, ଆପଣ କୁଆଡ଼େ ଯିବେ ?

 

ବୋଷ୍‍ବାବୁ କହିଲେ–ପୁରୀ–ଆପଣଙ୍କ ପୁରୀ ।

 

ଜଗୁ କହିଲା–ମୁଁ ମଧ୍ୟ କଲିକତା ଏଇ ଆପଣଙ୍କ କଲିକତାରୁ ଆସୁଚି ।

 

କଥାରେ ଦୁଇ ସରଦାର୍‍ ହସି ପକାଇଲେ । କହିଲେ ବାଃ ବେଶ୍‌ ମଜା ହେଉଚି । ଠିକ୍‌ ବାରମଜା ପରି ।

 

ବୋଷ୍‍ବାବୁ କହିଲେ–ମିଶିଲେ ମଜା ଆସେ । ଦେଖନ୍ତୁ ତିନୋଟି ମିଳିବାରୁ ତ ଏତେ ମଜା ଫେର୍‍ ଆଉ ଦି’ ଚାରିଟି ଆମ ସାଙ୍ଗକୁ ମିଳିଗଲେ ବାରମଜାକୁ ବଳିଯିବ ।

 

ଜଗୁ କହିଲା, ବୋଷ୍‍ବାବୁ କିଛି ମନେ କରିବେ ନାହିଁ । ଆପଣ, ମନେ ହେଉଛନ୍ତି ବାରମଜାର ମସଲା ।

 

ବୋଷ୍‍ବାବୁ କହିଲେ, ଜଗୁଭାଇ ତୁମେ କିନ୍ତୁ ମନେ ହେଉଚ ବାରମଜାର ଲୁଣ ।

 

‘ଠିକ୍‌ କହିଛନ୍ତି’–ଜଗୁ କହିଲା–‘ସବୁଠୁ ଶସ୍ତା ଜିନିଷ’ ।

 

ବୋଷ୍‍ବାବୁ କହିଲେ–ଆରେ ସେଇ ଶସ୍ତା ଜିନିଷଟିକୁ କିନ୍ତୁ ଅଲଗା କରିଦେଲେ ସବୁ ମହରଗ ଜିନିଷର ମୁଲ୍ୟ କମିଯାଏ । ନାଇଁ ଜଗୁଭାଇ, ତୁମର କଥାରେ ଗୋଟାଏ ଅଲଗା ସ୍ୱାଦ ।

 

ରତନ ସିଂ କହିଲେ । ତୁମେ ଦୁଇଜଣ ଆଜିର ଏକଥା-ବାର୍ତ୍ତାର ଲୁଣ ଆଉ ମସଲା । ତୁମେ ଦୁହେଁ ନ ଥିଲେ ଏ ଯାତ୍ରା ପାଣିଚିଆ ଲାଗୁ ଥାଆନ୍ତା । ଏତେ ଲମ୍ବା ବାଟ ଆଉରି ଲମ୍ବା ହୋଇ ଥାଆନ୍ତା ।

 

ବୋଷ୍‌ବାବୁ କହିଲେ–ଆଚ୍ଛା, କହିଲେ ସରଦାର୍‍ଜୀ; ଆଜିକାଲି କ’ଣ ଲମ୍ବା ନୁହେଁ ? ଯାତ୍ରା ଯେପରି ଲମ୍ବା, ଲାଇନ୍‌ ସେମିତି ଲମ୍ବା । ଆଉ ଆଜିକାଲିର କଥା ଦେଖି ଦେଖି ନିଃଶ୍ୱାସ ମଧ୍ୟ ଲମ୍ବା ହୋଇଯାଉଚି । ଏତିକି ରକ୍ଷା ଯେ ଜୀବନଟା ତେତେ ଲମ୍ବା ନୁହେଁ । ସରଦାର୍ ଜୀ, ଆପଣ ଲମ୍ବା ଲାଇନରେ କେବେ ଠିଆ ହୋଇଛନ୍ତି ?

 

ସରଦାର୍ କଥାର ମର୍ମ ବୁଝି ନ ପାରି ପଚାରିଲେ, କୋଉ ଲାଇନ୍‌ ।

 

ବୋଷ୍‍ବାବୁ କହିଲେ ଲମ୍ବା ଲାଇନ୍‌ । ଲମ୍ବା ଲାଇନ୍ ଆଜିଯାଏ ବୁଝି ନାହାନ୍ତି ? କେଉଁଠି ଆଜିକାଲି ଲମ୍ବା ଲାଇନ୍‍ ନ ଲାଗୁଚି ? ରେଳ ଟିକଟ କିଣନ୍ତୁ, ଲାଇନ୍‍, ସିନେମା ଟିକଟ କିଣନ୍ତୁ, ଲାଇନ୍‍ । ରେସନ ଆଣନ୍ତୁ ଲାଇନ୍‍ । ବସ୍‌ ଚଢ଼ନ୍ତୁ ଲାଇନ୍‍ । ପଇସା ନେବାକୁ ଯେପରି ଲମ୍ବା ଲାଇନ୍‍ ପଇସା ଦେବାକୁ ମଧ୍ୟ ସେହିପରି ଲମ୍ବା ଲାଇନ୍‍ ।

 

ସରଦାର୍‍ ହୋ ହୋ କରି ଖୁବ୍‌ ହସିଲେ ଆଉ କହିଲେ, ହଁ ହଁ ତା ମଜା ଆମେ ନେଇଚୁ-

 

ବୋଷ୍‍ବାବୁ କହିଲେ–ହଁ ମଜା ତ ନିଶ୍ଚୟ, ଠିକ୍‌ ବାରମଜା ପରି ।

 

କାହିଁକି ନା ସେଠେଇଁ ମଧ୍ୟ ବାର ପ୍ରକାର ଲୋକଙ୍କର ଭିଡ଼ । ତେବେ ଏତିକି ଜାଣିଥାଆନ୍ତୁ ଯେ ସରକାର ଏହାଦ୍ୱାରା ଆମକୁ ଏକତା ଶିକ୍ଷା ଦେଉଛନ୍ତି ।

 

ଜଗୁ କହିଲା–ସରକାର କିନ୍ତୁ ଭାବି ପାରୁ ନାହାନ୍ତି ଯେ କେତେ ଜନଶକ୍ତି ଏହାଦ୍ୱାରା ଅପବ୍ୟୟ ହେଉଚି ।

 

ବୋଷ୍‍ବାବୁ କହିଲେ–ଜଗୁଭାଇ, ତୁମେ ବୁଝିନା । ମେସିନ୍‍ ଯୁଗ ହେଲା । ମେସିନ୍‍ ତ ସବୁ କାମ କରି ଦେଉଚି । ତେଣୁ ଜନଶକ୍ତିକୁ ମର୍ଯ୍ୟାଦା ସହକାରେ ବ୍ୟୟ କରିବାର ଏହାଠାରୁ ଭଲ ବାଟ ଆଉ କ’ଣ ହୋଇପାରେ ? ସ୍ୱାଧୀନତାରୂପୀ କଳ୍ପବୃକ୍ଷର ଏ ମଧ୍ୟ ପ୍ରକାରେ ଫଳ । ଚାଖିଯାଅ ଜଗୁଭାଇ, ଚାଖିଯାଅ ସରଦାର୍‍ଜୀ ।

 

ସରଦାର୍‍ ରତନ ସିଂ ପଚାରିଲେ–ଭଲା ଏସବୁ ହଉଚି କାହିଁକି ?

 

ଜଗୁ କହିଲା–ଏହାଦ୍ୱାରା ଯେ ଗୋଟାଏ ମହା କ୍ଷତି ହେଉଚି ବୋଧହୁଏ ସେ କଥା କେହି ଭାବିନାହିଁ । ତେଣୁ ଏପରି ହେଉଚି ।

 

ବୋଷ୍‍ବାବୁ କହିଲେ–ଭାଇ ମହାବ୍ୟକ୍ତିମାନେ ତ କେଉଁଦିନ ଆସି ଏ ଧାଡ଼ିରେ ଛିଡ଼ା ହେଉ ନାହାନ୍ତି । ତେଣୁ ମହା କ୍ଷତି ହେବ କିପରି ? ଛାଡ଼, ଦୁଃଖ କଥା ଥରକୁଥର କହିଲେ ଦୁଃଖ ବଢ଼େ ।

 

ଫେର୍‍ ଗୋଟିଏ ଷ୍ଟେସନ ଆସିଗଲା । ଗାଡ଼ି ଠିଆ ହେଉ ହେଉ ଆସିଲା ଭିଡ଼ । ଜଣେ ଭଦ୍ରଲୋକ ଗଦାଏ ଜିନିଷ ଧରି ଭିତରକୁ ଠେଲି ଆସିଲେ । ସାଙ୍ଗରେ ତାଙ୍କର ସ୍ତ୍ରୀ ଆଉ ପିଲାପିଲି ଛଅଟି । ଆବଭାବରୁ ଜଣା ପଡ଼ୁଥିଲା ଯେପରି ଦିଗ୍‌ବିଜୟ କରି ବାହାରିଛନ୍ତି । ଭାବୁଥିଲେ ସେ ଯାହାକୁ କହିବେ ଘୁଞ୍ଚିଯା ସେ ଘୁଞ୍ଚିଯିବ । ଆଉ ସେ ନିଜର ବାକ୍‍ସ ବିଛଣା ରଖି ଆରାମ କରିବେ । କିନ୍ତୁ ତାଙ୍କର ବ୍ୟବହାର କାର୍ଯ୍ୟ ସାଧନରେ ଚିନ୍ତାର ଅନୁକୂଳ ହେଲା ନାହିଁ । କୁଲି ଦୁଇଜଣ ତାଙ୍କର ଜିନିଷପତ୍ର ରଖିଦେଇ ପଇସା ମାଗିଲେ ।

ଭଦ୍ରବ୍ୟକ୍ତି ଆଗ ପଚାରିଲେ–କେଉଁଠି ଜିନିଷ ରଖିଲ ?

କୁଲିମାନେ ଦେଖାଇ ଦେଲେ ।

ଅସନ୍ତୁଷ୍ଟ ହୋଇ ଭଦ୍ରବ୍ୟକ୍ତି କହିଲେ–ସେଠି ରଖିଲେ କେମିତି ହେବ ? କୁଦି ଚକଟି ଲୋକେ ନାରଖାର କରିଦେବେ । ଉଠା ଉପରକୁ ।

ଉପରେ ଥାନ ନାହିଁ ବାବୁ ? କୁଲିମାନେ ଆପତ୍ତି ଜଣାଇଲେ ।

ଥାନ ନାଇଁ, କିଛି ନାହିଁ, ଆଉ ତୁମେ ପଇସାଟା ଆଗ ମାଗି ପକାଉଚ । ହଉ ଥାଉ ସେଇଠି ।

ଏତିକି କହି ଚାରି ଚାରି ଅଣା ପଇସା କୁଲିମାନଙ୍କୁ ଦେଲେ ।

କୁଲିମାନେ କାମ ଅନୁସାରେ ପଇସା ନ ପାଇ କହିଲେ–ବାବୁ ଏତିକି ଲେଖା କ’ଣ ? ଛିଣ୍ଡେଇଲ କେତେ–ଆଉ ଦଉଚ କେତେ ?

ବାବୁ କହିଲେ–ମୁଁ ରେଟ୍‌ରୁ ପଇସେ ଏପଟ ସେପଟ କରିବାଲୋକ ନୁହେଁ । ଯାହା ଦେଇଛି ତହିଁରୁ ଅଧଲାଟାଏ ବେଶୀ ଦେବି ନାହିଁ ।

ବୁଲିମାନେ କହିଲେ–ବେଶ୍‌ ନ ଦିଅ । ପଇସା ରଖ । ଏ କ’ଣ ଦି’ଜଣ କୁଲିଙ୍କ କାମ ? ଜିନିଷକୁ ଦେଖ, ଫେର୍‍ ଏତେ ଭିଡ଼ରେ ଆଣି ତୁମକୁ ବସାଇଲୁ । ଛିଣ୍ଡେଇଲ ଗୋଟାଏ–ଦଉଚ ଗୋଟାଏ ।

କ’ଣ ଛିଣ୍ଡେଇଲି ଛିଣ୍ଡେଇଲି ହଉଚରେ–ତା ବୋଲି କ’ଣ ମୁଁ ରେଟ୍‌ ଖରାପ କରିଦେବି-? ଏତିକି ନେବ ତ ନିଅ ।

କୁଲିମାନେ ଜିଦ୍‌ଧରି କହିଲେ–ଆମେ ସେତିକି ନବୁ ନାହିଁ ।

ଭଦ୍ରବ୍ୟକ୍ତି କହିଲେ–ନ ହେଲେ ନାହିଁ ।

ଜଣେ କୁଲି କହିଲା–ବେଶ୍‌ ଏ ପଇସା ବି ରଖ । ବାଟରେ ପିଲାଙ୍କୁ ଜଳଖିଆ ଖୁଆଇଦେବ ।

ବାବୁଙ୍କର କ୍ରୋଧ ଚରମକୁ ପହଞ୍ଚିଗଲା । କହିଲେ–ଆରେ ଭାରି ତ ବଢ଼ି ବଢ଼ି କଥା କହୁଚୁ ।

କହୁ କହୁ କୁଲିର ବେକ ଗାମୁଛାକୁ ଧରି ପକାଇ ମାରିବାକୁ ଉହୁଙ୍କି ଗଲେ ।

କୁଲି କହିଲା–ମାରିବାଟା କିଛି ବାହାଦୂରୀ କଥା ନୁହେଁ । ତୁମେ ପଢ଼ାଶୁଣା ଲୋକ ।ତୁମର ପଇସା ଅଛି । ତହିଁରେ ତୁମେ ତୁମର କହିଲା କଥା ରଖୁନା । ଓଲଟି ମାରିବାକୁ ଧାଇଁ ଆସୁଚ ।

ଆମେ ତୁମର ବୋଝ ବୋହିଲୁ । ଚାରିଟା, କୁଲିର ଜିନିଷ ଦି’ଟା କୁଲି ବୁହାଇ ଆଣିଲୁ । ବେଶି ନ ଦେଲେ ନାହିଁ ପରିଶ୍ରମର ଠିକ୍‌ ମୂଲ ତ ଦବ !

 

ଆର କୁଲି ଜଣକ କହିଲା–ବାବୁ, କ’ଣ କଥା ହେ ? ତମର କ’ଣ ବଳ ଅଛି ବୋଲି ମାରିଦବ ?

 

ବାବୁ କହିଲେ–ଏ କ’ଣ କହିଲା ?

 

କୁଲି କହିଲା–କ’ଣ କହିଲା । ଆମେ କ’ଣ ମାଗିଖିଆ ହେଇଚୁ ଯେ ଚାରିଅଣା ଭିକ ନେଇ ଚାଲିଯୁବୁ ? ହକ୍‌ କାମ କରିଚୁ ମୂଲ ଠିକ୍‌ ନ ମଳିଲେ ଆମେ ସେ ପଇସା ନବୁ ନାହିଁ । ସେ କହିଲା–ପଇସା ରଖ ।

 

ବାବୁ କହିଲେ, ତା ପର ପଦକ ?

 

କୁଲି କହିଲା–କ’ଣ ପଦକ ? ଯେଉଁଠି ତୁମେ କାମ କଲା ଲୋକକୁ ପଇସାଟେ ଅଧିକା ଦଉନା ସେଠେଇ କ’ଣ ତୁମେ ପଇସାଟା ଦାନ କରିଦବ ? ସେ କହିଲା ପିଲାଙ୍କୁ ଖୁଆଇଦବ, ନାକରା କ’ଣ କହିଲା ।

 

ଏ ବାଣ ବାବୁ ସମ୍ଭାଳିବା ଅବସ୍ଥାରେ ନଥିଲେ । କହିଲେ, କ’ଣ କହିଲୁ । ପ୍ରଥମ କୁଲିକୁ ଛାଡ଼ିଦେଇ ଦ୍ୱିତୀୟ କୁଲିକୁ ଧରି ପକାଇଲେ ।

 

କୁଲି କହିଲା–ନାଲି ଆଖି ଆଉ କାହାକୁ ଦେଖାଇବ । ମାରିବ ତ ? ମାର । ତୁମେ ଗୋଟାଏ ମାରିଲେ ଆମେ ଦି’ଜଣ ଦି’ଟା ମାରିବୁ; ଏକଥା ଜାଣିଥା ।

ଶକ୍ତି ଯାହାଠାରେ ଅଛି ସେ ପୁଣି ଏକଥା ସହିବ । ବାବୁଙ୍କର ମୁଷ୍ଟି ଶକ୍ତ ହୋଇ ଉଠିଲା-। ଚକ୍ଷୁ ବିସ୍ପାରିତ ହୋଇ ଆସିଲା । ନିଶ୍ଚୟ ସେ ପ୍ରଳୟ ସୃଷ୍ଟି କରିଦେବେ । ତାଙ୍କର ବଳିଷ୍ଠ ବପୁ ଆଗରେ କୁଲି ଦୁଇଟା ସାମାନ୍ୟ ଦୁଇଟି କ୍ଷୀଣକାୟ ମଶକ ପରି ଲାଗୁଥିଲେ । ଏତିକିବେଳେ ରତନ ସିଂ ଆଉ ବଚନ ସିଂ ପାଟି କରି ସାବଧାନ କରିଦେଲେ । ଥାଉ ଥାଉ ବାବୁ, କୁଲିମାନଙ୍କୁ ମାରିବାଟା ଠିକ୍‌ ନୁହେଁ । ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟି ସେ ଦୁହିଙ୍କ ଉପରେ ପଡ଼ିବାରୁ ବ୍ରେକ୍‍ ଦେଲାପରି ସେ ଅଟକି ଗଲେ । ଏତିକିବେଳେ ଜଗୁ ଯାଇ ଠିଆ ହୋଇଗଲା । କହିଲା, ବାବୁ ଆପଣଙ୍କର ଦେହର ବଳ ଯେପରି ଅଛି, ପକେଟର ବଳ ମଧ୍ୟ ସେହିପରି ଅଛି । ଦେହର ବଳ ଏ ସାମାନ୍ୟ ଦୁଇଟି ଜୀବଙ୍କ ପାଇଁ ନୁହେଁ । ଆଉ କିଛି ଦେଇଦେଲେ ସେମାନେ ଖୁସି ହୋଇଯିବେ । କାମ କରିଛନ୍ତି ତେଣୁ ମାଗୁଛନ୍ତି ନିଜର ପରିଶ୍ରମର ମୂଲ । ଏଥିପାଇଁ ଏତେ ଆଗେଇବାଟା ଠିକ୍‌ ହେବ ନାହିଁ ।

ତାତି କମି ଆସିଲା.....ଭଦ୍ରବ୍ୟକ୍ତି ଚିଡ଼ିମିଡ଼ି ହୋଇ କହିଲେ, ପଇସା କ’ଣ ଗଛରେ ଫଳୁଛି, ଯେଉଁଠି ଦେଖ ଆମକୁ ଅଧିକା ଦିଅ, ଆମକୁ ଅଧିକା ଦିଅ । ଏଣେ ମହରଗ ଯେ ଶଳା, ବଞ୍ଚିବା କାଠିକର ହେଲାଣି ।

କୁଲି ଜଣେ କହିଲା–ବାବୁ, ମହରଗ କ’ଣ ଖାଲି ତୁମକୁ ବାଧୁଚି ଆଉ ଆମକୁ ନୁହେଁ ? ଆମେ ତୁମମାନଙ୍କ ଆଶ୍ରୟରେ ପଡ଼ିଚୁ । ତୁମଭଳିଆ ଲୋକ ନ ଦେବେ ତ ଦବ କିଏ ? ରାଗ ଆଉରି ଡିଗିରିଏ କମିଲା । ସେତିକି ରାଗରେ ଯେତେ ଚିଡ଼ି ଚିଡ଼ି ହେବା କଥା ହୋଇ କହିଲେ, ତମର ରେଟ୍‍ କେତେ କହ । ରେଟ୍‍ କ’ଣ ଦେଖୁଚ ବାବୁ ? ରେଟ୍‌ ତ ଦଶ ବରଷରେ ଥରେ ବଦଳେ-। ଏଣେ ବଜାର ରେଟ୍ ଘଡ଼ି ଘଡ଼ି ବଦଳୁଚି । ଆପଣ ଯଦି ଆମ ବନ୍ଧା ରେଟ୍‍କୁ ଧରି ବସିବେ ତେବେ ତ କଥା ସରିଲା ।

ଭଦ୍ରବ୍ୟକ୍ତି କିଛି ଅଧିକା ପଇସା ଦେଲେ, କୁଲିମାନେ ତହିଁରେ ସନ୍ତୁଷ୍ଟ ହେଲେ କି ନାହିଁ କିଛି ନ କହି ଓହ୍ଲାଇଗଲେ । ଗାଡ଼ି ଛାଡ଼ିଲା । କେଉଁଠି ଥାନ ନ ପାଇ ଭଦ୍ରବ୍ୟକ୍ତି ନିଜର ଟ୍ରଙ୍କ ଆଉ ବିଛଣାକୁ ସଜେଇ ପିଲାପିଲିଙ୍କର ବସିବାର ବ୍ୟବସ୍ଥା କରିଦେଲେ । ଆଉ ନିଜେ ଠିଆ ହୋଇ ଏଣେ ତେଣେ ଦୃଷ୍ଟି ପକାଇଲେ ଯଦି କେଉଁଠି କାହା ପାଖରେ ଟିକିଏ ଥାନ ଥିବ ।

 

ଜଗୁ ଦେଖିଲା, ଭଦ୍ରବ୍ୟକ୍ତିଙ୍କର ରାଗ ଏକାବେଳକେ କମିଯାଇଚି । ଜ୍ୱର ତ ନାହିଁ ମାତ୍ର ଜ୍ୱର ଜନିତ ଦୁର୍ବଳତା ଅଛି । ପଚାରିଲା–କୁଆଡ଼େ ଯିବେ ?

 

ଭଦ୍ରବ୍ୟକ୍ତି କହିଲେ–ମୋ ଘର ମାନ୍ଦ୍ରାଜ । ଟିକିଏ ବୁଲାବୁଲି କରି ଯାଇଥିଲି । ପିଲାପିଲିଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲି । କ’ଣ ଆଉ କହିବି–ଯେଉଁଠି ଦେଖ ଖାଲି ଖର୍ଚ୍ଚ ଆଉ ଖର୍ଚ୍ଚ । ଦୁନିଆଟା ଯାକ ଭ୍ରଷ୍ଟାଚାରରେ ଭରି ଯାଇଚି ।

 

ବୋଷ୍‍ବାବୁ କହିଲେ–ଆରେ ଭାଇ, ଖରାପ କ’ଣ ହେଲା ? ଯେମିତି ଭ୍ରଷ୍ଟାଚାର ହେଉଚି ତାକୁ ଦୂର କରିବାକୁ ଚେଷ୍ଟା ମଧ୍ୟ ହେଉଚି ।

 

ଘୋଡ଼ା ଡିମ୍ବ ହେଉଚି । ଡିମ୍ବ ଉପରେ ଜୋର ଦେଇ ଭଦ୍ରବ୍ୟକ୍ତି ଅନ୍ୟ ଆଡ଼କୁ ହାତ ବଢ଼ାଇ କହିଲେ–ଦେଖୁନା, ପଇସା ନେଇ ଟିକଟ ଦେଲେ ବସିବାକୁ ଥାନ ଦେଉ ନାହାନ୍ତି । ଆଉ ଭ୍ରଷ୍ଟାଚାର ଦୂର କରିବେ !

 

ବୋଷ୍‍ବାବୁ କହିଲେ–ଆପଣ ଲାଗୁଚି ନିରାଶବାଦୀ । ନିରାଶବାଦୀ ହୁଅନ୍ତୁ ନାହିଁ । ପଇସା ନେଇ ସରକାର ଆପଣଙ୍କୁ ତପ ଶିଖାଉଛନ୍ତି । ଆଜି ଏଠି ଠିଆହେବା ଶିଖିଗଲେ ଆଉ ଥାନରେ ଆପଣଙ୍କୁ ଠିଆ ହେଲେ କଷ୍ଟ ହେବ ନାହିଁ । ଠିଆ ହେବାକୁ ତ ଆଜିକାଲି ସୁଯୋଗର ଅଭାବ ନାହିଁ । ଆପଣ ଚାକିରି କରୁଛନ୍ତି ତ ଅଫିସର ଆଗରେ ଠିଆ ହେବାକୁ ପଡ଼ିବ । କଣ୍ଟ୍ରାକ୍ଟର ତ ଇଞ୍ଜିନିୟର ପାଖରେ ଠିଆ ହେବାକୁ ହେବ । ଚିନି ଚାଉଳ ପାଇଁ ରେଶନ ଦୋକାନ ଦୁଆରେ, ସିନେମା ଦେଖିବାକୁ ଟିକଟ ଝରକା ପାଖରେ, ଏମିତି କେତେ ଥାନ ଅଛି ଫେର୍‍ ଏମିତି ଦିନ ଆସିବ ଯେତେବେଳେ ଏଇ ଠିଆ ହେବାଟା ଧର୍ମ ହୋଇଯିବ ଆଉ ଶୋଇବାକୁ ଆପଣ ପାପ ମଣିବେ ।

 

ହଁ ଭୁଲି ଯାଇଚି–କ’ଣଟି ଆପଣଙ୍କ ନାମ ?

 

ମୋ ନାଁ–ଏ.ବି.ସି. ରମଣ । ନାଇଁ ଦେଖନ୍ତୁ, ପଇସାକୁ ପଇସା ଦବୁ ତହିଁରେ ଠିଆହୋଇ ଯିବୁ । ଭଲା ଏମିତି କରନ୍ତ, ଯିଏ ବସିକରି ଯିବ ତା ପାଇଁ ବେଶି ପଇସାର ଟିକଟ ଆଉ ଯିଏ ଠିଆ ଠିଆ ଯିବ ତା ପାଇଁ କମ୍‌ ପଇସାର ଟିକଟ । ତେବେ ତ କଳି ଛିଣ୍ଡି ଯାଆନ୍ତା । ଯାତ୍ରୀକୁ ଠକିବା କ’ଣ ସଦାଚାରରେ ଗଣା ? ଯେତେ କହନ୍ତୁ କିଏ ଶୁଣୁଚି ?

 

ବୋଷ୍‍ବାବୁ କହିଲେ, ଆପଣ ଏ.ବି.ସି.କୁ ସରକାର ଡି.ଇ.ଏଫ୍‌ ବୋଇଲେ କାଲା–ଆଉ ଶୁଣିବ କ’ଣ ?

 

ଇଂରେଜୀ ଜାଣିଥିବା ଲୋକେ ବୋଷ୍‍ବାବୁଙ୍କ କଥାରେ ମଜାପାଇ ହସିଲେ ।

 

ଜଗୁ କହିଲା–ଆପଣ ଯେଉଁ ଉପାୟଟି କହିଲେ ସେଇଟା ଠିକ୍‌; ହେଲେ କୌଣସି ପରିବର୍ତ୍ତନ ବେଳେ ଆପଣଙ୍କୁ କିଛି ସହିବାକୁ ପଡ଼ିବ । ଦେଖୁନାହାନ୍ତି ଲୋକସଂଖ୍ୟା କେତେ ଶୀଘ୍ର ବଢ଼ି ବଢ଼ି ଯାଉଚି । ବଞ୍ଚିବାର ଢଙ୍ଗରେ କେତେ ପରିବର୍ତ୍ତନ ଆସୁଛି, ମୋ ମତରେ ସମସ୍ତଙ୍କୁ ଏଇ ବେଳଟାରେ କିଛି କିଛି ସହିବାକୁ ପଡ଼ିବ । ନ ହେଲେ ବଞ୍ଚିବା କଷ୍ଟ । ଆଉ ଭ୍ରଷ୍ଟାଚାର ବୋଲି କଥାଟାକୁ ଆପଣ ଆଜି ଜୋର ଦେଇ କହୁଛନ୍ତି ସେ ତ ସବୁବେଳେ ଥିଲା । କେବେଠୁ ଯେ ସେ ସମାଜ ଉପରେ ଆଧିପତ୍ୟ ଜମେଇଲାଣି ସେକଥା କହିହେବ ନାହିଁ । ଆପଣ ପିଲାଦିନେ ଅଙ୍କ ବହିରୁ ଅଙ୍କ କଷିଥିବେ, ମନେଥିବ, ବହିରେ ଲେଖାଥାଏ ଜଣେ ଦୋକାନୀ ସରସା ଜିନିଷ ଏତେରେ କିଣିଲା, ନିରସା ଜିନିଷ ଏତେରେ କିଣିଲା । ଦୁହିଁଙ୍କୁ ମିଶାଇ କେଉଁ ଭାଉରେ ବିକିଲେ ତା’ର ଏତେ ଲାଭ ହେବ । ଏମିତି ତ ସମାଜିକ ଭ୍ରଷ୍ଟାଚାର ଆମର ଗଦା ।

 

ବୋଷ୍‍ବାବୁ ଏକଥା ଶୁଣି କହିଲେ–ଆରେ ଭାଇ, ତୁମେ ଠିକ୍‌ କହିଚ । ପିଲାଦିନେ ଆମେ ଯାହା କଷିଥିଲୁ ଆମ ପିଲାଏ ସେ ସବୁ କଷି ସାରିଲେଣି । ଏବେ ତାଙ୍କୁ କଷିବାକୁ ଦିଆଯିବ–ଜଣେ ମନ୍ତ୍ରୀଙ୍କର ମନ୍ତ୍ରୀ ହେବା ଆଗରୁ କେବଳ ଦଶହଜାର ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିଲା । ମନ୍ତ୍ରୀ ହେବାର ଦେଢ଼ ବର୍ଷ ପରେ ସେ ଦୁଇ ମହଲାର ଦୁଇଟି କୋଠା, ଦୁଇଟି ଟ୍ରକ୍‌, ଗୋଟିଏ କାର୍‌ ଓ ପଚିଶ ଏକର ଜଳ-ଜମିର ଅଧିକାରୀ ହେଲେ । ପ୍ରତ୍ୟେକ କୋଠାର ମୂଲ୍ୟ ଏତେ, ଟ୍ରକ୍‌ର ମୂଲ୍ୟ ଏତେ, କାର୍‌ର ମୂଲ୍ୟ ଏତେ, ଏକରେ ଭୂମିର ମୂଲ୍ୟ ଏତେ ହେଲେ ମନ୍ତ୍ରୀଙ୍କର ହାରାହାରୀ ବାର୍ଷିକ ଅତିରିକ୍ତ ଆୟ ନିରୂପଣ କର । ବିଶେଷ ଦ୍ରଷ୍ଟବ୍ୟରେ ଲେଖାଥିବ ଜଣେ ମନ୍ତ୍ରୀଙ୍କର ମାସିକ ଦରମା ଏକ ହଜାର ଟଙ୍କା ମାତ୍ର ।

 

ଗୋଟାଏ ହସର ଢେଉ ଉଠିଲା ।

 

ସରଦାର୍‍ ରତନ ସିଂ ପଚାରିଲେ, ଆଚ୍ଛା, କହିଲ ବାବୁ ଏମିତି କାହିଁକି ହଉଚି ?

 

ଆଲୋଚନାରେ ଆନନ୍ଦ ମିଳୁଥିବାରୁ ୟା ଭିତରେ ଦୁଇ ଚାରିଜଣ ବିଦ୍ୱାନ ଆସି ସେଠି ପହଞ୍ଚି ଯାଇଥିଲେ ।

 

ହରିଭକ୍ତିଆ ବୃଦ୍ଧ କହିଲେ–ଆପଣମାନେ ତ ଧର୍ମ ମାନିଲେ ନାହିଁ ଆଉ କଅଣ ହେବ-? ଘୋର କଳି ହୋଇଗଲା । ଘୋର କଳି । ସବୁ ଧ୍ୱଂସ ହୋଇଯିବ । କୃଷ୍ଣ କୃଷ୍ଣ ।

 

ଏତିକି କହି ସେ ଚୁପ୍‌ ହୋଇଗଲେ ।

 

ବୋଷ୍‍ବାବୁ କହିଲେ–କ’ଣ ହେଲା ? କାହିଁକି ହେଲା ? ଏଇକଥା ପଚାରୁଚ ? ସରଦାର୍‍ଜୀ, ଆପଣ ଜଣାପଡ଼ୁଛନ୍ତି କୌଣସି ପାର୍ଟିର ଲୋକ । ନ ହେଲେ ଏକଥା କାହିଁକି ପଚାରନ୍ତେ । ଆରେ ଭାଇ, ଯାଇ ମନ୍ତ୍ରୀଙ୍କୁ ପଚାର, ସେ ସିନା ରାଜ୍ୟର ଖବର କହିବେ । ଏବେ କେଉଁ କଥା ତାଙ୍କୁ ପଚାରିଲେ ସେ ଓଲଟି ତୁମକୁ ପଚାରୁଛନ୍ତି କ’ଣ ? ଲୋକଙ୍କୁ ଚାଉଳ ମିଳୁ ନାହିଁ-? ଲୋକେ ଏପରି ଭାବରେ ଠିଆହୋଇ ସେମାନଙ୍କର ଅମୁଲ୍ୟ ସମୟ ନଷ୍ଟ କରୁଛନ୍ତି ? ଏହା ମିଥ୍ୟା । ମୋ ରାଜ୍ୟରେ ଏପରି ହେବା ଅସମ୍ଭବ । ଏସବୁ ନିନ୍ଦୁକଙ୍କର କାମ । ଆଚ୍ଛା ତୁମେ ଯଦି କହୁଚ ମୁଁ ସଦସ୍ୟଙ୍କୁ ପଚାରି ବୁଝିବି । ଯଦି ଆପଣ ନିଜର କଥା ଉପରେ ଜୋର ଦେଇ ପଚାରିବେ ତେବେ ଉତ୍ତର ପାଇବେ, ‘ଲୋକେ ମରୁଛନ୍ତି ତ ଖରାପ କଅଣ ହେଲା ? ଏତ ଆଧୁନିକ ପରିବାର ନିୟୋଜନ ଅନ୍ତର୍ଗତ ଏକ ପନ୍ଥା, ଲୋକେ ପୋକ ମାଛିପରି ଯେମିତି ବଢ଼ୁଛନ୍ତି ସେହିପରି ଛିଡ଼ିବେ । ଯେତେ ମରିବେ ଆପଣଙ୍କୁ ସେତିକି ମଙ୍ଗଳ’ । ତା ପରେ ଧୀରେ ଧୀରେ ଆପଣଙ୍କ କାନ ପାଖରେ କହିବେ–କ’ଣ କହୁଛନ୍ତି ସରଦାର୍‍ଜୀ ? ଆପଣଙ୍କର କ’ଣ ଦରକାର କହନ୍ତୁ । କହିବେ ତ ଆପଣଙ୍କର ଭଣ୍ଡାର ଭରିଦେବି । ଆପଣ ଇତର ଜନ ପାଇଁ କାହିଁକି କହୁଛନ୍ତି-। ନିଜର ଦେଖନ୍ତୁ, ନିଜର ।

 

ଆଉଜଣେ ଶ୍ରୋତା କହିଲେ–ଠିକ୍‌ କଥା କହିଛନ୍ତି । ତେବେ ଜାଣନ୍ତି, ଆମେ ଇତିହାସରୁ ଜାଣିଥିଲେଁ ଯେ ପ୍ରସ୍ତର ଯୁଗ, ତାମ୍ର ଯୁଗ, ତା ପରେ ଲୌହ ଯୁଗ ଥିଲା । ଏବେ ସେ ସବୁ ଯୁଗ ଯାଇ ଆସିଲା ଲବଣୀ ଯୁଗ । ଏଇ ଲବଣୀ ସବୁ ଭ୍ରଷ୍ଟାଚାରର କାରଣ । ଆଉ ଜଣେ ଯୁବଶ୍ରୋତା କଥାକୁ ସମର୍ଥନ କରି କହିଲେ, ଠିକ୍ କହିଛନ୍ତି । ଏଇ ଲବଣୀ ହେତୁ ସରକାରଙ୍କର ସମସ୍ତ ଯୋଜନା ଖସରି ଖସରି ଯାଉଚି ।

 

ଜଗୁ କହିଲା–ହୋଇପାରେ ଆପଣାମାନଙ୍କର କଥା ସତ । ହେଲେ ଦେଶର ଜନସଂଖ୍ୟା ଦେଖନ୍ତୁ । ତା’ର ଅସମ୍ଭବ ବୃଦ୍ଧି ଆମର ବୁଦ୍ଧିକୁ ଅକର୍ମା କରି ଦେଲାଣି । ବର୍ଷକେ ଆମର ଜନସଂଖ୍ୟା ହାରାହାରି ଏକ କୋଟି ବଢ଼ୁଚି । ଏ କାରଣଟାକୁ କ’ଣ ଏକା ବେଳକେ ଉଡ଼ାଇ ଦେଇ ହେବ ?

 

ଯୁବକ ଜଗୁକୁ ଆକ୍ରମଣ କଲାପରି କହି ଉଠିଲେ–କିରେ, ପାଖରେ ଲବଣୀ ରଖିଚୁ କି-?

 

ରତନ ସିଂଙ୍କର ଦୃଷ୍ଟି ତୀର ପରି ଯୁବକ ଉପରେ ପଡ଼ିଲା । ସେ ଟିକିଏ ଗମ୍ଭୀର ହୋଇ କହିଲେ–ଆପଣ ଜଣାପଡ଼ୁଛନ୍ତି ଶିକ୍ଷିତ, ଶିକ୍ଷିତଙ୍କଠାରୁ ଏପରି ବ୍ୟବହାର ଆମେ ଆଶା କରି ନ ଥିଲୁ । ଆପଣ ତାଙ୍କ ଲୁଗାପଟା ଦେଖି ବୋଧହୁଏ ତୁ ତା’ ଆରମ୍ଭ କରିଦେଲେ । ଯୁବକ ସିଂଙ୍କ କଥାରେ କିଛି ପ୍ରତିବାଦ କରିବାକୁ ସାହସ ପାଇଲେ ନାହିଁ । ସେ କହିଲେ–କ୍ଷମା କରିବେ, ସତରେ ମୁଁ ତାଙ୍କର ଲୁଗାପଟା ଦେଖି ତାଙ୍କୁ ତୁ ବୋଲି କହି ପକାଇଚି । ତାଙ୍କ କଥାରେ ଯେ କେତେ ଗୁରୁତ୍ୱ ଅଛି ସେ କଥା ମୁଁ ତଉଲି ପାରିନାହିଁ । ହଉ ଛାଡ଼ନ୍ତୁ ଭୁଲ ହୋଇ ଯାଇଚି । ତାଙ୍କର ପରିଚୟ ?

 

ଜଗୁ କହିଲା–ନାଇଁ ଭୁଲ କିଛି ହୋଇନାହିଁ, ମୋର ପରିଚୟ ପାଇବା ପରେ ଆପଣ ବୁଝିପାରିବେ ଯେ କିଛି ଭୁଲ କରି ନାହାନ୍ତି । ମୋ ନାଁ ଜଗୁ । କଲିକତାରେ ଗୋଟିଏ ବଡ଼ କାରଖାନରେ ଗୋଟିଏ ଛୋଟ ଚାକିରି କରେ । ମୋତେ ସମସ୍ତେ ଜଗୁଭାଇ ବୋଲି ଡାକନ୍ତି । କେହି କେହି ତୁମେ ଆଉ ଅନେକ ତୁ ବୋଲି ସମ୍ବୋଧନ କରନ୍ତି । ତେଣୁ ଆପଣଙ୍କ ତୁ ଟା ମୋତେ ବାଧିଲା ନାହିଁ ।

 

ସରଦାର୍‍ ରତନ ସିଂ କହିଲେ–ଜଗୁଭାଇ, ତୁମ ବିଚାର, ତୁମ ଯୁକ୍ତି ଶୁଣି କଏ କହିବ ଯେ ତୁମେ ଗୋଟିଏ ଛୋଟ ଚାକିରି କର ।

 

ଜଗୁ କହିଲା–ବିଶ୍ୱାସ କରିବାକୁ ପଡ଼ିବ ସରଦାର୍‍ଜୀ । ବିଚାର ବୁଦ୍ଧିର ଆଜିକାଲି ମଣିଷର ମୂଲ ହୁଏ ନାହିଁ । ହୁଏ ତା’ର ପଦରୁ, ତା’ର ପଇସାରୁ । ମୋର ମଧ୍ୟ ବିଚାର ଥିଲା । ମୁଁ ଗୋଟିଏ ବଡ଼ ଲୋକ ହେବି । ମୋର ପଦ ବଡ଼ ହେବ, ମାନ ମିଳିବ । କିନ୍ତୁ ଜୀବନର ଗତି କେଉଁଆଡ଼େ ମୋଡ଼ି ହୋଇଯିବ, କି ଏ କହିପାରିବ ?

 

ଯୁବକ ଜଣକ କହିଲେ–ଠିକ୍ କହିଛନ୍ତି ଜଗୁଭାଇ, ମୋ କଥା ଶୁଣିଲେ ଆପଣ ବୁଝିପାରିବେ ମୋ କଥା ଆପଣଙ୍କ କଥା କିପରି ମିଶୁଚି । ମୁଁ ଯେଉଁଦିନ ଗୁଡ଼ାଏ ପରୀକ୍ଷା ଫରୀକ୍ଷା ଦେଇ କେତେ ଜଣଙ୍କୁ ଟପି ଥାନା ଅଫିସର ଚାକିରି ପାଇଲି ମୋର ବିଚାର କହନ୍ତୁ କି ସ୍ୱପ୍ନ କହନ୍ତୁ, ଥିଲା ଯେ ମୋ ହାତରେ ଯେଉଁ ଅଞ୍ଚଳ ରହିବ ସେଠି ମୁଁ ଅନ୍ୟାୟକୁ ବଢ଼ିବାକୁ ଦେବି ନାହିଁ । ଛୋଟ ଚୋର, ନୁଆ ବଦମାସ୍‌କୁ ବ୍ୟବହାରଦ୍ୱାରା ବଡ଼ ଚୋର ଆଉ ମହାବଦମାସ୍‌ ହେବାକୁ ବାଧ୍ୟ କରନ୍ତି-। ସେମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର କରାହୁଏ, ମୁଁ ତାହା ହେବାକୁ ଦେବି ନାହିଁ । ପଇସା-ବାଲା ଲୋକ ଯାହା ଅନ୍ୟାୟ କରୁ ପଛେ ପଇସା ବଳରେ ଖସି ଯିବାର ଉପାୟ କରେ; ମୁଁ ତାହା କରାଇ ଦେବି ନାହିଁ । ନାଁ କୁ ନେତା ହୋଇ ଲୋକଙ୍କଠାରୁ ଅନେକ ବାଟରେ ଅନେକ ଲାଭ ଉଠାନ୍ତି । ସେଥିପ୍ରତି ଦୃଷ୍ଟି ଦେବି । ଏହିପରି ଅନେକ କଥା ଭାବି କାମ ଆରମ୍ଭ କଲି । ଦେଖୁ ଦେଖୁ ନାମ ହୋଇଗଲା । ସାଧୁତାର ମୁଖାପିନ୍ଧି ଯେଉଁମାନେ ଅସାଧୁତାର ଜୀବନ କାଟୁଥିଲେ ସେମାନଙ୍କର ପ୍ରକୃତ ରୂପ ଲୋକଙ୍କ ଆଗରେ ଧରାଇ ଦେଲି । ଅତି ନିର୍ଭିକ ଭାବରେ ମୁଁ ଚାଲୁଥାଏ-। ଅନ୍ୟାୟ କରୁନାହିଁ, ଅପଥକୁ ଯାଉନାହିଁ, ଅବିଚାର କିମ୍ବା ପକ୍ଷପାତ କରୁନାହିଁ ଡର ଆଉ କାହାକୁ ଆଉ କାହିଁକି ? ମୋ ବିରୁଦ୍ଧରେ କିନ୍ତୁ ଚାଲିଲା ଷଡ଼ଯନ୍ତ୍ର । ସେ ଷଡ଼ଯନ୍ତ୍ରର ଚାଳକ କେଉଁମାନେ ଜାଣନ୍ତି ? ଯେଉଁମାନଙ୍କ ଲାଗି ମୁଁ ଏତେ କଷ୍ଟ ସହୁଥିଲି–ଯେଉଁମାନଙ୍କର ଉପକାର କରୁଥିଲି ସେଇମାନେ । ସେମାନେ ସବୁ ଭୁଲିଯାଇ ବିକ୍ରି ହୋଇଗଲେ ମୁଖା-ପିନ୍ଧା ଅସାଧୁଙ୍କ ହାତରେ । ନାନା କଥା ମୋ ବିରୁଦ୍ଧରେ ଉଠିଲା । ଫଳରେ ମୋ ନାମରେ ମୋକଦ୍ଦମା ଚାଲିଲା । ଖୋଜିଲି, ମୋ ପକ୍ଷରେ କେହି ଜଣେ ହେଲେ ବାହାରି ସତ କହୁ । ମନରେ ଭାବିଲେ ମଧ୍ୟ କାମରେ କେହି କଲେ ନାହିଁ, ଡରିଲେ । ଆଜି ସତ କହିଦେବେ–ମୋ ବଦଳି ହୋଇଗଲେ ସେମାନଙ୍କ ପିଠିରେ କିଏ ପଡ଼ିବ ? ଉପଯୁକ୍ତ ସାକ୍ଷୀ ଅଭାବରୁ ମୋର ଦୋଷ ବୋଲି ପ୍ରମାଣିତ ହେଲା । ଚାକିରି ଗଲା । ଲହୁଣୀ ଯୁଗରେ ଲହୁଣୀର ପ୍ରୟୋଗ ଯିଏ କରି ନପାରିଲା, ତା’ର ଜୀଇଁ ରହିବା ବୃଥା । କେହିଜଣେ ପ୍ରଶ୍ନକଲା–ଆପଣଙ୍କ ପକ୍ଷରେ ଜଣେହେଲେ ବାହାରିଲେ ନାହିଁ ? ‘କହିଲିପରା, ଯୁବକ ଉତ୍ତର ଦେଲେ, ବାହାରିଲେ, କିନ୍ତୁ ଭରସିକରି ଆଗକୁ ଆସିଲେ ନାହିଁ ।’ ‘କ’ଣ କରିବୁ କହନ୍ତୁ ଜଳରେ ରହି କୁମ୍ଭୀର ସାଙ୍ଗରେ ଶତ୍ରୁତା ।’ ଏଇ ସମସ୍ତଙ୍କ ତୁଣ୍ଡରେ ବସା ବାନ୍ଧିଲା । ଯେଉଁ ଦେଶର ଲୋକେ ଏତେ ଗରିବ, ସେଠେଇ କ’ଣ ଆଶା କରିବ ? ପଇସା ବଳ ନାହିଁ କି ଦେହର ବଳ ନାହିଁ-। ଏ ଦୁଇଟି ନ ଥିଲେ ମନର ବଳ ଆପେ ଆପେ ଖସିଯାଏ ।

 

ବଡ଼ ଅନ୍ୟାୟ କିନ୍ତୁ ହେଲା–କୃତଘ୍ନତା, ଘୋର କୃତଘ୍ନତା ।

 

ପ୍ରଶ୍ନକର୍ତ୍ତା ସହାନୁଭୂତି ପ୍ରକାଶ କଲେ ।

 

ଯୁବକ କହିଲେ–ଯେଉଁଠି ଲୋକ ଖାଇବା ବିନା ମରୁଚି ତା’ର ନ୍ୟାୟ ଅନ୍ୟାୟ ବୁଝି କାମ କରିବାର ବେଳ କାହିଁ ? ଓଲଟି ସେଇଲୋକେ କହିଲେ–ବିଛା ମନ୍ତର ନଜାଣି ସାପ ଗାତରେ ହାତ ପୁରାଇଥିଲା–ଭୋଗିବ ନାହିଁ ।

 

ବୋଷ୍‍ବାବୁ କହିଲେ–ଆପଣ ଏଥର ସାପ ମନ୍ତରଟା ଶିଖି ପକାନ୍ତୁ । ସାପଗୁଡ଼ାଙ୍କୁ ସିନା ସେମିତି ନଷ୍ଟ କରି ପାରିଲେ ନାହିଁ, ଏମିତି ବଶ କରି ପାରିବେ ।

 

ଯୁବକ କହିଲେ–ମୁଁ କିନ୍ତୁ ସାପଗୁଡ଼ାଙ୍କୁ ନଷ୍ଟ କରିବାକୁ ଚାହେଁ ।

 

ବୋଷ୍‍ବାବୁ କହିଲେ–ବାବୁ, ଆପଣ ସିନା ଯୁଦ୍ଧ ଜାଣନ୍ତି କିନ୍ତୁ ବ୍ୟୂହ ଭେଦ ଜାଣନ୍ତି ନାହିଁ-। ସେତକ ନ ଶିଖି ହଠାତ୍‌ ଯୁଦ୍ଧକୁ ଡେଇଁ ପଡ଼ିବାଟା ଠିକ୍‌ ନ ଥିଲା । ଜାଣନ୍ତି ସରକାର ସେମାନଙ୍କୁ ବଶକରି ସେମାନଙ୍କଠାରୁ ଗରଳ ସଂଗ୍ରହ କରି ଅନେକ ଉପକାରରେ ଲଗାଉଚି–ଆଉ ଆପଣ ?

 

ଯୁବକ କ୍ଷୁବ୍‌ଧ ହୋଇ କହିଲେ–ମୁଁ କିନ୍ତୁ ଜାଣି ନ ଥିଲି ଯେ ସରକାରଠାରୁ ଏଭଳି ପୁରସ୍କାର ପାଇବି ।

 

ବୋଷ୍‍ବାବୁ ଜଗୁକୁ ଲକ୍ଷ୍ୟକରି କହିଲେ–ଜଗୁଭାଇ ତୁମ ସରକାରଙ୍କର ଏ ଦୋଷଟା କାହିଁକି ? କ’ଣ ଜନସଂଖ୍ୟା ବୃଦ୍ଧି ପାଇଁ ।

 

ଜଗୁ କହିଲା–ଜାଣନ୍ତି, ଆମର ଜଣେ ନେତା ଥିଲେ ସେ କହିଥିଲେ–

 

ସ୍ୱାଧୀନତା ପଥେ ଅଛି ଯେତେ ଗାଡ଼

ପୂରୁ ପଡ଼ି ତହିଁ ମୋର ମାଂସ ହାଡ଼ ।

 

ସେମିତି ଆମର ସରକାର ଭିତରେ ଅନେକ ଗାଡ଼ ଅଛି । ଆଉ ଏମିତି ଅକେକଙ୍କର ବଳି ସେଠାରେ ଆବଶ୍ୟକ । ତା ପରେ ଏକ ସୁନ୍ଦର ସୁଠାମ ସରକାର ଦିନେ ନା ଦିନେ ଗଢ଼ି ଉଠିବ ।

 

ବୋଷ୍‍ବାବୁ କହିଲେ–ଭଗବାନ୍‌ ସେ ଅଭାଗାଗୁଡ଼ିଙ୍କୁ ରକ୍ଷା କରନ୍ତୁ ।

 

ଜଗୁ କହିଲା–ଦେଖନ୍ତୁ, ଦିନ ଆସିବ ଯେତେବେଳେ ଏଇ ସୁପୁରୁଷମାନଙ୍କର ପୂଜା ହେବ । ସେ ଦିନ ଆଉ ବେଶିଦିନ ନାହିଁ ।

 

ବୃଦ୍ଧ ଜଣକ ଏପର୍ଯ୍ୟନ୍ତ ଚୁପ୍‌ ଥିଲେ । ଏଥର କହିଲେ–କୃଷ୍ଣ କୃଷ୍ଣ । କାହିଁକି ଆଉ ଏପରି ଅକାଳ ଘୋଟିଚି କି ? ଏଇ ମନୁଷ୍ୟକୁ ମନୁଷ୍ୟ ପୂଜା କରିବାରୁ ନା....ଆରେ ବାବୁ ଦେବତାଙ୍କୁ ପୂଜାକର, କୃଷ୍ଣଙ୍କୁ ପୂଜାକର, ରାମଙ୍କ ନାମ ନିଅ, ତା କାହିଁ....

 

ବୋଷ୍‍ବାବୁ କହିଲେ–ମହାତ୍ମାଜୀ–ଆପଣଙ୍କ କୃଷ୍ଣ ତ ଏସବୁର ମୂଳ । ସେଇ ତ କହିଲେ ଇନ୍ଦ୍ରକୁ ପୂଜା କର ନାହିଁ ।

 

ବୃଦ୍ଧ, କୃଷ୍ଣ କୃଷ୍ଣ ଆଉ କେତେଥର ଜପ କରି କେତେକ ଅସ୍ପଷ୍ଟ ବାକ୍ୟ ଉଚ୍ଚାରଣ କରି ଚୁପ୍‌ ହୋଇଗଲେ ।

 

ଜଗୁ କିଛି କହିବ ବୋଲି ଚାହୁଁଥିଲା । ଫେର୍‍ ଭାବିଲା–କ’ଣ ମିଳିବ ଆଲୋଚନାରୁ । ଏଥିରେ ନା ଦାରିଦ୍ର୍ୟ ଦୂର ହେବ ନା ନୈତିକତା ବଢ଼ିବ । ନୈତିକତା ଯେ ପାଳନ କରେ ସେ ତା’ର ମୂଲ୍ୟ ବୁଝେ । ପାଳନ କରି ପରିଣତିରୁ ଯାହା ପ୍ରାପ୍ତ ହୁଏ ତାହା ତାକୁ ଆନନ୍ଦ ଦିଏ । ଯେ ନୈତିକତା ପାଳନ କରେନାହିଁ ତାକୁ ସେ ସମ୍ବନ୍ଧରେ ବୁଝାଇବା କଷ୍ଟ । ତାକୁ ଲାଗିଲା ଯେମିତି ଚାରିଆଡ଼ ଅନ୍ଧାର ଆଉ ଅନ୍ଧାର । ତା’ର ମଧ୍ୟ କିଛି ବିଚାର ଥିଲା ଦେଶପାଇଁ କିଛି କରିବ ବୋଲି । ତା ପାଇଁ ସେ କିଛି ତ୍ୟାଗ ମଧ୍ୟ କରିଚି । ନିଜର ପଢ଼ାଛାଡ଼ିଚି । ଗରିବହିଁ କେବଳ ଗରିବର ଦୁଃଖ ବୁଝିପାରିବ । ଏଇ ଗରିବଙ୍କ ସଂସାରରେ ଜୀବନ କଟିବ ବୋଲି ସେ ଧନୀ ହେବାର ଚେଷ୍ଟା କରି ନାହିଁ । କିନ୍ତୁ ଶେଷରେ ହେଲା କ’ଣ ? ସମସ୍ତେ ତାକୁ ଅବିଶ୍ୱାସ କରିଛନ୍ତି । ତା’ର ଆଶା ଥିଲା ସେ ଲୋକପ୍ରତିନିଧି ହୋଇ ଆସେମ୍ବ୍ଲିକି ଯିବ । କିନ୍ତୁ ସେଠେଇ କି ଯିବାକୁ ହେଲେ ମଧ୍ୟ ପଇସା ଦରକାର-। ଖାଲି ହାତରେ କି କାମ ହେବ ? ଟଙ୍କା ବିଚିତ୍ର କଥା ସୃଷ୍ଟିକରେ । ଗୋଟିଏ ସତ୍‌ ବ୍ୟକ୍ତିକୁ ଅସତ୍‌ ବୋଲି ପ୍ରମାଣ କରିନେଲା କି ନା ? ପରିତ୍ୟକ୍ତ ଦାରୋଗା ତ ଏଇନା କହୁଥିଲା । ସେହିପରି ମହତ୍‌ କାର୍ଯ୍ୟ ମଧ୍ୟ ଟଙ୍କା ଦ୍ୱାରାହିଁ କରିହୁଏ । ସେ କିଏ ଆଉ ପଇସା କିଏ ?

 

ସେ ଖାଲି ସ୍ୱପ୍ନ ଦେଖୁଥିଲା । ସପନ ଭାଙ୍ଗିଲା ବେଳକୁ ସେ ଯେଉଁଠି ସେଇଠି । ଶେଷରେ ତାକୁ ସବୁ ସୁଖରେ ଜଳାଞ୍ଜଳି ଦେଇ ଏତେଦୂର ଆସିବାକୁ ପଡ଼ିଲା । ଏସବୁ କଥା ସେ କାହାକୁ କହିବ ? ତହିଁରୁ ତାକୁ ମିଳିବ କେତେ ? କିଏ ଏକଥା ବିଶ୍ୱାସ କରିବ ଯେ ତା’ର ନେତା ହେବାର ଯୋଗ୍ୟତା ଥିଲା ? ବେଶି କିଛି କହି ସେ ଆଲୋଚନାକୁ ଅଯଥା ଲମ୍ବ କରିବାକୁ ଚାହୁଁ ନଥିଲା । ସେ ଜାଣେ କଥାର ଶେଷ ନାହିଁ କି ମତର ଶେଷ ନାହିଁ, ଶେଷ ଅଛି ଖାଲି ଏଇ ରେଳ ଯାତ୍ରାର । ଆଉ କେତେଟା ଘଣ୍ଟା–ତା ପରେ ଯେ କୁଆଡ଼େ ଆପଣା ଆପଣା ବାଟ ଧରିବେ । ଦେଖୁ ଦେଖୁ ଏତେବାଟ ଏଣୁତେଣୁ କଥାରେ କଟିଗଲା । ଜଗୁକୁ ଲାଗିଲା ଯେମିତି ସେ ସବୁ ତୁଚ୍ଛା କଥାଗୁଡ଼ାକ । ତା’ର ନା କିଛି ମୂଲ ଅଛି ନା ଓଜନ ଅଛି ।

 

ରାତି ଅନେକ ହୋଇ ଯାଇଚି । ଯେଉଁମାନେ ଏ କଥାରେ ଭାଗ ନେଉଛନ୍ତି ସେମାନଙ୍କ ପାଇଁ ଆନନ୍ଦ । କିନ୍ତୁ ଆଉ ଲୋକଙ୍କୁ ? ବିପଦ ଛଡ଼ା ଆଉ କଅଣ ? ପାଖରେ ଗଜର ଗଜର ହେଲେ ନିଦ ଆସିବ କୁଆଡ଼ୁ ? ଚାରିଆଡ଼କୁ ଆଖି ବୁଲାଇଲା । ଦେଖିଲା ବହୁତ ଲୋକ ଶୋଇ ପଡ଼ିଲେଣି । ଯେଉଁଠି ବସିଛନ୍ତି ସେଇଠି ବେକକୁ ଭାଙ୍ଗି କିଏ ଆଣ୍ଠୁରେ ଠେକେଇ, କିଏ ଆଉ କାହା କାନ୍ଧରେ ମୁଣ୍ଡ ରଖି ଶୋଇପଡ଼ିଛନ୍ତି । ଦୂରକୁ ଦୁଆର ମୁହଁକୁ ଲାଗି ଦି’ଜଣ ଠିଆ ଠିଆରେ ଶୋଇ ଗଲେଣି, କେଉଁ ବେପାରୀର ଲୁଗା ଗଣ୍ଠିଲି ମୁଣ୍ଡେ ଉଞ୍ଚରେ, ଗୋଟାଏ ଉପରେ ଗୋଟାଏ ହୋଇ ଥୁଆ ହୋଇଚି, ତାରି ଆଶ୍ରାରେ ।

 

ନିଦ୍ରାଦେବୀଙ୍କ କୃପା । ସମସ୍ତକୁ ସେ ସମାନ ଭାବରେ ଦେଖୁଛନ୍ତି । ଲକ୍ଷ୍ମୀଙ୍କ ପରି ତାଙ୍କର କୃପା ବାଣ୍ଟିବାରେ ଅଳପ ବେଶି ନାହିଁ । ତାକୁ ମଧ୍ୟ ନିଦ ଆସୁଚି । ସେ ମଧ୍ୟ ଶୋଇବାକୁ ଚାହେଁ, ଆଉ ଲୋକଙ୍କ ପରି । ହାତରେ ମାଳା ଧରି କଥା କଥାକେ କୃଷ୍ଣ କୃଷ୍ଣ ଉଚ୍ଚାରଣ କରୁଥିବା ବୃଦ୍ଧ ଶୋଇ ପଡ଼ିଲେଣି । ପାଟିଟା ମେଲାହୋଇ ଯାଇଚି । ଯେମିତି କି କୃଷ୍ଣ କୃଷ୍ଣ କହିବାକୁ ସଜ ହୋଇ ରହିଚି । ଦି’ଜଣ ସରଦାର୍‍ଙ୍କ ଭିତରୁ ଜଣେ ଶୋଇ ପଡ଼ିଲେଣି । ତାଙ୍କ ଦାଢ଼ି ପବନରେ ଫୁରୁ ଫୁରୁ ଉଡ଼ୁଚି, ଅନ୍ୟ ଜଣକ ଶୋଇ ନାହାନ୍ତି, ଶୋଇବେ । ନିଦ ତାଙ୍କ ଉପରେ ମଧ୍ୟ ହାତ ବୁଲାଇଲା ପରି ଲାଗୁଚି । ଆଖି ନାଲ ନାଲ ହୋଇ ଆସୁଚି । ହାଇ ଉପରେ ହାଇ । ଏଇନା ସେ ମଧ୍ୟ ଶୋଇ ପଡ଼ିବେ । ଆଉ ସ୍ୱପ୍ନ ଦେଖିବେ ପଞ୍ଜାବର । ସେଇ ସୁଖ ଦିନର କଥା, ଯାହା ସେ କଥା କଥାକେ ବ୍ୟକ୍ତ କରୁଥିଲେ ।

 

ଗାଡ଼ି ଅଟକି ଗଲା । କ’ଣ କଥା ? ଷ୍ଟେସନ ପରି ତ ଜଣାପଡ଼ୁ ନାହିଁ । ଲାଗୁଚି ଷ୍ଟେସନବାଲା ଶୋଇପଡ଼ିଛନ୍ତି । ସିଗ୍‌ନାଲ ଦିଆ ହୋଇ ନାହିଁ, ଗାଡ଼ି ପାଟି କରି କରି ଡାକି ଲାଗିଲା–ରାସ୍ତା ସଫାର ସଙ୍କେତ ଦିଅ । କେତେ ଲୋକଙ୍କର ନିଦ ଭାଙ୍ଗିଗଲା । ଟିକିଏ ଆଖି ଖୋଲି ଫେର୍‍ ଶୋଇ ପଡ଼ିଲେ । ଅନେକ ତଳେ ଶୋଇପଡ଼ିଛନ୍ତି । ସେଇ ଅଳିଆ ମଇଳାରେ । ସଫା ସୁତୁରା କ’ଣ ଅଳିଆ ମଳିଆ କଅଣ ସବୁ ଭୁଲି ଯାଇଛନ୍ତି । କୁଆଡ଼ୁ ଆଇଲେ କୁଆଡ଼େ ଯିବେ ସେକଥା ମନେ ନାହିଁ । ଜଣେ ଯୁବକକୁ ନିଦ ନାହିଁ । ସେ ଖାଲି ଗୋଟାକ ଉପରେ ଗୋଟାଏ ବିଡ଼ି ଟାଣୁଚି । ସେ ଖୋଜୁଚି, କିଏ ତା ସାଙ୍ଗକୁ ଜଣେ ମିଳି ଯାଆନ୍ତା କି ସେ ଗପନ୍ତା । କାହାର ଗରଜ ପଡ଼ିଚି । ନିଦ ଛାଡ଼ି ବକର ବକର ହେବ, ନ ହେଲେ ଆଉ କାହା ବକର ବକର ଶୁଣିବ । କିଛି ସମୟ ପରେ ସଙ୍କେତ ମିଳିଲା । ଗାଡ଼ି ଧୀରେ ଧୀରେ ଚାଲିଲା । ଚାଲିବା ଆଗରୁ ନିଜେ ମଧ୍ୟ ଗୋଟାଏ ପାଟିକରି ଜଣାଇ ଦେଲା, ଚାଲିଲି–ତଳକୁ ଓହ୍ଲାଇବା ଲୋକ ଚଢ଼ିଯାଅ । ରହିଗଲେ ଦୋଷ ଦେବ ନାହିଁ ।

 

ଷ୍ଟେସନ ଆସିଲା–ଷ୍ଟେସନ ଗଲା । ଛୋଟ ଷ୍ଟେସନରେ ଗାଡ଼ି ରହିଲା ନାହିଁ । ଖାଲି ଏକ ମସାଲ ଆଲୁଅ ଧରି ଷ୍ଟେସନବାଲା ଗାଡ଼ିକୁ ସ୍ୱାଗତ ଜଣାଇବାକୁ ଠିଆହୋଇ ରହିଥିଲେ । ଜଗୁ ଚୁପ୍‍ ହୋଇ ଝରକାଆଡ଼କୁ ଅନାଇ ବସିଗଲା । ଭାରି ଅନ୍ଧାର ହେଇଚି । କେଉଁ କେଉଁଠି ବହୁତ ଦୂରରୁ ବତୀ ଆଲୁଅ ଦିଶୁଚି । ଚାରିଆଡ଼ ଶୂନସାନ୍‌ । ଲାଗୁଚି ସାରା ସଂସାର ଶୋଇପଡ଼ିଚି । ଖାଲି ଚେଇଁଚି ସେଇ ଗାଡ଼ିର ଚାଳକ ଆଉ ତା ସାଥୀ ଯେ ଗାଡ଼ିର ଭୋକ ଶୋଷ ବୁଝେ, ଗାଡ଼ିର ପେଟ ଭିତରକୁ ଯେ ଖାଦ୍ୟ ଯୋଗାଇ ଦିଏ । ଆଉ ଜଣେ ଚେଇଁଚି ଗାଡ଼ିର ଲାଞ୍ଜପଟ ଡବାରେ । ଗାଡ଼ି ବିଚରା, ଏତେ ଲୋକଙ୍କ ଭିତରେ ଥାଇ ମଧ୍ୟ ସେ ଏକୁଟିଆ । ସମୁଦ୍ରରେ ଏତେ ପାଣି ଭିତରେ ମଣିଷ ଶୋଷରେ ରହିଲା ପରି ତା ଅବସ୍ଥା । ନିଦ ତ ଆସୁଥିବ; କିନ୍ତୁ ସେ ସାଧବ ବୋହୂ ସୂତା କାଟୁ କାଟୁ ନିଦ ଆସିଲେ ନିଦକୁ ଅପେକ୍ଷା କରିବାକୁ କହିଲା ପରି ସେ କହୁଥିବ ।

 

ଆସ ହେ ନିଦ ଆସ

ପାଣିନିଅ ଗୋଡ଼ଧୂଅ

ଚଉକିରେ ଟିକେ ବସ

ପିକା ଖଣ୍ଡେ ଶୋଷ ।

ଅନେକ ଷ୍ଟେସନ ବାକି

କେମିତି ଦେବି ଫାଙ୍କି

କାମ ହୋଇନି ଶେଷ

ଚଉକିରେ ଟିକେ ବସ,

ପିକା ଖଣ୍ଡେ ଶୋଷ ।

 

ଏଇ, ବିଲୁଆ ଭୁକିଲେ । ଗାଡ଼ି ଶବ୍ଦରେ ନିଦ ଭାଙ୍ଗିଗଲା । ପ୍ରତିବାଦର ଧ୍ୱନୀ ? ନାଇଁ, ବିଲୁଆ ରାତିରେ ଶୁଅନ୍ତି ? ନିଶାଚର ଏମାନେ । ଏମାନକୁ ମଧ୍ୟ ନିଦ ନାହିଁ । ରାତି ପାହିଲେ ନିଦ ଏଇମାନଙ୍କ ପାଖକୁ ଯିବ, ସେଇ ଗାଡ଼ିବାଲା ଦୁଇଜଣ, ଗାଡ଼ି ଆଉ ଏଇ ବିଲୁଆ । ଗାଡ଼ି ଛୁକ୍‌ ଛୁକ୍‌ ଶବ୍ଦ କରି ଧାଇଁଚି । ଯେମିତି ବିଲୁଆଙ୍କୁ କହିଯାଉଚି–ଚୁପ୍‍ ଚୁପ୍‌ ଚୁପ୍‌ ଚୁପ୍‌ । ସମସ୍ତେ ଶୋଇପଡ଼ିଛନ୍ତି–ପାଟି କରନା, ଚୁପ୍‌ ଚୁପ୍ । ଜଗୁଭାଇ ଶୋଇପଡ଼ିଚ କି ? ଉଠ, ନିଦ ଲାଗୁ ନାହିଁ । ଟିକିଏ କଥାବାର୍ତ୍ତା ହେବା । ପରିତ୍ୟକ୍ତ ଦାରୋଗା ଯୁବକ କହିଲେ ।

 

ଜଗୁ କହିଲା–ନିଦ ମାଡ଼ୁ ନାହିଁ ? ଟିକିଏ ଶୋଇ ପଡ଼ନ୍ତୁ । ନ ହେଲେ ଦେହ ବିଗିଡ଼ିଯିବ-

 

କିଏ ଜଣେ ଘୁଙ୍ଗୁଡ଼ି ମାରିଲା । କଥାରେ ବାଧା ପଡ଼ିଲା । ଜଗୁ ଦେଖିଲା ରମଣବାବୁଙ୍କ ପିଲାଏ ଇଆଡ଼େ ସିଆଡ଼େ ଛିଡ଼ିକି ପଡ଼ିଲାପରି ଶୋଇପଡ଼ିଛନ୍ତି । ଗଣ୍ଠିରିଟାଏ ପରି ତାଙ୍କ ସ୍ତ୍ରୀ ଲୋଚା କୋଚା ହୋଇ ଶୋଇପଡ଼ିଚି । ରମଣବାବୁ ମଧ୍ୟ ଉପରକୁ ଆଁ କରି ଶୋଇପଡ଼ିଛନ୍ତି । ତାଙ୍କରି ମୁହଁରୁ ଶବ୍ଦ ଆସୁଚି । ଲାଗୁଚି ଯେମିତି ସେ ଅଚେତନ ଅବସ୍ଥାରେ ମଧ୍ୟ ତାଙ୍କ ମନର ଅବ୍ୟକ୍ତ ଅସନ୍ତୋଷକୁ ବ୍ୟକ୍ତ କରୁଛନ୍ତି । ଜଗୁ ତେଣୁ ଆଖି ଫେରାଇ ପୁଣି ବାହାରକୁ ଅନାଇଲା । ଯୁବକଙ୍କୁ କହିଲା–ବହୁତ କଥା ପଡ଼ିସାରିଚି, ଫେର୍‍ କି କଥା ପକାଇବା ତା ପାଇଁ ଭାବିବାକୁ ହେବ-

 

ଯୁବକ ପ୍ରଶ୍ନ କଲେ ମୁଁ ଭାବିକରି ଆସିଚି–ଆଚ୍ଛା, କହିଲେ ଦେଖି ତୁମେ କ’ଣ ପାଠ ପଢ଼ିଚ ? ପଚାରିଲି ବୋଲି କିଛି ଭାବିବ ନାହିଁ । ‘‘କାହିଁକି ? କ’ଣ କଥା ? ହଠାତ୍‌ ଏ ପ୍ରଶ୍ନ କାହିଁକି-?’’ ଜଗୁ ପଚାରିଲା–‘‘ତୁମ କଥାରୁ ଜଣାପଡ଼ୁଚି ତୁମେ ଖୁବ୍‌ ପାଠଶାଠ ପଢ଼ିଚ ।’’

 

ଜଗୁ କହିଲା–କ୍ଷମା କରିବେ । ଆପଣଙ୍କ ନାଁଟା–

 

ଯୁବକ କହିଲେ–ମୋ ନାଁଟା ମୁଁ କହି ନାହିଁ ନା ? ମୋ ନାଁ ମାଧବ ଚୌଧୁରୀ ।

 

ଜଗୁ କହିଲା–ମାଧବବାବୁ, କଥାବାର୍ତ୍ତାରୁ ମୁଁ ପାଠ ପଢ଼ିଚି ବୋଲି କେମିତି ଜାଣିଲେ । ହଁ କିଛି ପଢ଼ିଚି । ତେବେ ସେ ପଢ଼ାର ମୂଲ୍ୟ କିଛି ନାହିଁ ।

 

‘‘କାହଁକି ? କଥା କ’ଣ ?’’

 

‘‘କଥା ହେଉଚି–ମୁଁ କିଛି ପାସ୍‍ କରିନାହିଁ ।’’

 

ମଲା, ତା ପାଇଁ କ’ଣ ଭାସିଗଲା ?

 

ଜଗୁ କହିଲା–କ’ଣ ଭାସିଗଲା ଦେଖନ୍ତୁ । ଦେଉଳ ତୋଳି ପ୍ରତିଷ୍ଠା ନ କଲେ କେହି ସେଠିକି ପୂଜା କରିବାକୁ ଯିବେ ? ସେମିତି କଥା । ପାଠ ପଢ଼ି ସାର୍ଟିଫିକେଟ ହାସଲ ନକଲେ ସେ ପାଠର ମୂଲ୍ୟ କ’ଣ ?

 

‘‘ଆପଣ ପାସ୍‍କଲେ ନାହିଁ କାହିଁକି ?’’

 

‘‘ତା ପଛରେ ବହୁତ କଥା ଅଛି ।’’

 

ଏତିକି କହି ଜଗୁ ଚୁପ୍ ହୋଇଗଲା–ଭାବୁଥିଲା କହିବ କି ନା, କିଛି କ୍ଷଣ ପରେ ଆରମ୍ଭ କଲା ।

 

ମାଧବବାବୁ, ଆପଣ କେବେ ବିଶ୍ୱାସ କରି ପାରିବେ ଯେ ମୁଁ ଖୁବ୍ ବୁଦ୍ଧିଆ ଥିଲି ? କ୍ଲାସରେ ପ୍ରଥମ ହେବା ଯେମିତି ଥିଲା ମୋର ଜନ୍ମଗତ ଅଧିକାର । ଦୌଡ଼ାଦୌଡ଼ିରେ, ଖେଳରେ ମୋର ଖୁବ୍ ନାଁ ଥିଲା । ସ୍କୁଲର ମୁଁ ଥିଲି ମଣି । ଶିକ୍ଷକମାନେ ଆଶା ରଖିଥିଲେ ଯେ ମୁଁ ସ୍କୁଲର ନାମ ରଖିବି । ପରୀକ୍ଷା ଅଳ୍ପଦିନ ଅଛି । ବାପା ଘରୁ ଲୋକ ପଠାଇଲେ–ବୋଉ ବେମାର–ମୁଁ ସେ ଲୋକ ସାଙ୍ଗରେ ଘରକୁ ଯେପରି ସମ୍ବାଦ ପାଇଲା ମାତ୍ରେ ଚାଲିଆସେ । ଗୋଟାଏ ପଟେ ପରୀକ୍ଷା ଠିଆ ହୋଇଛି ମୋ ପାଇଁ ଏକ ରଙ୍ଗିନ ଭବିଷ୍ୟତ ଧରି, ଆଉ ଗୋଟାଏ ପଟେ ବୋଉର ଆଶା, ମୋତେ ଦେଖିବ ବୋଲି । ବୋଉର ଆଶା ପୂରଣ କରିବାକୁ ହେବ । ମୁଁ ଗଲି । ବୋଉକୁ ଦେଖିଲି ସତ ରଖିପାରିଲି ନାହିଁ । ମୋ ପାଇଁ ନା ରହିଲା ବୋଉ, ନା ପରୀକ୍ଷା, କେଉଁଟିକୁ ମୁଁ ଧରି ପାରିଲି ନାହିଁ । ବୋଉ ପରେ ପରେ ବାପା ବେମାର ପଡ଼ିଲେ । ସଂସାରର ସମସ୍ତ ଭାର ମୋ ମୁଣ୍ଡରେ ପଡ଼ିଲା । ବାପାଙ୍କୁ ବଞ୍ଚାଇ ପାରିଲେ ସବୁ । ଚେଷ୍ଟା ଚାଲିଲା । ବାପା ବୋଉ ପାଇଁ କିଛି କରଜ କରିଥିଲେ–ତାକୁ ପରିଶୋଧ କରିବା ପୂର୍ବରୁ ତାଙ୍କପାଇଁ ମୁଁ ପୁଣି କରଜ କରିବା ଆରମ୍ଭ କରିଦେଲି-। ବୋଝ ଉପରେ ଲଳିତା ବିଡ଼ା ପରି ମୋ ବୋଝ ଗରୁ ହୋଇଗଲା । ବାପା ଏକୁଟିଆ ଲୋକ ତାଙ୍କୁ ଦେଖିବ କିଏ ? ତାଙ୍କର ସେବା କରିବ କିଏ-? ନାହିଁ ନାହିଁ ହୋଇ ଦୁଇ ତିନିବର୍ଷ ଟାଳି ଦେଲି । ଆଉ ତେଣିକି ପାରିଲି ନାହିଁ । ସେଇଠି ପୋଥିରେ ଡୋରି ବନ୍ଧା ହେଲା । ତାରି ଫଳରେ ମୋତେ ବାହାରକୁ ଆସିବାକୁ ପଡ଼ିଲା । ବାପା ବି ଗଲେ ଧନ ବି ଗଲା । ପେଟର ଦାଉ କେବଳ ନିଜର ହୋଇ ରହିଗଲା ।

 

ରତନ ସିଂ ପଚାରିଲେ–‘‘ଜଗୁଭାଇ, ତୁମର ଆଉ କେହି ଭାଇ ନାହାନ୍ତି ?’’ ରତନ ସିଂଙ୍କର କେତେବେଳେ ନିଦ ଭାଙ୍ଗିଯାଇଚି ଜଗୁ ଜାଣେ ନାହିଁ । ସେ ଆଖି ବୁଜି ବୁଜି ବୋଧହୁଏ ଜଗୁର ଇତିହାସ ଶୁଣୁଥିଲେ ।

 

ଜଗୁ ଚୁପ୍‍ ରହିଲା, କ’ଣ କହିବ ? କାହିଁକି ବା କହିବ ? ସେ ତା ଜୀବନୀର ଏକ ଅଲଗା ଅଧ୍ୟାୟ ଅତି କରୁଣ–ଆଉ ରହସ୍ୟମୟ.....ନ କହିଲେ ବରଂ ଭଲ ।

 

କେତେବେଳେକେ କହିଲା–ନାଇଁ, ମୋର ଆଉ ଭାଇ ନାହାନ୍ତି । ରତନ ସିଂ ଶୁଣିଲେ କି ଶୋଇପଡ଼ିଥିଲେ ଜଣାପଡ଼ିଲା ନାହିଁ ।

 

ମାଧବବାବୁ କହିଲେ–ଜଗୁଭାଇ, ତୁମେ ପରୀକ୍ଷାଟେ ଦେଇଦିଅ ତୁମର ଯେମିତି ଜ୍ଞାନ ତହିଁରେ ଖାଲି ପରୀକ୍ଷାରେ ବସିଗଲେ ହେଲା ।

 

ଜଗୁ ଏ କଥାର ଉତ୍ତରରେ ଖାଲି ଟିକିଏ ହସିଦେଲା ।

 

ମାଧବବାବୁ କହିଲେ–କ’ଣ ଭୁଲକଥା କହିଲି ?

Unknown

 

ଜଗୁ କହିଲା–ନାଇଁ ଛାଡ଼ନ୍ତୁ । ଯାହା ହେବାର ଥାଏ, ହୁଏ । ମୋ ଭଳିଆ ଏମିତି କେତେ ପଡ଼ିଛନ୍ତି । କିଏ କାହାକୁ ପଚାରୁଚି ?

 

ମାଧବବାବୁ କହିଲେ–ନିଜର ଅବସ୍ଥାକୁ ଯଦି ଚେଷ୍ଟାକରି ବଦଳାଇ ହେବ ତେବେ ଚେଷ୍ଟା କରିବା ଉଚିତ । ଯାହା ହେବାର ତା ହେବ, ଏକଥା ମୁଁ ମଧ୍ୟ ମାନେ । କିଛି ନପଢ଼ି ଲୋକେ କାହିଁ ଶିଖରରେ ବସିଯାଇଛନ୍ତି । ଆଉ ସେଇଠି ପଢ଼ାଲେଖା ଲୋକେ ପଡ଼ିଛନ୍ତି ତଳେ । ତା ବୋଲି ଚେଷ୍ଟାରୁ ହଟିଯିବା କଥା ନୁହେଁ ।

 

ବୋଷ୍‍ବାବୁଙ୍କର ନିଦ ଭାଙ୍ଗିଯାଇଚି । କହିଲେ ଦାରୋଗାବାବୁ, ଏ ହେଲା ଲବଣୀ ଯୁଗ-। ଲବଣୀର କୃପା ହେଲେ ପଙ୍ଗୁ ଲଙ୍ଘେ ଗିରି । ପାଠ ଶାଠ କ’ଣ ହେବ ?

 

ଜଗୁ କହିଲା–ଏ ଯୁଗ କ’ଣ ଏବେ ଆରମ୍ଭ ହୋଇଛି ? ମୋତେ ଲାଗୁଚି, ଯେବେଠୁ ରାଜା ଆଉ ପ୍ରଜା ବୋଲି ଦୁଇଟା ଭାଗ ମଣିଷ ନିଜ ସମାଜରେ କରିନେଲା ସେବେଠୁ ଏ ଯୁଗ ଆରମ୍ଭ ହେଲାଣି ।

 

ଚାଲାକ ଲୋକେ ନିଜର ସ୍ୱାର୍ଥ ପାଇଁ ଲବଣୀର ପ୍ରୟୋଗ କଲେ । ଆଉ ତା’ର କୁଫଳ ଭୋଗିଲେ ଆମେ ।

 

ବୋଷ୍‍ବାବୁ କିହଲେ–କୁଫଳ ! କୁଫଳ ବୋଲି କିଛି ଅଛି, ଆରେ ବାବା ତୁମ ପାଇଁ ଯାହା କୁଫଳ ଅନ୍ୟ ଜଣକ ପାଇଁ ତାହା ଶ୍ରୀଫଳ, ଆଉ ତୁମ ପାଇଁ ଶ୍ରୀଫଳ ଆଉ କାହା ପାଇଁ କୁଫଳ । ତେବେ କୁଫଳ କ’ଣ ? କୋଉ ଫଳକୁ ନିନ୍ଦ ନାହିଁ, ଜାଣିଲ ?

 

ଜଗୁ ଆଲୋଚନାରେ ଭାଗ ନେଲା ନାହିଁ । ଅନେକେ ବର୍ତ୍ତମାନ ମଧ୍ୟ ଶୋଇଛନ୍ତି । କଥାବାର୍ତ୍ତା ଚାଲିଲେ ଉଠି ପଡ଼ିବେ । ସେ ଝରକା ଆଡ଼କୁ ମୁହଁ କରି ଅନ୍ଧରଆଡ଼କୁ ଅନାଇଲା । ବୋଷ୍‍ବାବୁ ମଧ୍ୟ ଆଉ କଥା କହି ନାହାନ୍ତି–ଲାଗୁଚି ଘୁମେଇ ପଡ଼ିଲେ । ଶ୍ରୋତା କମ୍‌ ହେତୁ ବୋଧହୁଏ କଥା କହିବାକୁ ଉତ୍ସାହିତ ହେଲେ ନାହିଁ ।

 

ଜଗୁ ଫେର୍‍ ଥରେ ଆଲୁଅ ଆଡ଼କୁ ଅନାଇଲା । ସମସ୍ତଙ୍କୁ ନିଦ ଲାଗିଯାଇଚି । ମାଧବ ଚୌଧୁରୀ ମଧ୍ୟ ଶୋଇବେ ଶୋଇବେ ହେଲେଣି । ଝରକା ଆଡ଼କୁ ସେ ଫେର୍‍ ମୁହଁ କରିନେଲା । ମନେ ମନେ ହେଲା–କହିଲା ବାଲା ଆଜିକାଲି ବହୁତ । ସଜାଡ଼ିଲା ବାଲା ନାହାନ୍ତି । ତା’ର ମନେ ପଡ଼ିଲା କେତେକଥା, କେତେ ପୁରୁଣା ସ୍ୱପ୍ନ ଯେଉଁଗୁଡ଼ାକ ତାକୁ ଦିନେ ଖୁବ୍‌ ଉପରକୁ ଉଡ଼ାଇ ନେଇଥିଲେ–ଏବେ ସେଗୁଡ଼ାକ ଡେଣା ଭାଙ୍ଗି ପଡ଼ିରହିଛନ୍ତି କୋଉ ଅନ୍ଧାରିଆ କଣରେ । ଅକର୍ମା ହୋଇ ଦିନେ ସେ ଗୋଟାଏ ବଡ଼ ନେତା ହେବାର ସ୍ୱପ୍ନ, ଦେଖିଥିଲା । ହିସାବ କରିଥିଲା ତା ପାଇଁ କେତେ ଜଣକୁ କିପରି ଖୁସି କରାଇବାକୁ ପଡ଼ିବ । ନିଜର ସ୍ୱାର୍ଥଲାଗି ସେମାନଙ୍କର ଅନ୍ୟାୟକୁ ନ୍ୟାୟ ବୋଲି ମାନିବାକୁ ପଡ଼ିବ । ସେମାନଙ୍କୁ ନେଇ ଦଳ ବାନ୍ଧିଲେ ସେମାନଙ୍କ କଥାରେ ହଁ ଭରିବାକୁ ପଡ଼ିବ ।

 

ହୋଇ ପାରିଲା ନାହିଁ । ମନରେ ପ୍ରତିବାଦର ଝଞ୍ଜା ଉଠିଲା । ଆଉ ସେଇ ଝଞ୍ଜାରେ ସ୍ୱପ୍ନର ଡେଣାସବୁ ଭାଙ୍ଗି ଭାଙ୍ଗି ଗଲା । ସେସବୁ ପଡ଼ିଲେ ଯାଇ କାହିଁ କେଉଁଠି । ନ ହେଲେ ଏଇନା ସେ କଅଣ ହୋଇଥାଆନ୍ତା ? ସେ ଏକ ବଡ଼ ନେତା ହୋଇପାରି ଥାଆନ୍ତା । ତା’ର ପୂଜା ହେଉଥାଆନ୍ତା । ତା ଭଙ୍ଗା ଘର ଏଇନା ଯେଉଁଠି ଅଛି ତା ଉପରେ ଏକ ବିଶାଳ ଦ୍ୱିତଳ ପ୍ରାସାଦ ଠିଆ ହୋଇଥାଆନ୍ତା । ଯାହାର ପ୍ରତ୍ୟେକଟି ଇଟା ଭ୍ରଷ୍ଟାଚାରର ଗୁଣଗାନ କରୁଥାଆନ୍ତା । ଆଉ ସେ ଗାନ ଅନ୍ୟମାନଙ୍କୁ ଭ୍ରଷ୍ଟାଚାର ପାଇଁ ପ୍ରଭାବିତ କରୁଥାଆନ୍ତା । ତାରି ଆଗରେ ତାଙ୍କ ଅଞ୍ଚଳର କେତେ ଲୋକ ନେତା ହେଲେଣି । ବର୍ଷ ଦଶଟି ତଳେ ସେମାନଙ୍କର କଅଣ ଥିଲା ସେ ଦେଖିଚି ଆଉ ଆଜି ସେମାନଙ୍କର କ’ଣ ଅଛି ସେ ଦେଖୁଚି । ତା ମନରେ ହେଲା ସତ୍ୟ ସତେ କେଡ଼େ ଦୁର୍ବଳ । ସତ୍ୟ ଯୁଗରେ ମଧ୍ୟ ସତ୍ୟ ଦୁର୍ବଳ ଥିଲା । ନ ହେଲେ ଅସତ୍ୟର ଜୟ ହୁଅନ୍ତା କିପରି ? ସତ୍ୟର ଯେତେ ପ୍ରଚାର ହେଉଚି ଆଉ କାହାର ଏତେ ହେଉଚି ? କିନ୍ତୁ ସତ୍ୟ ତା’ର ପ୍ରଚାର ପାଇଁ ମିଥ୍ୟାର ଆଶ୍ରୟ ନେଉଛି । ସତ୍ୟ ଯଦି ନିଜର ପ୍ରଚାର ନିଜର ବଳରେ କରୁ ଥାଆନ୍ତା !

 

ସମୁଦ୍ର ମନ୍ଥନରେ ଯେଉଁ ଅମୃତ ବାହାରିଲା ତହିଁରେ କଅଣ ଦାନବଙ୍କର ଭାଗ ନ ଥିଲା-? କାହିଁକି ସେମାନଙ୍କଠାରୁ ସେମାନଙ୍କର ଅଧିକାର ଛଡ଼ାଇ ନିଆ ହେଲା ? ସେ ଫେର୍‍ ଛଳନାର ମାଧ୍ୟମରେ, ମିଥ୍ୟାର ବଳରେ, ଭ୍ରଷ୍ଟାଚାରର ସୂତ୍ରରେ । ଲକ୍ଷ୍ମୀ ମନ୍ଥନରୁ ବାହାରିଲା କିଏ ନେଲା ? ପାରିଜାତ ବାହାରିଲା, କିଏ ଭୋଗକଲା ? ଐରାବତ ବାହାରିଲା, କିଏ ତାକୁ କାମରେ ଲଗାଇଲା-? ଅମୃତ କିଏ ଖାଇଲା ? ସେଇ କଥା ଏବେ ମଧ୍ୟ ଚାଲିଚି । ଦେବଙ୍କ ସହିତ ଦାନବ ଆଜି ମଧ୍ୟ ମନ୍ଥନ କରୁଛନ୍ତି । ଭୂମିରୁ ବାହାରୁଚି ଫସଲ । କଳକାରଖାନା ଆଉ ଖଣିରୁ ବାହାରୁଚି ଲକ୍ଷ୍ମୀ, ବାହାରୁଚି ଐରାବତ ଆଉ ବାହାରୁଚି ଅମୃତ । ଭୋଗ କରୁଚି କିଏ ? ମିଲ୍‍ ମାଲିକ, ଜମିର ମାଲିକ ଆଉ ତାଙ୍କ କକ୍ଷ ମଧ୍ୟରେ ରହିଥିବା, ତାରି ମଧ୍ୟରେ ବିଚରଣ କରୁଥିବା କେତେକ ବ୍ୟକ୍ତି । ବିଷଭାଗ ଯାଉଚି କୃଷକ ପାଖକୁ, ମୂଲିଆ, ମଜୁରିଆଙ୍କ ପାଖକୁ । ସେମାନେ ପଳେ ପଳେ ମରୁଛନ୍ତି । ଅସୁରର ଯେତେଟୋପା ରକ୍ତ ଭୂଇଁରେ ପଡ଼ିଲା ସେତେଟା ଅସୁର ଜନ୍ମ ହେଲାପରି ଜନ୍ମ ହୋଇ ପଡ଼ୁଛନ୍ତି ମଜୁରିଆ, ମୂଲିଆ ଆଉ କୃଷକ । ଫେର୍‍ ମନ୍ଥନ ପାଇଁ ସଜହୋଇ ବାହାରି ପଡ଼ୁଛନ୍ତି । ଆଉ ମନ୍ଥୁଛନ୍ତି ଯେମିତି ସେମାନଙ୍କର ବାପ ଗୋଷୀବାପ ମନ୍ଥୁଥିଲେ । ଯୁଗ ଯୁଗ ଧରି ଏ ମନ୍ଥନ ଚାଲିଚି, ଫଳର ବଣ୍ଟନ ଚାଲିଚି । କେବେ ବିଷ୍ଣୁ ବାଣ୍ଟୁଥିଲେ, ରାଜା ବାଣ୍ଟିଲେ ଏବେ ବାଣ୍ଟିବା ଭାର ସରକାର ହାତରେ ।

 

ମନରେ ତା’ର ଏକ ବିଦ୍ରୋହ ଉଠିଲା । କାହିଁକି ଏମିତି ହେଉଚି ? କିଏ ୟାର ଉତ୍ତର ଦେବ ? ଗାଁ ଲୋକଙ୍କ କଥା ମନେ ପଡ଼ିଲା । କେତେ ଗରିବ ହୋଇଗଲେଣି । ଖରା ନାହିଁ, ତରା ନାହିଁ, ପାଣି ନାହିଁ, ପବନ ନାହିଁ, ଦିନ ନାହିଁ, ରାତି ନାହିଁ ତଥାପି ସୁଖ ବୋଲି କିଛି ଜାଣିଲେ ନାହିଁ । ସୁଖ ତ ଦୂରେ ଥାଉ ଦି’ଓଳି ଦିମୁଠା ଅନ୍ନ ଜୁଟିଲା ନାହିଁ ।

 

ନାଚିଲା ଆଖି ଆଗରେ କାରଖାନାର ଦୃଶ୍ୟ; କେତେ ମରି ଯାଉଛନ୍ତି, କିଏ ଚିପିହୋଇ କି କାଟିହୋଇ, କିଏ ପୋଡ଼ିହୋଇ, କିଏ ବିଜୁଳି ଛୁଆଁରେ କିଏ ନାନା ରୋଗର ଶିକାର ହୋଇ । ଠିକ୍ ପୋକ ମାଛି ପରି ସେଗୁଡ଼ାଙ୍କର ହିସାବ କିଏ ରଖୁଚି । ଶୁଣିବା ଲୋକେ ଶୁଣୁଛନ୍ତି । ଦେଖିବା ଲୋକେ ଦେଖୁଛନ୍ତି । କ’ଣ କହିବେ, କ’ଣ କରିବେ ? ଦର୍ଶନର ମୂଳ ତତ୍ତ୍ୱକୁ ଆଶ୍ରୟ କରି ସାନ୍ତ୍ୱନା ପାଉଛନ୍ତି । ଆଉ ସାନ୍ତ୍ୱନା ଦେଉଛନ୍ତି । ଭାଇ ! ଜନ୍ମ ହେଲେ ମରଣ ଅଛି । ଏଠାକୁ ଦେବତା ଆସିଲେ ମଧ୍ୟ ମରେ । ଚିନ୍ତା କ’ଣ ? ମନ୍ଥନ ତ କରିବାକୁ ହେବ । ଆଉ ମନ୍ଥନରୁ ଯାହା ମିଳୁଚି ତାକୁ ଅମୃତ ବୋଲି ଧରି ନେବାକୁ ହେବ । ଅସଲ ଅମୃତ ତ ଦେବତାଙ୍କର ତା ପାଇଁ ଆଉ ଜିଭରୁ ପାଣି କାହିଁକି ଗଡ଼ାଉଚ ?

 

ଏତେ ବଡ଼ ଦୋଷଟାଏ ଦେବତାଙ୍କ ଉପରେ ଲଦିଚି କିଏ ? ଦେବତାର ଅର୍ଥ କ’ଣ ଏଇଆ ? ଯେ ଅନ୍ୟାୟରେ ଅପରର ଅର୍ଜିତ ଧନକୁ ଅପହରଣ କରେ ? ବିଷ୍ଣୁ କ’ଣ ସେଇ ଯେ ଏପରି ଅପହରଣ କରିବାରେ ପଟୁତା ଲାଭ କରିଚି ? ନା ଭୁଲ–ସମ୍ପୂର୍ଣ୍ଣ ଭୁଲ ।

 

ତା ମନରେ ଏକ ତୋଫାନ ଉଠିଲା । ଏତିକିବେଳେ କୌଣସି ଗୋଟିଏ ପୋଲ ଉପର ଦେଇ ଗାଡ଼ି ଦୌଡ଼ି ଲାଗିଲା ଆଉ ତା ମନରେ ଉଠିଥିବା ତୋଫାନର ଗର୍ଜନ ସହିତ ତାଳ ପକାଇ ଗର୍ଜନ କରି କରି ପାର ହୋଇଗଲା । ସୁବିଧା ପାଇଲେ ସେ ସୁବିଧାବାଦୀଙ୍କର ଏଇ ପ୍ରଚାରପତ୍ରକୁ ସମୁଦ୍ରରେ ବୁଡ଼ାଇ ଦିଅନ୍ତା । ଆଉ ଯଦି କୌଣସି ବିଷ୍ଣୁ ମତ୍ସ୍ୟରୂପ ଧରି ତାକୁ ଉଦ୍ଧାର କରିବାକୁ ଯାଆନ୍ତା ସେ ତାରି ସମସ୍ତ ଶକ୍ତି ଲଗାଇ ତାକୁ ବଧ କରନ୍ତା ।

 

ମନର ଝଡ଼ ଶାନ୍ତ ହୋଇଗଲା । ସେ ଦେଖିଲା, ଚନ୍ଦ୍ର ଅନ୍ଧକାର ଭେଦକରି ଆକାଶରେ ଦେଖା ଦେଲେଣି । ଲାଗୁଥିଲା ଯେପରି ଖୁବ୍‌ କ୍ଳାନ୍ତ ହୋଇ ପଡ଼ିଛନ୍ତି । ଅନ୍ଧକାର ସହିତ ଲଢ଼ି ଲଢ଼ି ସେ ଯେପରି ଥକା ହୋଇ ପଡ଼ିଛନ୍ତି । ଅଙ୍ଗ କ୍ଷୀଣ ଆଉ ତେଜ ନିଷ୍ପ୍ରଭ ହୋଇ ଯାଇଚି । ପୂର୍ଣ୍ଣିମାର ତେଜ ଆଉ ତାଙ୍କଠି ନାହିଁ । ପୂର୍ଣ୍ଣିମା ତ ମାସକେ ଖାଲି ଥରଟେ ଆସେ । ଚନ୍ଦ୍ର ସେତେବେଳେ ପୂର୍ଣ୍ଣ ରୂପଧରି ବାହାରନ୍ତି । ଅନ୍ଧାରକୁ ହଟାନ୍ତି । ତା ପରେ ଆସେ ଅନ୍ଧାରର ପାଳି । ଚନ୍ଦ୍ର ଥକି ଯାଆନ୍ତି, ହାରି ଯାଆନ୍ତି । ଲାଜରେ ଦୁଇଦିନ ବାହାରନ୍ତି ନାହିଁ । ଯୁଦ୍ଧ କିନ୍ତୁ ବନ୍ଦ ହୁଏ ନାହିଁ । ଚନ୍ଦ୍ର ପୁଣି ଧୀରେ ଧୀରେ ବଳ ସଂଗ୍ରହ କରନ୍ତି । ଏଇ ହେଲା ନିୟମ । ଲଢ଼ । ହାରିବା ଜିଣିବା ବିଶ୍ୱର ନିୟମ, ସୃଷ୍ଟିର ନିୟମ । ଚନ୍ଦ୍ର ସେଇ କଥା କହୁଚନ୍ତି । ଧୀରେ ଧୀରେ ବଳସଂଗ୍ରହ କର । ସୁବିଧା ନିଅ । ସୁଯୋ ଦେଖ କେତେବେଳେ ହେଲେ ଜିଣିଯିବ ।

 

ଧୀରେ ଧୀରେ ଗାଡ଼ିର ଗତି କମି ଆସିଲା । ଆଗରେ ଲାଗୁଚି ଷ୍ଟେସନ । ଜଗୁ ଗାଡ଼ି ଭିତରକୁ ଅନାଇଲା । ସମସ୍ତେ ଶୋଇଛନ୍ତି । ସରଦାର୍‍ ଦୁଇଜଣ ମଧ୍ୟ ଘୁମାଉଛନ୍ତି । ଟିକକ ପରେ ସମସ୍ତେ ଉଠିବେ । ଫେର୍‍ ଆରମ୍ଭ ହେବ ଆଳୋଚନା । ଚୌଧରୀ ମାଧବ ଲବଣୀ ସମ୍ବନ୍ଧରେ ଆଉ କିଛି କହିବେ । ବୋଷ୍‍ବାବୁ ନିଜର ଗରଳ ସରକାରଙ୍କ ବିରୁଦ୍ଧରେ ଗାଳିବେ । ବିନା ଟିକଟର ସେଇ ଯାତ୍ରୀ ତା ଦୁଃଖ ଆଉରି ଫେଣେଇ ଫେଣେଇ କହିବ ।

 

ଦେଖୁ ଦେଖୁ ଗାଡ଼ି ରହିଗଲା । ଷ୍ଟେସନ୍‌ । କିନ୍ତୁ ବଡ଼ ଷ୍ଟେସନ୍‍ ନୁହେଁ । ଗାଡ଼ି ଠିକ୍‌ ଭୋରୁ ଭୋରୁ ପହଞ୍ଚି ଯାଇଚି । ଲୋକେ ଦାନ୍ତ ଘଷାଘଷି କରିବେ ବୋଲି ପ୍ଲାଟ୍‍ଫର୍ମକୁ ଓହ୍ଲାଇ ପଡ଼ିଛନ୍ତି । ଭିଡ଼ ଲାଗି ଯାଇଚି । କିଛି ଦୂରରେ ଲାଇନ୍‌ ଉପରେ ଆସ୍ତେ ଆସ୍ତେ ଖୁବ୍‌ ଭିଡ଼ ବଢ଼ି ବଢ଼ି ଯାଉଚି । ସମସ୍ତଙ୍କ ଦୃଷ୍ଟି ସେଇଠିକି । କଥା କଅଣ ? ଇଏ ତାକୁ ପଚାରୁଚି, ସିଏ ତାକୁ ପଚାରୁଚି । କେହି ଠିକ୍ କ’ଣ ବୋଲି କହିପାରୁ ନାହିଁ । ଲୋକେ ସେଇ ଆଡ଼ିକି ଧାଇଁଛନ୍ତି । ଧୀରେ ଧୀରେ ଜଣାପଡ଼ିଲା ଯେ କିଏ ଜଣେ ଆତ୍ମହତ୍ୟା କରିଚି । କହୁଛନ୍ତି, ଗଜା ଟୋକାଟାଏ ଥିଲା । କେହି ଦୁଃଖ କରୁଚି, କେହି ଚୁପ୍‌ ଅଛି, କେହି ଦୁଃଖ, ସୁଖ, ଜୀବନ ମରଣ ସବୁ ଗୋଟିଏ କଥାକହି ଦର୍ଶନ ବ୍ୟାଖ୍ୟା କରି ଚାଲିଚି; ଆଉ କେହି ସେ ମୃତ ବ୍ୟକ୍ତିର ପରିବାରର ଭବିଷ୍ୟତ କଳ୍ପନା କରି ଦୁଃଖ କରୁଚି ।

 

ଜଗୁର ମନ ହେଲା ଦୌଡ଼ିଯାଇ ଟିକିଏ ଦେଖି ଆସନ୍ତା । କିନ୍ତୁ ତା’ର ଜିନିଷ କିଏ ଜଗିବ ? ଚୌଧୁରୀ ସେଇଆଡ଼େ ଚାଲି ଯାଇଛନ୍ତି । ପୋଲିସବାଲା, ନିଜ ଦୃଷ୍ଟିରୁ କଥାଟାକୁ ବିଚାର କରି ନେବେ । ବୋଷ୍‍ବାବୁ ଝରକାବାଟେ ଉହୁଙ୍କି କରି ବାହାରେ ଯିବାଆସିବା ଲୋକଙ୍କୁ ପଚାରୁଛନ୍ତି, ଆଉ ଆନନ୍ଦ କରୁଛନ୍ତି–କ’ଣ ଏକାବେଳେକେ ମରି ଯାଇଚି ନା ଅଧା ମରିଚି ? ଭେଣ୍ଡାଟେ ? ତେବେ ତ ପ୍ରେମ ପାଇଁ ନିଶ୍ଚୟ ଜୀବନ ଦେଇଚି । ଆରେ, ମରିବାର ଥିଲା ତ ଦି ଜଣଯାକ ମରିଥାଆନ୍ତ । ଜଣେ ରହିଚି ଅନ୍ୟ ଜଣକ ଛୁ ! କଥା କ’ଣ ? ହଁ କାହିଁକି ନ ହେବ । ସବୁତ ମିଥ୍ୟାରେ ଚାଲିଚି । ମିଶାରେ ଚାଲିଚି । ଅସଲ ଜିନିଷ ନାହିଁ । ଖାଦ୍ୟ ଯେଉଁଠି ମିଶା, ସେ ଖାଦ୍ୟ ଯେ ଖାଇବ ତା ପ୍ରେମ ଆଉ ମିଶା ନ ହୋଇ କ’ଣ ହେବ ?

 

ତାଙ୍କ କଥା କେହି ଶୁଣୁଥିଲା କି ନାହିଁ ସେଥିପ୍ରତି ତାଙ୍କର ଦୃଷ୍ଟି ନ ଥିଲା ଆପେ କହି ଆପେ ଆନନ୍ଦ ପାଇବା ଲୋକ ସିଏ ।

 

ଲୋକଙ୍କୁ ଉତ୍ସାହିତ କରି ସେ କହୁଥାଆନ୍ତି ‘‘ହଉ, ଦଉଡ଼ ଦଉଡ଼, ପ୍ରେମତୀର୍ଥ ଦର୍ଶନ କରି ଆସ’’ କିନ୍ତୁ ସେ ଗାଡ଼ିରୁ ତଳକୁ ଓହ୍ଲାଇଲେ ନାହିଁ । ଗାଡ଼ିର ସିଟି ହେଲା । ସବୁ ଲୋକେ ଦଉଡ଼ିଲେ ଗାଡ଼ି ଭିତରକୁ–କାଳେ ଗାଡ଼ି ଛାଡ଼ିଦେବ । କିନ୍ତୁ ଗାଡ଼ି ଛାଡ଼ିଲା ନାହିଁ । ଷ୍ଟେସନବାଲା ଜାଣନ୍ତି, ଲୋକଙ୍କୁ ଗାଡ଼ି ଭିତରେ ବସିବାକୁ ସମୟ ଲାଗିବ । ପୁଣି ଆଉ ଥରେ ସିଟି ହେଲା । ଗାଡ଼ି ଧୀରେ ଧୀରେ ଚାଲିଲା । ଦୁଇ ଚକ ଗଡ଼ି ପୁଣି ଅଟକି ଗଲା । କ’ଣ ହେଲା ବୋଲି ସମସ୍ତେ ପ୍ରଶ୍ନ କରି ଉଠିଲେ । ବୋଷ୍‍ବାବୁ କହିଲେ–ଆରେ ସେ କିଛି ନୁହଁ । ଗାଡ଼ି ଚାଲି ଯାଉଥିଲା–ଦେଖିଲା ବେଳକୁ ଡ୍ରାଇଭର ଆସି ନାହିଁ । ସେଇଥି ପାଇଁକି ରହିଗଲା ।

 

କେତେଜଣ କଥାଟାକୁ ସତ ବୋଲି ଭାବି ନେଲେ । ଫେର୍‍ କ୍ଷଣକରେ ରହସ୍ୟ ବୁଝିପାରି ହସି ଉଠିଲେ ।

 

ଯାହାହେଉ ଗାଡ଼ି ଏଥର ଚାଲିଲା । ଆଉ ଅଟକିବ ନାହିଁ । କିଛି ଲୋକ ଚଢ଼ିବାକୁ ବାକି ରହି ଯାଇଥିଲେ ବୋଲି ଅଟକି ଯାଇଥିଲା । ଅଟକି ଥିଲେ ଲୋକେ ଆଉରି ଦେଖୁଥାଆନ୍ତେ । ସେଇ ଆତ୍ମହତ୍ୟା କରିଥିବା ଲୋକଟାକୁ । ଗାଡ଼ି ତ ଫେର୍‍ ସମସ୍ତଙ୍କୁ ଦେଖିବ । ସମୟରେ ନ ଗଲେ ସବୁ ଯିବ ଏପଟ ସେପଟ ହୋଇ ଯାଉଚି କିଏ । ମୋକଦମା ଅଛି । ଡେରି ହେଲେ କଚେରୀ ବେଳ ଗଡ଼ି ଯିବ । ଡାକ୍ତର ଯାଉଚି ରୋଗୀ ଦେଖି–ଡେରିହେଲେ ରୋଗୀ ମରିପାରେ । ବର ଯାଉଚି ଲଗ୍ନବେଳ ଗଡ଼ିଗଲେ ଗଲା । ଟିକିଏ ଡେରିରେ ଯେମିତି ସବୁ ଓଲଟ ପାଲଟ ।

 

ଡେରି କରିବା ଠିକ୍ ନୁହେଁ–ସମୟଟା ଆଉ ହେଲା କାହିଁକି ? ଯିଏ ମଲା ସେ ଗଲା, ତାକୁ ଦେଖି ଲାଭ କ’ଣ ? ଏ ଦୁନିଆରେ କିଏ କାହାପାଇଁ ଅଟକିବା କଥା ନୁହେଁ ଆଗକୁ ଚାଲ ? ଆଗକୁ ଦେଖ । ପଛରେ ଯାହା ରହିଗଲା ରହିଯାଉ । ଦ୍ରୌପଦୀ ରହିଗଲେ । ପାଣ୍ଡବ ଭିତରୁ କେହି ଅଟକିଲେ, ନାହିଁ । ଆପଣା ଆପଣା ବାଟରେ ଚାଲିଲେ । ଏଇ ହେଲା ଦୁନିଆ । ଗାଡ଼ି ଏଇ ‘ଆଗକୁ ଚାଲ ଆଗକୁ ଚାଲ’ ଧ୍ୱନୀ ଦେଇ ଦେଇ ମାଡ଼ି ଚାଲିଲା । ପଛରେ ରହିଗଲା ସେଇ ଶବ ଯାହାର ଗତି ଶେଷ ହୋଇ ଯାଇଛି ।

 

ଗାଡ଼ି ଭିତରେ କିନ୍ତୁ ରହିଗଲା ତାରି ଆଲୋଚନା । ନିଜ ନିଜ ଦୃଷ୍ଟିରୁ ଲୋକେ ତା’ର ମୃତ୍ୟର କାରଣ ଖୋଜି ଲାଗିଲେ । ସରଦାର୍‍ ବଚନ ସିଂ ପଚାରିଲେ–ଚୌଧୁରୀ ସାହାବ କ’ଣ ଦେଖିଲେ ? ଚୌଧୁରୀ କହିଲେ–କ’ଣ ଆଉ ଦେଖିବି ? ଏ ସେ ପ୍ରେମ ଫ୍ରେମ ନୁହେଁ । ବିଚରା ଲାଗୁଚି କେଉଁଠି ଚାକିରି କରୁଥିଲା–ଅଫିସର ସାଙ୍ଗରେ ପଟିଲା ନାହିଁ । ସେ ଯାହା କହିଲା ହୁଏତ ଇଆର ମନକୁ ଗଲା ନାହିଁ । ୟାର ବୁଦ୍ଧି ବେଶି ଆଉ ଅଫିସରର କମ୍‍ ଏକଥା ଇଏ ପ୍ରମାଣ କରିବାକୁ ଚେଷ୍ଟା କଲା । ଅଫିସର ହାତରେ ଅଙ୍କୁଶ ଅଛି, ପାଶ ଅଛି ସେ ୟାକୁ ଚାହିଁଲା ପୋଷା ମନାଇବ ବୋଲି–ୟେ ମାନିବା ଲୋକ ନୁହେଁକି ନଇଁବା ଲୋକ ନୁହେଁ । ଅଫିସର ମଧ୍ୟ ସମାଜରେ ଛାଡ଼ିବା ଲୋକ ନୁହେଁ । ହାତରେ ନ ମାରି ଭାତରେ ମାରିବାରେ ଚେଷ୍ଟା କଲା । ଏ ତ ସହିବା ଲୋକ ନୁହେଁ, କ’ଣ କରିବ ? ଏଇ ବାଟ ତାକୁ ଦିଶିଗଲା । ବିଚରା ଯଦି ଲହୁଣୀର ପ୍ରୟୋଗ ଜାଣି ଥାଆନ୍ତା ।

 

‘‘ଆରେ ଭାଇ’’ ବୋଷ୍‍ବାବୁ ଆରମ୍ଭ କଲେ–ସବୁକଥାକୁ ଏତେ ତେଢ଼େଇ କରି ଭାବିଲେ ହେବ ନାହିଁ । ଅତି ସରଳ କଥା ଏଇଟା । ତୁମେ କ’ଣ ଭାବିଚ, ଚୌଧୁରୀବାବୁ, ଯେ ତୁମ ଲହୁଣୀ ଖାଲି ସବୁ ସରଳ ଜଟିଳ କରି ଦଉଚି ? ନାହିଁ ନାହିଁ ସରଳ ଜଟିଳ କରିବାକୁ ଯଦି କେହି ଥାଏ ସେ ହେଉଚି ପ୍ରେମ । ସରଳ କଥା ହେଲା ଏ କୌଣସି ଗୋଟିଏ ଝିଅକୁ ପ୍ରେମ କରୁଥିଲା । ସେ ଝିଅ ଯେତେବେଳେ କୌଣସି କାରଣ ନେଇ ଅନ୍ୟକୁ ବିଭା ହୋଇଗଲା କଥାଟା ସେଇଠି ଜଟିଳ ହୋଇ ଉଠିଲା । ଜାଣିଚ ? ପଦ୍ମଫୁଲ ତୋଳିବାକୁ ଯାଇ ଲୋକ ପଦ୍ମନଟିରେ ପଶି ତ ଯାଏ, ନଟି ଲାଗିଗଲେ ଯେତେ ଛଡ଼ାଇବାକୁ ଚେଷ୍ଟାକରେ ସେତିକି ତା ଗୋଡ଼ ବାନ୍ଧି ବାନ୍ଧି ହୋଇଯାଏ । ଫୁଲ ରୁହେ କେଉଁଠି, ଲୋକଟି ଜଟିଳ ଜାଲରେ ଛନ୍ଦି ହୋଇ ମରେ । ସେଠି ଆଉ ତୁମର ଲବଣୀ କିଛି କାମ ଦିଏ ନାହିଁ ।

 

ଚୌଧୁରୀ କହିଲେ–ଆପଣ ଗୋଟିଏ ତେଢ଼ା ଦୁନିଆରେ ରହି ସିଧା ଆଉ ସରଳ କଥା ଭାବୁଛନ୍ତି କିପରି ? ମୁଁ ଯେଉଁକଥା କହିଲି ସେ କିଛି ନୂଆ କଥା ନୁହେଁ । ଏମିତି ଅନେକ ଘଟଣା ଘଟୁଚି ।

 

ଶୁଣିଥିବେ ଦିଲ୍ଲୀରେ ଏପରି ଜଣେ ଆତ୍ମହତ୍ୟା କରି ଦେଇଥିଲା । ସେ ଲୋକଟିର ଗୁଣ ଥାଇ ମଧ୍ୟ ତାକୁ କେହି ପଚାରିଲେ ନାହିଁ । ସର୍ବୋଚ୍ଚ ଅଧିକାରୀଙ୍କ କାନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ତା’ର କଣ୍ଠର ଧ୍ୱନୀ ବୋଧହୁଏ କ୍ଷୀଣ ଥିଲା । ଫଳ ହେଲା–ଯେ ତାକୁ ଆତ୍ମହତ୍ୟା କରିବାକୁ ପଡ଼ିଲା-। ଆପଣଙ୍କୁ କ’ଣ କହିବି, ମୋର ମଧ୍ୟ ସେଇ ଦଶା ହୋଇଥିଲା । ମୁଁ ଟିକିଏ ଯଦି ତେଢ଼େଇ କରି ଭାବି ନ ଥାନ୍ତି ମୋତେ ବି କେଉଁଠି ଗାଡ଼ିତଳେ କି ପାଣି ଭିତରେ ପ୍ରାଣ ଦେବାକୁ ପଡ଼ିଥାଆନ୍ତା ।

 

ଜଗୁ ପଚାରିଲା–ଆଜିକାଲି ଆପଣ କ’ଣ କରୁଛନ୍ତି ?

 

ଚୌଧୁରୀ କହିଲା–ହଜାର ରାସ୍ତା ପଡ଼ିଚି । ବଞ୍ଚିବା ପାଇଁ ତ କିଛି ନା କିଛି କରିବାକୁ ପଡ଼ିବ ।

 

ବୋଷ୍‍ବାବୁ ପଚାରିଲେ–ତେବେ ଆପଣଙ୍କୁ ଲବଣୀ ପ୍ରତି ଏତେ ଘୃଣା କାହିଁକି ? ସେ ବି ତ ଏକ ଉପାୟ । ଆମ ଧର୍ମ ମଧ୍ୟ ସେଇ କଥା କହୁଚି ।

 

ସରଦାର୍‍ ଆଗ୍ରହ ପ୍ରକାଶ କରି ପ୍ରଶ୍ନ କଲେ–କେମିତି ? ଧର୍ମ କେମିତି କହୁଚି ?

 

ମାଳା ଗଡ଼େଇ କୃଷ୍ଣ କୃଷ୍ଣ ଜପ କରୁଥିବା ବୃଦ୍ଧ କହିଲେ–ଏତିକି ଜ୍ଞାନ ଆପଣଙ୍କର ନାହିଁ-? ଆରେ, ଆପଣ ଏତିକି ଜାଣନ୍ତି ନାହିଁ ଯେ, କୃଷ୍ଣଙ୍କର ଲବଣୀ ଅତି ପ୍ରିୟ ଥିଲା । ଧର୍ମରେ ଲବଣୀ ନାହିଁ ତ ଅଛି କେଉଁଠି ? ସୁରଦାସଙ୍କର ଭଜନ ଶୁଣି ନାହାନ୍ତି ? ମୟା ମୋରୀ, ମୈ ନହୀଁ ମାଖନ ଖାୟୋ ।

 

ଭୋର ଭୟୋ ଗୈୟନ କେ ପିଛେ ମଧୁବନ ମୋହି ପଠାୟୋ ।

 

କିଛି ବାଧା ନ ପାଇଥିଲେ ଲାଗୁଥିଲା ସେ ସବୁଯାକ ଭଜନ ଏ ମୁଣ୍ଡୁ ସେ ମୁଣ୍ଡ ଯାଏ ଗାଇ ଯାଇ ଥାଆନ୍ତେ ।

 

ଏତିକିରେ ଚୌଧୁରୀ କହିଲେ–ବାଃ, ଧର୍ମ ! ଧର୍ମରୁ ଖାଲି ଆପଣ ଲବଣୀ ଟିକକ ଛାଣି ନେଇଛନ୍ତି । ଖାଆନ୍ତୁ ଆଉ ଆନନ୍ଦରେ ବିଭୋର ହୁଅନ୍ତୁ ।

 

ସମସ୍ତେ ହସିଲେ ।

 

ବୋଷ୍‍ବାବୁ କହିଲେ–ଆରେ ଆପଣ ଜାଣନ୍ତି ନାହିଁ ? ଧର୍ମରେ ଅଛି କି ଯେତେ ରାସ୍ତା ଅଛି ସବୁଠୁ ଉତ୍ତମ ରାସ୍ତା ହେଲା ଲବଣୀ ପ୍ରୟୋଗବାଲା ରାସ୍ତା । ବିଦ୍ୱାନ୍‌ମାନେ ତା’ର ପ୍ରୟୋଗ ଜାଣନ୍ତି । ଅନ୍ୟ କଥାରେ କହିଲେ, ଯେଉଁମାନେ ତା’ର ପ୍ରୟୋଗ ଜାଣନ୍ତି ସେମାନେ ବିଦ୍ୱାନ ପଦବାଚ୍ୟ ।

 

ଶ୍ରୋତାମାନେ ଆଗ୍ରହ ପ୍ରକାଶ କରି ତାଙ୍କୁ କହିବାକୁ ଉତ୍ସାହିତ କଲେ ।

 

ବୋଷ୍‍ବାବୁ କହିଲେ–ଆପଣମାନେ ଗଣେଶଙ୍କୁ ଜାଣନ୍ତି ? ଗଣେଶ ଆଉ ତାଙ୍କ ଭାଇ କାର୍ତ୍ତିକେୟ । ଏ ଦୁଇ ଭାଇଙ୍କ ମଧ୍ୟରେ କଳି ହେଲା । ୟେ କହିଲା, ମୁଁ ପୃଥିବୀକୁ ତୋ ଠାରୁ ଅଳ୍ପ ସମୟରେ ପରିକ୍ରମା କରିନେବି–ସେ କହିଲା, ତୋ’ଠୁ ମୁଁ ଅଳ୍ପ ସମୟରେ କରିନେବି । ଶିବଙ୍କ ପାଖକୁ ଗଲେ । ଶିବ କହିଲେ, ଖାଲି କଥା କହିଲେ ହେବ ? ଲଢ଼ିବ ତ ଲଢ଼ିଯା । ତାଙ୍କ କଥାରେ ଦୁହେଁ ସଜବାଜ ହେଲେ । ପ୍ରତିଯୋଗିତା ଦେଖିବାକୁ ବସି ରହିଲେ ଶିବ । ଗଣେଶ ବସିଲେ ମୂଷା ଉପରେ ଆଉ କାର୍ତ୍ତିକେୟ ମୟୂର ପିଠିରେ । ଦେଖୁ ଦେଖୁ ମୟୂର ଆଖିପିଛୁଳାକେ କାର୍ତ୍ତିକେୟଙ୍କୁ ନେଇ ଅନ୍ତର୍ଦ୍ଧାନ । ଏଣେ ଗଣେଶ କ’ଣ କଲେ ନା ନିଜ ମୂଷା ଉପରେ ବସି ଶିବଙ୍କ ଚାରିପଟେ ଘେରାଟେ ବୁଲି ଆସି ବସିଗଲେ ନଥ୍‍ କରି । କିଛି ସମୟ ପରେ କାର୍ତ୍ତିକେୟ ଧଇଁ ସଇଁ ହୋଇ ଆସି ପହଞ୍ଚିଲେ । ଦେଖିଲେ ଗଣେଶ ବସିଛନ୍ତି । କ’ଣ କଥା ! ଗଣେଶ କ’ଣ ଆଉ ପ୍ରତିଯୋଗିତାରେ ଭାଗ ନେଲେ ନାହିଁ ନା କ’ଣ? କାହିଁକିନା ମୂଷାରେ ବସି ତ କେବେହେଲେ ଏଡ଼େ ଚଞ୍ଚଳ ପୃଥିବୀ ପରିକ୍ରମା କରିପାରିବେ ନାହିଁ । ଏହା ଏକ ଅସମ୍ଭବ । ବୁଝ ବୁଝ ଏଡ଼େବଡ଼ ଏକ ଅସମ୍ଭବ କଥାକୁ ଗଣେଶ ଲବଣୀ ପ୍ରୟୋଗଦ୍ୱାରା ସମ୍ଭବ କରି ପାରିଛନ୍ତି ।

 

ସମସ୍ତେ ଆହୁରି ଆଗ୍ରହ ପ୍ରକାଶ କରି କଥାର ଶେଷ ଭାଗଟି ଶୁଣିବାକୁ ଅପେକ୍ଷା କଲେ-

 

ବୋଷ୍‍ବାବୁ କହିଲେ–କାର୍ତ୍ତିକେୟ କହିଲେ–ବାପା ମୁଁ ତ ଜିଣିଲି ।

 

ଶିବ କିଛି କହିବା ଆଗରୁ ଗଣେଶ କହିଲେ–ବାପା ମୁଁ ଜିଣିଲି । ଦେଖନ୍ତୁ ସାରା–ବିଶ୍ୱ ଆପଣଙ୍କର ପୂଜା କରେ–ତେବେ ବିଶ୍ୱ ବଡ଼ ନା ଆପଣ ବଡ଼ ?

 

ଶିବ ଚୁପ୍‌ ରହିଲେ । ଗଣେଶ କାର୍ତ୍ତିକେୟକୁ ପଚାରିଲେ–କହ ବିଶ୍ୱ ବଡ଼ ନା ପିତା ବଡ଼-?

 

କାର୍ତ୍ତିକେୟ କେମିତି ଆଉ ବାପାଙ୍କୁ ଛୋଟ କରିବେ ? ସେ ଚୁପ୍ ରହିଲେ । ସେଠଉ ଗଣେଶ କହିଲେ ଯଦି ବାପା ବିଶ୍ୱରୁ ବଡ଼ ତେବେ ମୁଁ ବିଶ୍ୱଠାରୁ ଆଉରି ବଡ଼ ଏକ ବସ୍ତୁକୁ ପରିକ୍ରମା କରି ସାରିଚି ଓ ଅଳ୍ପ ସମୟରେ କରି ସାରିଚି । ଏକଥା ତ ମାନିବାକୁ ହେବ । କାର୍ତ୍ତିକେୟ କଥାଟାକୁ ମାନିଲେ କି ନା କେଜାଣି କିନ୍ତୁ ହାର ମାନିଲେ । ଚୌଧୁରୀ ହସି ହସି କଥାଟା ଶୁଣିଲେ–ଆଉ ଗମ୍ଭୀର ହୋଇ କହିଲେ ହଁ ଭାଇ ନିଜ ନିଜ ଧର୍ମ–

 

‘‘ସ୍ୱଧର୍ମେ ନିଧନଂ ଶ୍ରେୟଃ

ପରୋଧର୍ମ ଭୟାବହ ।’’

 

ବୋଷ୍‍ବାବୁ କହିଲେ–ଆରେ ଭାଇ ଏ ତ ହିନ୍ଦୁଧର୍ମର କଥା । ଆପଣା ଧର୍ମ–ହିନ୍ଦୁ ଧର୍ମ । ଆମେ ହିନ୍ଦୁ ହୋଇ ଧର୍ମ କହିବା କଥା ନ ପାଳିବା କେମିତି ?

 

ଜଗୁ ପଚାରିଲା–ବୋଷ୍‍ବାବୁ ଆପଣ କଅଣ କରନ୍ତି ?

 

ବୋଷ୍‍ବାବୁ ଉତ୍ତର ଦେଲେ–ଆରେ ବାବୁ, ପଚାର, କି କାମ ନ କରେ । ତେବେ ବା କଥାର ଉତ୍ତର ମିଳିବ । ଦେଖ, ଚୌଧୁରୀବାବୁ ଏଇନା କହିଲେ କି ରାସ୍ତା ହଜାର ଅଛି, ମୁଁ ସବୁ ରାସ୍ତାରେ ଚାଲିବା ଲୋକ । ଗୋଟିଏ ରାସ୍ତାରେ ଚାଲି ଚାଲି ଯେଉଁଠି କିଛି ଅଖାଡ଼ୁଆ ମନେ ହେଲା ସେଇଠୁ ଅନ୍ୟ ବାଟ ଧରିଲି । ନ୍ୟାୟ ଅନ୍ୟାୟ, ଭଲମନ୍ଦ ଏସବୁ ମନର ଦୁର୍ବଳତା । ଜିଇବ ତ ସବୁ କର । ତୁମେ ଦୁନିଆକୁ ଦେଖ ପୁରାଣକୁ ପଢ଼, ଧର୍ମକୁ ଘାଣ୍ଟ ଦେଖିବ ମନୁଷ୍ୟ କଅଣ ନ କରିଚି ? ଧର୍ମ ନାମରେ, ଦେବତା ନାମରେ ସେ ସବୁ କରିଚାଲିଚି । ମଣିଷ ମଣିଷକୁ ମାରିଚି–ଦୋଷ କଲେ ମାରିଚି, ନ କଲେ ମାରିଚି । ଯେଉଁ କାମ କଲେ ପଣ୍ଡିତମାନେ ମନୁଷ୍ୟକୁ ମୂର୍ଖ ଆଖ୍ୟା ଦେଇଛନ୍ତି, ସେଇ କାମ ନିଜେ କରି ବାଃ ବାଃ ନେଇଛନ୍ତି । ଏଇସବୁ ଅଧ୍ୟୟନ ଆଉ ଅନୁଶୀଳନ କରି ମୁଁ ମୋର ଗୋଟିଏ ଧର୍ମ ମାନିନେଇଚି । ମୋ ଧର୍ମରେ ମନୁଷ୍ୟର ଯାହା ମନ ତାହା କରିବାର ଅଧିକାର ଅଛି । ତା’ର ଜୀବନ ରକ୍ଷା ପାଇଁ ସେ ଯାହା କଲା ତାହା ତା’ର ଧର୍ମ । କାହିଁକିନା ଭଗବାନ ଜୀବନ ଦେଇଛନ୍ତି । ଆଉ ତାକୁ ତୁମେ ରକ୍ଷା କରିବା ଅର୍ଥ ଭଗବାନଙ୍କ ମିସନ୍‌ ଅର୍ଥାତ୍‌ ଉଦ୍ଦେଶ୍ୟକୁ ସମ୍ମାନ କରିବା । ତହିଁରେ ତୁମର ସ୍ୱର୍ଗଲାଭ ହେବ । ଅନ୍ୟଥା ନର୍କ ଗତି ।

 

ଏତିକି କହି ସେ ଟିକିଏ ବିଶ୍ରାମ ନେଲେ । ସେତେବେଳକୁ ଲୋକମାନେ ତାଙ୍କ ଆଡ଼କୁ କାନ ଡେରି ଶୁଣି ଲାଗିଛନ୍ତି । ଏକ ନୂତନ ଧର୍ମର ପ୍ରଚାର ଚାଲିଚି । ଖୁବ୍‌ ପସନ୍ଦ ହେଉଚି ଲୋକଙ୍କୁ-। ଧର୍ମକଥା ସେତିକିରେ ବନ୍ଦକରି ବୋଷ୍‍ବାବୁ କହିଲେ ‘ଦେଖୁନା କେଡ଼େ ମୂର୍ଖ ସିଏ । ଆରେ ତୋତେ ତ ବଞ୍ଚିବାର କଥା–ଯେମିତି ହେଲେ ବଞ୍ଚିଥାଆନ୍ତୁ । ଯାହା କିଛି କାରଣ ହେଉ ଆତ୍ମହତ୍ୟା କ’ଣ ପାଇଁ ?

 

ଚୌଧୁରୀ କହିଲେ–ଆପଣ ଯାହା କହୁଛନ୍ତି ସତ । ହେଲେ ମଣିଷ କେତେ ସହିବ ? ସହିବାର ତ ଫେର୍‍ ଗୋଟାଏ ସୀମା ଅଛି । ସେ ସୀମା ଟପିଗଲେ ମଣିଷ କିଛି ଭାବିପାରେ ନାହିଁ । ପ୍ରତିଶୋଧର ରାକ୍ଷସ ତା ମୁଣ୍ଡରେ ଚଢ଼ିବସେ । ସେ ସେତେବେଳେ ନିଜର ଭବିଷ୍ୟତ, ପରିବାରର ଭବିଷ୍ୟତ, ସେମାନଙ୍କ ପ୍ରତି ତା’ର ଦାୟିତ୍ୱ କିଛି ଭାବିପାରେ ନାହିଁ । ପ୍ରତିଶୋଧ ଅନ୍ୟ ଉପରେ ନେଇ ନପାରି ସେ ନିଜକୁ ଧ୍ୱଂସ କରେ ।

 

ବୋଷ୍‍ବାବୁ କହିଲେ–କିଓ ଅର୍ଜ୍ଜୁନ କ’ଣ କରୁଥିଲା ? ଆତ୍ମହତ୍ୟା ନା ଆଉ କ’ଣ ? କୃଷ୍ଣ ନଥିଲେ ସେ ନିଜକୁ ନିଜେ ନମାରୁ ଅନ୍ୟମାନଙ୍କୁ ବେକ ଦେଖାଇ ଦେଇ ଥାଆନ୍ତା କି ନାହିଁ କହ । କୃଷ୍ଣ କହିଲେ....ଆରେ, ଆଗ ନିଜକୁ ଦେଖ, ଭାଇ ବନ୍ଧୁ ପର କଥା । ଆମ ଧର୍ମ ସବୁ କହୁଚି–ଜାଣିଲ ବାବୁ । ଆତ୍ମାନଂ ସତତଂ ରକ୍ଷେତ ।

 

ଚୌଧୁରୀ କହିଲେ–ତଥାପି ଲୋକ ଆତ୍ମହତ୍ୟା ନ କରି ରହି ପାରୁନାହିଁ ।

 

ବୋଷ୍‍ବାବୁ କହିଲେ–ଠିକ୍‌ କହିଚ । ଆଜିକାଲି କାଗଜରେ ସେଥିରୁ ଦି’ଚାରିଟା ଘଟଣା ନିଶ୍ଚେ ଥିବ ।

 

ଜଗୁ କହିଲା–ବୋଷ୍‍ବାବୁ ଆପଣଙ୍କ କୃଷ୍ଣଙ୍କ କଥା ମାନି ଚଳିବା ଲୋକର ମଧ୍ୟ ଅଭାବ ନାହିଁ । ମାର ହାଣ କାଟ ତ ଏକ ସାଧାରଣ ଘଟଣା ହୋଇଗଲାଣି ।

 

କୃଷ୍ଣଭକ୍ତ ବୃଦ୍ଧ କୃଷ୍ଣ ନାମ ଶୁଣି ଉଲ୍ଲସିତ ହୋଇ ପଡ଼ିଲେ ବୋଧହୁଏ । କହିଲେ.....କୃଷ୍ଣ କୃଷ୍ଣ-। ଏତେବେଳକେ ବାପା, ତୁମେମାନେ ଠିକ୍‌ ବାଟକୁ ଆସିଲ । କୃଷ୍ଣ ନ ହେଲେ ଏ ଦୁନିଆ ଚଳିବ ?

 

କେହି କୃଷ୍ଣଭକ୍ତଙ୍କ କଥାରେ କାନ ଦେଲେ କି ନାହିଁ କେଜାଣି ଏତିକିବେଳେ ଚୌଧୁରୀଙ୍କ କଥା ଆରମ୍ଭ ହେଲା ।

 

ସେ କହିଲେ–ମୁଁ ଥାନାରେ ଥିବାବେଳେ ଖବରକାଗଜରୁ ପଢ଼ିବି କଅଣ ଅନେକ ଘଟଣା ଆଖିରେ ଦେଖିଚି ।

 

ବୋଷ୍‍ବାବୁ କହିଲେ–ତୁମେ ପୋଲିସବାଲା । ଖାଲି ଆଖିରେ ଦେଖିଥିବ କ’ଣ ହାତରେ କରିଥିବ ।

 

ପୁଣି କହିଲେ–କିଛି ଭାବିବେ ନାହିଁ ଚୌଧୁରୀବାବୁ–ସେମିତି ଥଟାରେ ଟିକିଏ କହିଦେଲି । ହଁ ଏବେ ନିକଟରେ ଗୋଟିଏ କାରଖାନାରେ ଶ୍ରମିକମାନେ ହରତାଳ କଲେ । ମାଲିକ ସାମ୍ନାରେ ତାଙ୍କ ହରତାଳ କ’ଣ ରହିବ । ମାଲିକ ଫୋନ କରିଦେଲା । ସରକାର ପଲଟଣ ପଠାଇ ଦେଲେ । ଚାଲିଲା ଗୁଳି । ଶହ ଶହ ଶ୍ରମିକ ଆହତ ହେଲେ–ପଚିଶ ତିରିଶ ଯେ ନ ମଲେ ଏମିତି ନୁହେଁ ।

 

ଜଗୁ ଦେଖିଲା, କଥାର ଢଙ୍ଗ ବଦଳି ଯାଇଚି । ପଡ଼ିଥିଲା ଆତ୍ମହତ୍ୟା କଥା, ସେଠଉ ପଡ଼ିଲା ହତ୍ୟା କଥା, ପହଞ୍ଚି ଗଲାଣି ହରତାଳ ଠେଇଁ । କାରଖାନା ଲୋକ ସିଏ । ତା ମନ ହେଲା ସେ ଦି’ପଦ ଏ ସମ୍ବନ୍ଧରେ କହିବ ।

 

କହିଲା–ହଁ, ଶ୍ରମିକ ନ ମରି କିଏ ମରିବ ? ଶ୍ରମିକଙ୍କୁ ପଚାରେ କିଏ ? ସେମାନେ ମରିଗଲେ କାହାର ଯାଏ କେତେ ଆସେ କେତେ । ଜଣକୁ ମାରିଦେଲେ ଫାସି ହୁକୁମ । ଆଉ ହଜାର ହଜାରଙ୍କୁ ମାରିଦେଲେ ? ସଂବିଧାନରେ ଆଜି ପର୍ଯ୍ୟନ୍ତ କିଛି ନିୟମ ତା ପାଇଁ ତିଆରି ହୋଇନାହିଁ । ତା ପରେ

 

ଦୁଷ୍ଟ ନିବାରି ସନ୍ଥ ପାଳୁ

ତୁ ନାଥ ପରମ ଦୟାଳୁ ।

 

ଏତ ଆମ ସରକାର । ତାଙ୍କର ଦୋଷ କ’ଣ ?

 

ବୋଷ୍‍ବାବୁ କହିଲେ–ଜଗୁଭାଇ ଠିକ୍‍ କଥା କହିଚ । ବିଲ୍‌କୁଲ୍‍ ଠିକ୍‍ କଥା । ମୋ କଥା ସରିନାହିଁ, ଶୁଣ, ପୋଲିସ ଗୁଳିକାଣ୍ଡ ପରେ ପରେ ଦି’ଦିନ ଠେଇ ଖବର ବାହାରିଲା ସେଇ କାରଖାନାର ମାଲିକକୁ କିଏ ଜଣେ ମାରି ଦେଇଚି ।

 

ଅନେକ ଶ୍ରୋତା କଥାଟା ସତ ବୋଲି ମାନିଲେ ।

 

ବୋଷ୍‍ବାବୁ କହିଲେ–ଘାତକର ସଫେଇ ଶୁଣିଚ ?

 

ଜଣେ ପଚାରିଲା–କ’ଣ ସେ ଲୋକ ଧରା ପଡ଼ିଚି ?

 

ବୋଷ୍‍ କହିଲେ–ସେ ଧରା ପଡ଼ିବ ?

 

ପ୍ରଶ୍ନ ହେଲା–ତେବେ ସଫେଇ କିଏ ଦେଲା ?

 

ଜଣେ କହିଲା–ଆରେ ବୋଷ୍‍ବାବୁର ଜଣାଶୁଣା ଲୋକ ହୋଇଥିବ ମ । ତାଙ୍କୁ କହିଥିବ-

 

କେହି କେହି କହିଲେ–ମିଛ କଥା । ଲୋକ ଧରାହୋଇ ନାହିଁ । ସଫେଇ ଦେଇଦେଲା-। ଏ ବୋଷ୍‍ବାବୁର ସଫେଇ ।

 

ଏଥର ବୋଷ୍‍ବାବୁ ମୁହଁ ଖୋଲିଲେ । କହିଲେ–ତା ପରେ ଖବରକାଗଜରେ ବାହାରିଥିଲା–ସେ ଲୋକକୁ ଯିଏ ଧରେଇ ଦବ ତାକୁ ପାଞ୍ଚ ହଜାର ପୁରସ୍କାର । କେହି ପଢ଼ିଚ ?

 

‘ହଁ ହଁ–ବାହାରି ଥିଲା । କେତେଜଣ ସମର୍ଥନ କଲେ ।’

 

ଏକଥା ପଢ଼ିଲ, ମୋତେ ଜାଣିଲ । ଫେର୍‍ କହୁଚ ସେ ମୋର ଜଣାଶୁଣା ଲୋକ । ଆଉ ମୋତେ ତା’ ସଫେଇ କହିଚି । ହଇଏ ସେ ଯେତେ ମୋ ଲୋକ ହୋଇଥାଉ–ମୁଁ ତାକୁ ଛାଡ଼ିଥାଆନ୍ତି ? ପାଞ୍ଚ ହଜାରଟି !

 

ସମସ୍ତେ ହସିଲେ । ଆଉ ସଫେଇର ସଫା କଥାଟା କ’ଣ ଶୁଣିବେ ବୋଲି ବ୍ୟଗ୍ର ହୋଇ ଚାହିଁ ରହିଲେ ।

 

ଗାଡ଼ି ରହିଗଲା । ଷ୍ଟେସନ୍‌ । ଲୋକେ ଚଢ଼ିଲେ । କିଛି ଓହ୍ଲାଇଲେ ମହୁଭରାରେ କିଛି ଅଶାନ୍ତି ହେଲେ ମହୁମାଛି ଭଣ ଭଣ ହେଲା ପରି ଗାଡ଼ି ଭିତରେ ଟିକିଏ ଭଣ ଭଣ ହେଲା । ପୁଣି ଚୁପ୍‍ଚାପ୍‍ । ଗାଡ଼ି ଚାଲିଲା–ବୋଷ୍‍ବାବୁ କହିବେ, କ’ଣ ସେଇ ସଫେଇ କଥା, ‘‘ହଁ କହନ୍ତୁ କ’ଣ ହେଲା ?’’ ଲୋକେ ଆଗ୍ରହ ପ୍ରକାଶ କଲେ । ‘‘ଦେଖନ୍ତୁ ଆପଣମାନେ ଗାଡ଼ିରେ ଯାତ୍ରା କରୁଛନ୍ତି । ଭିଡ଼ରେ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ଖୁବ୍‌ କଷ୍ଟ ହେଉଚି ନିଶ୍ଚୟ ।’’

 

ଏକଥା ବୋଷ୍‍ବାବୁ କହିଲେ ନାହିଁ....ୟା ଭିତରେ ଗାଡ଼ି ଭିତରକୁ ଜଣେ ଅଦ୍ଭୁତ ବେଶଧାରୀ ବ୍ୟକ୍ତି ପଶିଆସି ବକ୍ତୃତା ଆରମ୍ଭ କରିଦେଲା । କହି ଚାଲିଲା–ଆପଣଙ୍କର ମୁଣ୍ଡ ବିନ୍ଧୁଚି, ଆଖି ପୋଡ଼ୁଚି, କାନ ଟଣକୁଚି, ଦାନ୍ତମୂଳ ଧକ୍‌ ଧକ୍‌ ହେଉଚି, ଆଣ୍ଠୁ ଗଣ୍ଠି କପ୍ କପ୍‌ ହେଉଚି, ନାକରୁ ପାଣି ଗଡ଼ୁଚି, ଛିଙ୍କ ଉପରେ ଛିଙ୍କ ଆସୁଚି, ଗାଡ଼ିରେ ବସି ବସି ମୁଣ୍ଡ ବୁଲଉଚି, ଶୋଇବାକୁ ଥାନ ନାଇଁ ଢୁଳ ମାଡ଼ୁଚି–ଏଇ ମଲମକୁ ମନେ ପକାନ୍ତୁ । ଏଥିରୁ ଟିକିଏ ନେଇ ପୀଡ଼ା ସ୍ଥାନରେ ଘଷି ଦିଅନ୍ତୁ । ଦୁଇ ମିନିଟରେ ଠିକ୍‌ ହୋଇଯିବେ, କଷ୍ଟ ଦୂର ହୋଇଯିବ । ଆପଣ ଶାନ୍ତି ପାଇବେ, ଆରାମ ପାଇବେ । ଆପଣଙ୍କୁ ବଡ଼ ଡାକ୍ତରଙ୍କ ପାଖକୁ ଦୌଡ଼ି ବୃଥାରେ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କେବଳ ଆଠଅଣା ଖର୍ଚ୍ଚରେ ସବୁ ଠିକ୍‌ । ବଡ଼ ଶିଶି ଏକଟଙ୍କା, ଛୋଟ ଶିଶି ଆଠଅଣା, ତାଠୁ ଛୋଟ ଶିଶି ଚାରିଅଣା ମାତ୍ର । ଦର୍ଦହର ମଲମ–ବିଶ୍ୱବିଖ୍ୟାତ କବିରାଜ ଧନ୍ୱନ୍ତରୀଙ୍କର ଅମୂଲ୍ୟ ଦାନ ।ଦେଖନ୍ତୁ, ପରୀକ୍ଷା କରନ୍ତୁ ।’’

 

କଥା ମୁହଁରୁ ସରୁ ନ ସରୁ ସେ ଅଧ ଡଜନେ ଲୋକଙ୍କ ମୁଣ୍ଡରେ ଟିକିଏ ଟିକିଏ ମଲମ ଘଷିଦେଇ ଦେଇ ଆଗେଇ ଚାଲିଚି । ଏପରି ଯାତ୍ରାରେ ମୁଣ୍ଡବଥା ସ୍ୱାଭାବିକ । ଏଡ଼ିକି ଟିକିଏ ଡବା ତହିଁରେ ଜଣକ ଥାନରେ ପାଞ୍ଚଜଣ ବସିଛନ୍ତି । ତା’ ସାଙ୍ଗକୁ ଏଣୁତେଣୁ ଆଲୋଚନା । ଘର ଭିତରେ ଗରମ–ଗରମକୁ ବଢ଼ାଇବାକୁ ଲୋକେ ବିଡ଼ି ସିଗାରେଟ୍‍ ଫୁଙ୍କି ଚାଲିଛନ୍ତି । ଜଗୁ ଭାବିଲା–‘‘କେତେଜଣ ଏଇ ଅସୁବିଧାର ସୁଯୋଗ ନେଇ ପେଟ ପୋଷୁଛନ୍ତି ।’’ କୋଡ଼ିଏ ତିରିଶ ଲୋକଙ୍କ ମୁଣ୍ଡ ମଲମ ଲଗାଉ ଲଗାଉ ମଲମ ବାଲାର ପାଞ୍ଚ ଦଶ ଶିଶି ମଲମ ବିକ୍ରି ହୋଇଗଲା । ତା ପରେ ସେ ସେଇ ଚଳନ୍ତା ଗାଡ଼ିରେ ଅନ୍ୟ ଡିବାକୁ ଚାଲିଗଲା ।

 

ମୁଣ୍ଡରେ ଆଖିରେ ମଲମ ଘଷିଦେଇ ସେ ଲୋକ ଗାଡ଼ି ଭିତରେ ସମସ୍ତକୁ ଚୁପ୍‌ କରାଇଦେଇ ଚାଲି ଯାଇଚି । କଥାର ଖିଅ କେଉଁଠି ହଜି ଯାଇଚି । ସମସ୍ତେ ଆଖି ବନ୍ଦକରି ଟିକିଏ ଆରାମ କରୁଛନ୍ତି । ବୋଷ୍‍ବାବୁ ଚୁପ୍ ହୋଇ ବସି ପାରିଲେ ନାହିଁ ।

 

‘‘ହଁ କଥାଟା ଅଧା ରହିଗଲା ।

 

ସମସ୍ତେ ଅନାଇଲେ ତାଙ୍କରି ଆଡ଼େ । ଅଧା କଥାର ଶେଷଟା ଶୁଣିବେ ବୋଲି ।

 

‘‘ସେ ଲୋକର ଖଣ୍ଡେ ଚିଠି ମିଳିଚି ।’’

 

ଜଣେ ପଚାରିଲା, ‘‘କେଉଁ ଲୋକର’’ ?

 

ବୋଷ୍‍ବାବୁ କହିଲେ–ମୁଣ୍ଡରେ ମଲମ ଲଗାଇ ତୁମର ସ୍ମରଣଶକ୍ତି ଉଡ଼ି ଗଲାକି ! କିଏ, ସେଇ ଲୋକ ଯେ ମିଲ୍‍ ମାଲିକକୁ ମାରିଦେଇଚି । ଏଡ଼େ ଚଞ୍ଚଳ ଭୁଲିଗଲ ।

 

ନାଇଁ ନାଇଁ କହ–ଭୁଲିଯାଇ ନାହୁଁ ଯେ–ଆମେ ଠିକ୍‍ କରି ପାରିଲୁ ନାହିଁ, କାହା ଚିଠି–ଯେ ନିଜକୁ ମାରିଚି ତା ଚିଠି ନା ଯେ ଅନ୍ୟକୁ ମାରିଚି ତା ଚିଠି ।

 

ବୋଷ୍‍ବାବୁ କହିଲେ ହଉ । ଏବେତ ବୁଝିଲ । ଶୁଣ, ସେ ଲେଖିଚି, ‘‘ମୁଁ ଗୋଟିଏ ରାକ୍ଷସକୁ ମାରିଚି । ଯେଉଁ ରାକ୍ଷସ ହଜାର ହଜାରଙ୍କର ରକ୍ତପିଇ ଶାନ୍ତିରେ ଶୋଇ ପାରୁଥିଲା । ଲକ୍ଷଙ୍କର ଦୁଃଖ ଦେଖି ଉତ୍ସବରେ ମାତୁଥିଲା । ଯାହାକୁ ମାରିବାକୁ ସରକାରର ସମସ୍ତ ବାଣ ବ୍ୟର୍ଥ ହୋଇଥିଲା ।

 

ଆଉ ଶେଷ କଥାଟା ଶୁଣିବାକୁ ଲୋକଙ୍କର ଧୈର୍ଯ୍ୟ ନଥିଲା ।

 

ସମସ୍ତେ କହି ଉଠିଲେ, ଠିକ୍‌ ଠିକ୍‌ । ଭଲ କରିଚି । ବାପର ପୁଅ ସେ ।

 

ବୋଷ୍‍ବାବୁ ଚୁପ୍‍ ରହିଲେ । ସେଇ ଲୋକର କାର୍ଯ୍ୟକୁ ସମର୍ଥନ କରି କିଏ କେତେ ଆଲୋଚନା କଲା । ଗାଡ଼ି ଭିତରୁ ଅଧିକାଂଶ ମିଲରେ କାମ କରିବା ଲୋକ । ଅଳ୍ପେ ବହୁତେ ସମସ୍ତେ ମିଲ୍‌ର ଶାନ୍ତି ଅଶାନ୍ତି ସହିତ ଜଡ଼ିତ । ତେଣୁ କେତେକଙ୍କୁ ସେ ଲୋକର କର୍ମକୁ ନିନ୍ଦା କରିବା ଭଳି ମନୋଭାବ ନଥିଲା । କିଛି ସମୟ ଏହିପରି ଛୋଟ ଛୋଟ ଦଳରେ ଆଲୋଚନା ଚାଲି ଶେଷ ହୋଇଗଲା ।

 

ବୋଷ୍‍ବାବୁ ପୁଣି କଥା ଆରମ୍ଭ କଲେ.... କହିଲେ... ସରଦାର୍ ଜୀ କ’ଣ ଆପଣଙ୍କ ମତ-? ଆରେ ଭାଇ ଏତେ ଗଣ୍ଡଗୋଳ କାହିଁକି ? ଯୁଆଡ଼ୁ ବର୍ଷା ସିଆଡ଼ିକି ଛତା ଦେଖା । ତା ନ କରିବ ତ ତିନ୍ତିବ । ସଫା କଥା...କ’ଣ ସରଦାର୍‍ଜୀ ?

 

ସରଦାର୍‍ ରତନ ସିଂ ଖାଲି ମୁଣ୍ଡ ହଲାଇ ଚୁପ୍‌ ରହିଲେ । ବୋଷ୍‍ବାବୁଙ୍କ ମୁହଁ ଖୋଲିଚି ତ ଆଉ ବନ୍ଦ ନ ହୁଏ । କହିଲେ–ଆପଣ ତ ଇତିହାସ ଜାଣିଥିବେ । ରାଣା ପ୍ରତାପ ବିଚରା ଭୋକରେ ଛଟପଟ ହୋଇ ମରିଗଲା–ତା ପିଲେ ଘାସ ରୁଟି ଖାଇବାକୁ ପାଇଲେ ନାହିଁ । କ’ଣ ପାଇଲା ସେ ସେଥିରୁ ? ଆଉ ସେଇଠି ମାନସିଂ–କି ସୁଖ, କି ମାନ, କି ମର୍ଯ୍ୟାଦା, କି ଥାଟ ପଟୁଆର :

 

ସରଦାର୍‍ ସେମିତି ଖାଲି ମୁଣ୍ଡ ଟୁଙ୍ଗାରିଲେ–ତୁଣ୍ଡ ଫିଟାଇଲେ ନାହିଁ । ଜଗୁ ଚୁପ୍ ରହି ପାରିଲା ନାହିଁ, କହିଲା–କାହାକୁ କାହା ସାଙ୍ଗରେ ତଉଲୁଛନ୍ତି । ଜଣେ ଭାରତର ଉଜ୍ଜ୍ୱଳମଣି ତ ଆଉ ଜଣେ କଳଙ୍କ ମୁଣି । ଏ ଦୁଇର ତୁଳନା ହୋଇପାରେ ?

 

ବୋଷ୍‍ବାବୁ କହିଲେ–ଆରେ ଭାଇ, କଳଙ୍କ କହ କି ଉଜ୍ଜ୍ୱଳ କହ ସେଥିରୁ ମିଳିବ କ’ଣ ? ଯିଏ ଜିଇବାକୁ ଚାହିଁବ ତା ପାଇଁ ମାନସିଂ ବାଟଟି ଭଲ । ଆଉ ଯିଏ ପାଗଳ ହେବ ତା ପାଇଁ ମାନସିଂ ବାଟ ଭଲ । କ’ଣ ସରଦାର୍‍ଜୀ ?

 

ଏଥର ସରଦାର୍‍ଜୀ ଚୁପ୍‌ ରହିଲେ ନାହିଁ । କହିଲେ–ଭାଇ ଜିଇ ରହିବା ବଡ଼ କଥା ନୁହେଁ । ଗୁରୁ ଗୋବିନ୍ଦ ସିଂକୁ ଜାଣିଚ ? ତାଙ୍କର ଦୁଇଟି ପିଲାଙ୍କୁ ଜିଅନ୍ତା କାନ୍ଥରେ ଲଗେଇ ଇଟା ଚଢ଼େଇ ଦିଆଗଲା । ତଥାପି ସେମାନେ ଜିଦ୍‌ ଛାଡ଼ିଲେ ନାହିଁ ।

 

ବୋଷ୍‍ବାବୁ କହିଲେ–ହଁ, ହେଲା ଯେ ଫଳ କଅଣ ହେଲା ? ଗୁରୁ ଗୋବିନ୍ଦ ସିଂ କଥା ମାନି ଯାଇଥିଲେ ତାଙ୍କ ପିଲା ଦି’ଟାଙ୍କୁ ରାଜ୍ୟ ଦି’ଖଣ୍ଡ ମିଳିଯାଇ ଥାଆନ୍ତା । ଆରାମରେ ରାଜ୍ୟ କରି ଥାଆନ୍ତେ । ଦେଖୁନା, ଏଣୁତେଣୁ ପଇସା ଗୋଟାଇ ବଡ଼ ହୋଇ ଯାଉଛନ୍ତି । ସେମାନଙ୍କ ପିଲାଙ୍କୁ ବଢ଼େଇ କୁଢ଼େଇ ମଣିଷ କରି ଦେଉଛନ୍ତି । ସେମାନଙ୍କ ଦିହରେ କ’ଣ ମୋହର ମରା ହୋଇଚି କି ଏମାନେ ଅନ୍ୟାୟ ଧନରେ ମଣିଷ ହୋଇଛନ୍ତି ?

 

ଏତେ ବାଟ କିଆଁ ହେ ? ଚୌଧୁରୀଙ୍କୁ ଦେଖୁନା । ବିଚରା ଟିକିଏ ସହି ଯାଇଥିଲେ ଏଇନା ବଡ଼ ଅଫିସର ହୋଇ ବସି ଥାଆନ୍ତା ।

 

ତୁମେ ଯେତେ ଯାହା କହି ବାବୁ, ମୂଳ ହେଲା ଜିଇବା କଥା । କଅଣ ରମଣବାବୁ ଆପଣଙ୍କ ମତ କଅଣ ?

 

ରମଣବାବୁ ତାଙ୍କର ଗୋଟିଏ ପିଲାକୁ ସମ୍ଭାଳି ତାଙ୍କ ସ୍ତ୍ରୀଙ୍କୁ ଟିକିଏ ବିଶ୍ରାମ ନେବାକୁ ସାହାଯ୍ୟ କରୁଥିଲେ । ବୋଷ୍‍ବାବୁଙ୍କ କଥାରେ ସେ କହିଲେ–ମୂଳ ହେଲା ଜିଇବା କଥା । ଆଉ ସବୁ ପାଗଳାମି । ବୋଷ୍‍ବାବୁ ଆପଣ ଯଥାର୍ଥ କହୁଛନ୍ତି । ଦେଖିଲି ଆପଣ ଏକା ଏ ସଂସାରକୁ ଚିହ୍ନିଛନ୍ତି । ଆଉ ଏକାବେଳକେ ସତ କଥାକୁ ସମସ୍ତଙ୍କ ଆଗରେ କହୁଛନ୍ତି । ବଡ଼ ପ୍ରାକ୍‌ଟିକାଲ୍‌ ଆପଣ ।

 

ସମସ୍ତେ କହିଲେ–ବାଃରେ ବୋଷ୍‍ବାବୁ ।

 

ବୋଷ୍‍ବାବୁ ଉତ୍ସାହିତ ହୋଇ କହିଲେ–ଦେଖ ବାବୁ, ମୁଁ କୃଷ୍ଣଭକ୍ତ । କୃଷ୍ଣ ଗୀତାରେ ଯାହା କହିଛନ୍ତି ତାହା ମୁଁ ଅକ୍ଷରେ ଅକ୍ଷରେ ପାଳନ କରୁଚି ।

 

‘କ’ଣ କହିଲେ କୃଷ୍ଣ’ କେତେ ଜଣ ଥଟ୍ଟା କରି ପ୍ରଶ୍ନ କଲେ । ବୋଷ୍‍ବାବୁ କହିଲେ–ମାର ଆଉ ଜିଅ । ମୁଁ ତାକୁ ଯୁଗ ଉପଯୋଗୀ ଅର୍ଥରେ ଲଗାଇ ବୁଝିଲି ଯେଉଁଠି କାମ କରୁଚ ପଇସା ମାର, ଜିନିଷ ହାତରେ ପଡ଼ିଲେ ଜିନିଷ ମାର; ମଣିଷ, ତୁମ ବାଟରେ ଯିଏ ଆସି ବାଧା ଦେଲା, ବେଳ ପଡ଼ିଲେ, ତାକୁ ମାର । ଏତିକି କହି ସେ ଖୁବ୍‌ ହୋ ହୋ ହୋଇ ହସିଲେ ।

 

କୃଷ୍ଣଭକ୍ତ ବୃଦ୍ଧ ଜଣକ କହିଲେ–ଘୋର କଳି, ଘୋର କଳି, ଗୀତାକୁ ଆଉ କୃଷ୍ଣଙ୍କୁ କି ଅର୍ଥରେ ନେଉଚରେ ବାପା । ଆଉ ବୋଷ୍‍ବାବୁ କିଛି କହିଲେ ନାହିଁ । ପ୍ରବନ୍ଧ ଧୀରେ ଧୀରେ ଜଟିଳ ହୋଇ ଆସିବାରୁ ଲୋକମାନେ ଆଉ ଆଲୋଚନାରେ ଆନନ୍ଦ ନ ପାଇ ଅନ୍ୟ କଥା ପକାଇଲେ ।

 

ଜଗୁ ଝରକା ଭିତର ଦେଇ ବାହାରକୁ ଅନାଇଲା । ଦେଖିଲା, ଖରା ଟାଣ ହୋଇ ଆସୁଚି । ବିଲରେ ଲୋକେ ହଳ କରୁଛନ୍ତି । ତେଣୁ ମୁହଁ ବୁଲେଇ ଆଣି ଭିତରକୁ ଦେଖିଲା । କିଛି ଦୂରରେ ଗୋଟିଏ ଗୋଟିକିଆ ସିଟରେ ଜଣେ ସାଧୁ କେତେବେଳେ ଆସି ବସିଛନ୍ତି । ମୁହଁର କଳାଦାଢ଼ି ତାଙ୍କ ମୁଖମଣ୍ଡଳର ଗୋରା ରଙ୍ଗକୁ ଆଉରି ଅଧିକ ଉଜ୍ଜ୍ୱଳ କରି ଦେଉଚି । ଦେହରେ ଗେରୁଆ ଲୁଗା ଲୁଙ୍ଗି ଭଳି ପିନ୍ଧିଛନ୍ତି ଆଉ ଖଣ୍ଡିଏ ଗେରୁଆ ଚାଦରରେ ଦେହ ଢାଙ୍କିଛନ୍ତି । ଜଗୁ ତାଙ୍କୁ ଏକା ଆଖିରେ ଅନାଇ ରହିଲା । ତା’ର ମନେହେଲା ଯେମିତି ସେ ତା ଭାଇ, ଦାଢ଼ି ବଢ଼େଇ ନେଇଚି । କିନ୍ତୁ ପୁରା ସନ୍ଦେହ ରହିଗଲା । ଭାଇ ଘରୁ ଯିବାର ସାତ ବର୍ଷ ହୋଇ ଗଲାଣି ଫେର୍‍ ଭାଇକୁ ସେ କେବେ ଦାଢ଼ି ନିଶରେ ଦେଖି ନାହିଁ । ଜଗୁ ତାଙ୍କ ପାଖକୁ ଗଲା । ଭାବିଲା କିଛି କଥାବାର୍ତ୍ତା କରିବ । କଥା କହିଲେ ସେ ନିଶ୍ଚେ ବୁଝିଯିବ ।

 

ଜଗୁ ପଚାରିଲା–ମହାରାଜ, ଆପଣ କୁଆଡ଼େ ଯିବେ ?

 

ସାଧୁ ତୁଣ୍ଡ ଫଟାଇଲେ ନାହିଁ । ଠାରି କରି କହିଦେଲେ–ବହୁତ ଦୂର । ହାତଯୋଡ଼ି ପ୍ରଣାମ କରି ବୁଝାଇ ଦେଲେ ଯେ ସେ ଦର୍ଶନ, ସେ କଥା କହନ୍ତି ନାହିଁ ।

 

ଜଗୁ ହତାଶ ହୋଇ ଫେରିଲା ।

 

ବେଷ୍‍ବାବୁ ପ୍ରଶ୍ନକଲେ–କ’ଣ ଜଗୁ ? ସାଧୁ କ’ଣ କହିଲେ ? ଜଗୁ କହିଲା–ସେ କଥା କହନ୍ତି ନାହିଁ ।

 

ବୋଷ୍‍ବାବୁ କହିଲେ–ହଁ ବାବା ତେବେ ତହିଁରେ କିଛି ରହସ୍ୟ ନିଶ୍ଚୟ ଅଛି ।

 

ଜଗୁ ଚୁପ୍‌ ରହିଲା ।

 

ବୋଷ୍‍ବାବୁଙ୍କୁ କଥା କହିବାରେ ଏକ ଉପାଦାନ ମଳିଗଲା । ସେ କହିଲେ–ସରଦାର୍‍ଜୀ, ଆପଣ ଦିହକୁ କଥାଟା ନେବେ ନାହିଁ । ଜାଣିଲେ । ମୁଁ ଆପଣମାନଙ୍କୁ କହୁ ନାହିଁ, କହୁଚି ସାଧୁଙ୍କୁ । ଯେଉଁ ସାଧୁ, ଦେଖିବ, ଦାଢ଼ି ଭିତରେ ମୁହଁ ଛପେଇଚି । ଜାଣିବେ ସେ ନିଶ୍ଚେ କାହାକୁ ମାରିଥାଉ, ଚୋରି କରିଥାଉ ନ ହେଲେ କିଛି ପାପ କରିଥାଉ । କୃଷ୍ଣଭକ୍ତ ବୃଦ୍ଧ କୃଷ୍ଣ କୃଷ୍ଣ କହି ମନ୍ତବ୍ୟ ପ୍ରକାଶ କଲେ । ଭଗବାନ ମୋତେ ଆଣି କେଉଁଠି ବସାଇଲେ । ଆରେ ବାବୁ ସାଧୁ ବୈଷ୍ଣବଙ୍କର ଗୁଣ କୀର୍ତ୍ତନ କରିବେ କ’ଣ ଏଗୁଡ଼ା ଖାଲି ନିନ୍ଦା କରି ଚାଲିଛନ୍ତି । କୃଷ୍ଣ, କୃଷ୍ଣ ।

 

ବୋଷ୍‍ବାବୁଙ୍କ କଥା ଶୁଣିବାକୁ ଆଉ କାହାରି ମନ ନାହିଁ । ଗରମ ଖୁବ୍‌ ବଢ଼ିଲାଣି । ବସି ବସି ଦୂର ଯାତ୍ରୀମାନେ ଚିଟା ହେଲେଣି । ପୁଣି ଏକ ଷ୍ଟେସନ୍, ଗାଡ଼ି ଧୀରେ ଧୀରେ ଚାଲିଲାଣି–ଥକିଗଲା ଗୋଡ଼ପରି । ଜଗୁ ଝରକା ବାଟେ ବାହାରକୁ ଅନାଇଲା । ଗୋଟାଏ ପାଗଳାକୁ କେତେ ପିଲା ତଡ଼ୁଛନ୍ତି । ପାଗଲା ମଧ୍ୟ ହାତରେ ଗୋଟାଏ ଟେକାଧରି ଦଉଡ଼ୁଚି । ତା ମୁହଁରେ ଦାଢ଼ି ନିଶ ବାଲୁ ବାଲୁ ।

 

ଜଗୁ ମନେ ମନେ ହେଲା–କ’ଣ ଇଏ ମଧ୍ୟ ପାପକରି ଲୁଚେଇଚି ? ଇଏ ମଧ୍ୟ କ’ଣ କାହାକୁ ହତ୍ୟା କରିଚି ? ବୋଷ୍‍ବାବୁ କେମିତି ଲୋକଟେ କେଜାଣି ! ତା ମନକୁ ଯାହା ଆସିଲା ତା କହିଗଲା । ସାଧୁ ବିଚରା ଏମିତି କଥା ଶୁଣିକରି କ’ଣ ଭାବିଥିବ ?

 

ଗାଡ଼ି ରହିଲା । ପାଗଲା ପ୍ଲାଟ୍‍ଫର୍ମ ଭିତରେ ପଶି ଗଲାଣି । ଲୋକମାନେ ହୋ ହୋ କରୁଛନ୍ତି–ପଲାମାନେ ତଡ଼ି ଲାଗିଛନ୍ତି । ପାଗଲା ହାତରୁ ପଥରଟା ଫିଙ୍ଗି ଦେଇ ଭଲ ଲୋକ ପରି ଗାଡ଼ି ପାଖରେ ଆସି ବୁଲିଲା । ଜଗୁ ତାକୁ ଥରକୁ ଥର ଅନାଇଲା । କାଳେ ତା ଭାଇ ହୋଇଥିବ । ସେ ଦି ଚାରି ଖଣ୍ଡ ପୁରି ଆଉ ତରକାରୀ କିଣି ପାଗଲା ହାତରେ ଦେଲା । ପାଗଲା ସେତକ ହାତରେ ଧରିଲା, ତାକୁ ଅନାଇଲା ଆଉ ହସିଲା । ହସିଲା ଯେ ହସିଲା । ସେ ହସ ଆଉ ବନ୍ଦ ନ ହୁଏ । ଯେମିତି ନାଟକରେ ହସନ୍ତି ସେମିତି ତୁହାକୁ ତୁହା ସେ ହସି ଚାଲିଥାଏ । ମଝିରେ ହସ ବନ୍ଦକରି କ’ଣ ଟୁପୁଟୁପୁ କରି କହେ–ଫେର୍‍ ହସେ ।

 

ଏତିକିବେଳେ ଗୋଟାଏ କୁକୁର ତା ଗୋଡ଼ ପାଖରେ ଠିଆ ହୋଇ ଖାଦ୍ୟ ଆଡ଼କୁ ଅନାଇ ଲାଙ୍ଗୁଳ ହଲାଇଲା । ପାଗଲା ପୁରି ତରକାରୀ ତକ ତା ମୁହଁରେ ଥୋଇଦେଇ କ’ଣ ଟୁପୁ ଟୁପୁ କରି କୁକୁରକୁ କହିଲା–କୁକୁର କ’ଣ ବୁଝିବ ? ମଣିଷ ତ ସେଥିରୁ ପଦେ ହେଲେ ବୁଝି ପାରିବ ନାହିଁ । ତା ପରେ ସେ ମୁହଁରେ ଗୋଟିଏ ଶାନ୍ତିର ହସ ଉକୁଟାଇ ଚାଲିଗଲା ।

 

ଜଗୁ ତା ପଛେ ପଛେ ଯାଇ ତାକୁ ପଚାରିଲା–ମଧୁପୁର ଯିବୁ ? ପାଗଲା ଖାଲି ଟିକିଏ ମୁରୁକି ହସିଲା–ଆଉ ଚାଲିଗଲା ।

 

ଜଗୁ ଷ୍ଟେସନ୍‌ର ପାଣିବାଲାକୁ ପଚାରିଲା–ଏ ପାଗଲା ଏଠିକି କେବେଠୁ ଆସିଲାଣି ?

 

ସେ କହିଲା–ଆମେ ତ ତାକୁ ତିନି ଚାରି ବର୍ଷ ହେଲା ଏଠି ଦେଖୁଛୁ । ଲୋକେ କହୁଛନ୍ତି ସେ ସି.ଆଇ.ଡି. ।

 

ଗାଡ଼ି ସିଟି ଦେଲା । ଜଗୁ ଭିତରକୁ ଆସି ତା’ ଥାନରେ ବସିଲା । ମନେ ମନେ କହିଲା–ଭାଇ ହୋଇପାରେ–କିଏ କହି ପାରିବ । ଚିହ୍ନିବା ବଡ଼ କଷ୍ଟ । ଭାଉଜଙ୍କ କଥା ଭାବି ଭାବି ହୁଏତ ପାଗଳା ହୋଇ ଯାଇଥିବ ।

 

ଗାଡ଼ି ଛାଡ଼ିଲା । ଧୀରେ ଧୀରେ ପାଗଳାର ମୁହଁ ଜଗୁର ଆଖିରୁ ଛପି ଛପି ଗଲା । ଖାଲି କାନରେ ତା ହସଟା ମଝିରେ ମଝିରେ ବାଜି ଯାଉଥାଏ । ଆଃ କି ଚେହେରା ଥିଲା, କ’ଣ ହୋଇ ଯାଇଚି । ଯାହା ସେ ଖାଇବା ଜିନିଷ ପାଉଥିଲା ଆଗକରି ମୋ ଭାଇ ଖାଇବ ବୋଲି ସାଇତି ରଖୁଥିଲା । କେତେଥର ସ୍କୁଲରେ ମିଠେଇ ବଣ୍ଟା ହୁଏ, ସେ ମୋ ପାଇଁ ନେଇ ଆସେ । ସେଇ ଗୁଣଟା ତା’ର, ପାଗଲା ହୋଇ ମଧ୍ୟ ରହିଯାଇଚି ।

 

ଜଗୁ ଭାଇକୁ ମନେ ପକାଇ ପାଗଲାଠାରେ ତା’ର ଗୁଣର ସାମ୍ୟ ଖୋଜି ଖୋଜି ଦେଖି ଲାଗିଲା । ତା ପରେ ଆଉ ଭାବି ପାରିଲା ନାହିଁ । ତାକୁ ଭୁଲିବ ବୋଲି ଆଉ ଅନ୍ୟ କଥା ପକାଇବାର ଚେଷ୍ଟା କଲା ।

 

ଚୌଧୁରୀବାବୁଙ୍କୁ ପଚାରିଲା–ଆତ୍ମହତ୍ୟା କରିଥିବା ଲୋକଟିର ବୟସ କେତେ ହେବ-?

 

ଚୌଧୁରୀ କହିଲେ–ଏଇ ତିରିଶ ପଇଁତିରିଶ ହେବ । ଖୁବ୍‌ ବେଶି ହେଲେ ଚାଳିଶ ।

 

ଆଉ ରଙ୍ଗ ?

 

ତୁମରି ରଙ୍ଗ ।

 

କୋଉଠିକାର କିଛି ଖବର ମିଳିଲା ?

 

ନାହିଁ ଲୋକେ କହୁଥିଲେ, ତା ପକେଟରୁ କିଛି କାଗଜ ମିଳିଚି ତହିଁରେ ସେ ତା ଭାଇ ପାଖକୁ ଖଣ୍ଡେ ଚିଠିରେ ଲେଖିଥିଲା, ଘର ସଂସାର ତୋ ଜିମା ରହିଲା । ତୁ ଦେଖିବୁ ।

 

ଏକ ବ୍ୟଙ୍ଗପୂର୍ଣ୍ଣ ହସ ହସି ବୋଷ୍‍ବାବୁ କହିଲେ–ହୁଁ । ଭାଇ ! ଭାଇ ! ଭାଇ କେବେ ଭାଇ କଥା ବୁଝିଲାଣି ? ଆଜିକାଲି ଲୋକ ଖଣ୍ଟଠାରୁ ପଛକେ ନିଜର ମଙ୍ଗଳର ଆଶା ରଖି ପାରିବ ଭାଇଠାରୁ ନୁହେଁ । କ’ଣ ସରଦାର୍‍ଜୀ କ’ଣ ?

 

ସରଦାର୍‍ କହିଲେ–ହଁ, ସେ କଥା, ଯାହାର ଭାଇ ଅଛି, ସେଇ ଏକା କହିପାରିବ ।

 

ବୋଷ୍‍ବାବୁ ଖୁବ୍ ଗୋଟାଏ ବଡ଼ ହସ ହସି କହିଲେ–ଓହୋ–ହୋ–ଆପଣଙ୍କର ଭାଇ ନାହିଁ ? ତେବେ ତ ଆପଣ ଦୁନିଆ ଜିଣିଯିବେ । ଚୌଧୁରୀ କହିଲେ–କାହିଁକି ? ଆପଣଙ୍କ ଭାଇ କ’ଣ ଆପଣଙ୍କୁ ଦୁନିଆ ଜିଣିବାକୁ ଦେଲେ ନାହିଁକି ?

 

ଆରେ ଭାଇ ମୋ କଥା ଛାଡ଼ । ଦୁନିଆଟାକୁ ଦେଖ । ରାବଣ ଭଳିଆ ପରାକ୍ରମୀ ଭାଇ, ଭାଇପାଇଁ ନା ଧ୍ୱଂସ ହୋଇଗଲା । ମୋଗଲ ବଂଶର ଭାଇଙ୍କି ଦେଖ । ବାଳୀ ସୁଗ୍ରୀବ ପରା ଦୁଇଭାଇ ତାଙ୍କୁ ଦେଖ ।

 

ଜଗୁ କହିଲା–ବୋଷ୍‍ବାବୁ, କିଛି ଭାବିବେ ନାହିଁ । ଆପଣ ଖାଲି ରାତି ଦେଖିଛନ୍ତି ଦିନ ଦେଖି ନାହାନ୍ତି । ଅନ୍ଧାର ଦେଖି ଦେଖି ଅନ୍ଧାର ଭିତରେ ନିଜକୁ ହଜାଇ ଦେଇଛନ୍ତି; ଲାଗୁଚି ଆଲୁଅକୁ ବାହାରି ପାରି ନାହାନ୍ତି । ଆପଣ ରାବଣର ଭାଇକୁ ଦେଖିଛନ୍ତି ସେଇଠି ରାମଙ୍କ ଭାଇକୁ ଦେଖି ନାହାନ୍ତି । ମହାଭାରତରେ କୃଷ୍ଣର ଭାଇକୁ ଦେଖି ନାହାନ୍ତି; ଏତିକି କହି ସେ ପୁଣି ଚୌଧୁରୀକୁ ପଚାରିଲା–ଆଚ୍ଛା, ‘ସେ ଚିଠି ତ ପୁଲିସବାଲା ତା ଭାଇ ପାଖକୁ ପଠାଇ ଦେବେ ?’’

 

ହଁ ତା’ର ଗୋଟାଏ ନକଲ ରଖି ପଠାଇଦେବେ ।

 

ଜଗୁ ଗୁମ୍‌ମାରି ବସିଲା ।

 

ବୋଷ୍‍ବାବୁ–ପୁଣି ଶକ୍ତି ସଞ୍ଚୟ କରି କହିଲେ–ହେ ଜଗୁଭାଇ–ତୁମେ ଯେଉଁ କଥାଟି ପଚାରିଲ ସେ ବିଷୟରେ କେବେ ହେଲେ ଚିନ୍ତା କରିଚ ? ଆହେ କହିଚି ପରା ଧାନ ପଟେ ଅଗାଡ଼ି, ମା ପେଟେ ଭଗାରୀ–ରାମଙ୍କର ମା ପେଟ ଭାଇ କିଏ ଥିଲା ? କୃଷ୍ଣ ବଳରାମ କ’ଣ ଏକା ମା ପେଟର ? ଏକଥା ମୁଁ ବହୁତ ଭାବିଚିନ୍ତି କହିଚି–

 

କଥାଟା କହିସାରି ସେ ବିଜୟ ଗର୍ବରେ ଖୁବ୍‌ ହସି ଲାଗିଲେ । ଜଗୁ କହିଲା, କାହା ଭାଇ କ’ଣ ସେଥିରୁ ମୋତେ କ’ଣ ମିଳିବ । ଦୁନିଆରେ ଅନେକ ଭାଇ ଭାଇ ପାଇଁ ଆତ୍ମବଳି ଦେଇଛନ୍ତି । ସେମାନଙ୍କ ନାଁ ଅବଶ୍ୟ ପୁରାଣ ହୋଇ ରହିନାହିଁ କି ଇତିହାସ ପୃଷ୍ଠାକୁ ଆସି ନାହିଁ ।

 

ବଚନ ସିଂ କହିଲେ–ଭାଇର କଥା ତୁମେ କିଛି ଜାଣିନା ବୋଷ୍‍ବାବୁ ଇତିହାସର ଗୋରା ବାଦଲଙ୍କୁ ଚିହ୍ନିଚ ?

 

କଥାଟା ବୋଷ୍‍ବାବୁ ଆଉ ବଚନ ସିଂଙ୍କ ଭିତରେ ଗୋଳେଇ ମୋଳେଇ ହୋଇଗଲା । ଜଗୁ ତହିଁରେ ଯୋଗ ଦେଲା ନାହିଁ ।

 

ଚୌଧୁରୀ ପଚାରିଲେ–ଜଗୁଭାଇ, କ’ଣ ଭାବୁଚ ? କ’ଣ ସେ ଚିହ୍ନା ଲୋକ କି ?

 

ଜଗୁ ଟିକିଏ ଅନ୍ୟମନସ୍କ ହୋଇ କହିଲା–ନାଇଁ, ମୁଁ ତ ତାକୁ ଦେଖି ନାହିଁ । ଜାଣିବି କେମିତି ?

 

ଆଉ ଜଣେ କିଏ ପ୍ରଶ୍ନ କଲା–ଏବେ କଅଣ ହେବ ?

 

ଚୌଧୁରୀ କହିଲେ–ଆଉ ହେବ କ’ଣ ? ଶବକୁ ଡାକ୍ତର ମାଇନା ପାଇଁ ପଠାଇ ଦେବେଣି ।

 

ଜଗୁ ଫେର୍‍ ବାହାରକୁ ଅନାଇଲା । ଆଖି ଆଗରେ ତା ଭାଇର ରୂପ ନାଚି ଉଠିଲା । କେତେ ଭଲ ପାଉଥିଲା ସେ ତାକୁ ! ଭାଉଜ ତା’ର କେଡ଼େ ସୁନ୍ଦର ! ଖାଲି ରୂପରେ ତ ନୁହେଁ ଗୁଣରେ ମଧ୍ୟ ; ଏଇନା ସବୁ ସ୍ୱପ୍ନପରି ଲାଗୁଚି ।

 

ତାକୁ ଆଉ କୌଣସି କଥା ଭଲ ଲାଗିଲା ନାହିଁ । ଜଗୁ ଭାବିଲା, ସତେ କଅଣ ଭାଇ ମରିଗଲା ? ଯାଇଥିଲା ପଇସା କମେଇବ ବୋଲି । ସଫଳ ନ ହେଲା ତ ଫେରି ଆସିଥାଆନ୍ତା । ମଲା କାହିଁକି ? ମରିବାରୁ ତାକୁ କ’ଣ ମିଳିଲା ? କେତେ ଜଣଙ୍କୁ ସେ ଦୁଃଖରେ ଭସାଇ ଦେଇ ଚାଲିଗଲା ?

 

ମରିବା କଥା ଆଉ ସେ ଭାବି ପାରିଲା ନାହିଁ । ସେ କେଭେଁ ମରି ନଥିବ । ନିଜ ଭାଇକି ସେ ଜାଣେ । ସାର ଗାଁଟାର ଲୋକେ ତାକୁ ଡରୁଥିଲେ । ଅନ୍ୟାୟ କଥା ଆଗରେ ସେ କେବେହେଲେ ମୁଣ୍ଡ ନୁଆଁଉ ନଥିଲା । ଏମିତି ଲୋକ କ’ଣ ଦୁନିଆକୁ ଡରି ମରିପାରେ ? ନା, ତା ହୋଇ ନ ପାରେ–ହୋଇ ନ ପାରେ । ହୋଇ ନ ପାରେ । ମନରେ ତା’ର ଝଞ୍ଜା ଉଠିଚି । ସେ ଭାବୁଚି ଆଉ ଭାବୁଚି ଶେଷରେ କିଛି ସ୍ଥିର କରି ନ ପାରି ସେ ଭାବିଲା–ମରିଥିଲେ ମରିଥିବ । ତା ପାଇଁ ଆଉ କ’ଣ କରାଯିବ ? ଯାହା ହେବାର ଥିଲା ତାହା ହେଲା ।

 

ଏ ପର୍ଯ୍ୟନ୍ତ ବାହାରକୁ ଅନାଇ ଥିଲେ ମଧ୍ୟ ସେ କିଛି ଦେଖୁ ନଥିଲା । ତା ଆଖି ଆଗରେ ସବୁ ଭାସି ଭାସି ଯାଉଥିଲା । ଗଛ, ବିଲ, ନଈ, ନାଳ, ଗୋରୁ, ମଣିଷ, ଚଢ଼େଇ । କିନ୍ତୁ ସେ ଖାଲି ଦେଖୁଥିଲା ତା ଭାଇର ମୁହଁ ଆଉ ସେ କରୁଥିବା କେତେଗୁଡ଼ିଏ କାମ ।

 

କଳ୍ପନାର ଆଖି ବୁଜି ବୁଜି ହୋଇ ଆସିଲା । ସତ ଆଖିରେ ଦେଖିଲା ଏଥର । ଏପଟେ ଅସରାଏ ପାଣି ବରଷି ଯାଇଚି । ଭୂଇଁ ନରମ ହୋଇ ଯାଇଚି । ଆଖି ଯେଉଁଯାଏ ପାଉଚି ସେ ଯାଏ ଖାଲି ଦିଶୁଚି ବଳଦ ଆଉ ମଣିଷ । ହଳ ହେଉଚି ମନ୍ଥନ ଚାଲିଚି । ଏଇ ମନ୍ଥନରୁ ଅମୃତ ବାହାରିବ । କିନ୍ତୁ ମନ୍ଥନ ଯେ କରୁଚି ସେ ଚାଷୀ କିଛି ପାଇବ ତହିଁରୁ ? ସବୁ ଜାଣି ସୁଦ୍ଧା ସେ ମନ୍ଥନ କରୁଚି । କିଛି ତ ମଳିବ । ଗୋଟାଏ ଆଶା କେବଳ ।

 

ଦେଖିଲା ଗୋଟାଏ ସବାରୀ ଆଉ ପଛେ ପଛେ ପାଲିଙ୍କି ଯାଉଚି । ଗଉଡ଼ ହୁଁ ହୁଁ କରି କରି ପଲାଶି ଚାଲିଛନ୍ତି । ପଛରେ ଦଉଡ଼ିଛନ୍ତି ବାଜାବାଲା । କିଏ ଜଣେ ବାହା ହୋଇ ବୋହୂ ଆଣି ଫେରୁଚି । ମନେ ପଡ଼ିଲା ନିଜର ବାହାଘର କଥା । ଚାରିବର୍ଷରୁ ବେଶି ହୋଇଗଲାଣି । ଭାଉଜ ମରିଗଲା । ବୋଉ ଜିଦ୍‌ ଧରିଲା, ନାଁ, ତୋତେ ବାହା ହେବାକୁ ପଡ଼ିବ । ନ ହେଲେ ମୋତେ ଦେଖିବ କିଏ ? ମୁଁ ଏକୁଟିଆ ରହିବି କେମିତି ?

 

ବାହାଘର ହେଲା । କିନ୍ତୁ ମା ଦେଖି ପାରିଲା ନାହିଁ । ଏକୁଟିଆ ରହିପାରିବ ନାହିଁ, ବୋହୂ ଆଣିବ ବୋଲି କହୁଥିଲା । ଏବେ ବୋହୂ ଏକୁଟିଆ ରହୁଚି । ବାହାଘରର କିଛିଦିନ ପରେ ବାପା ମରିଗଲେ । ତାଙ୍କ ସହିତ ଘରର ଲକ୍ଷ୍ମୀ ବାଟ କାଟିଲେ । ପେଟର ଦାଉ ଅସମ୍ଭାଳ ହେଲା-। ଘରର ସୁଖ ଛାଡ଼ି ଦାଣ୍ଡକୁ ବାହାରିବାକୁ ପଡ଼ିଲା । ସୁଦୂର ବିଦେଶ ଦାଣ୍ଡ । ସେମିତି ଏକୁ ମଧ୍ୟ ଭୋଗିବାକୁ ପଡ଼ିବ । ବିଚାରା ମାସ ଗୋଟିଏ ଛୁଟିନେଇ ଆସିଥିବ । ଦେଖୁ; ଦେଖୁ ସେତକ ସମୟ ପାଣିପରି ବୋହିଯିବ । ସେ ଫେରିବ ବୋହୂକୁ ଏକୁଟିଆ ପକାଇ । ଆଷାଢ଼ର ପ୍ରଥମ ଦିନ ସାଙ୍ଗରେ ମେଘ ଆଉ ବିଜୁଳି ଘେନି ଆସିବ, ଆଉ ଯିବ । ସେଠଉ ଆସିବ କାସ ହାସମୟୀ ଶରଦ, ସେ ମଧ୍ୟ ଯିବ । ଆସିବ ଶୁଭ୍ରକେଶା ଶିଶିର । ତା ପଛକୁ ଆସିବ ମଧୁମୟ ବସନ୍ତ । ଫୁଲର ସମ୍ଭାର ଘେନି ସେ ମଧ୍ୟ ଯିବ । ଅଭିଶପ୍ତ ଯକ୍ଷକୁ ସମୟ ମିଳିବ ନିଦାଘ ଗ୍ରୀଷ୍ମରେ । ସେ ମଧ୍ୟ ଏକ ସଂଦିଗ୍‌ଧ ସମ୍ଭାବନା । କେତେ ମଧୁର ସ୍ୱପ୍ନ ଦେଖି ଦେଖି ଦୁହେଁ ଅଲଗା ଅଲଗା ହୋଇ ଚାଲିଛନ୍ତି-। ସବାରୀ ତା ପଛେ ପଛେ ପାଲିଙ୍କି । ମନରେ ମିଳନର ଏକ ଅଦମ୍ୟ ପିପାସା ଜାଗି ଉଠିଥିବ । ସେମାନେ ମନେ ମନେ ଅମୃତ ପାନର କଳ୍ପନା କରୁଥିବେ । କିନ୍ତୁ କିଏ ଜାଣେ ସେମାନଙ୍କର ଅମୃତ ପାନର ପାତ୍ରରେ ହଳାହଳ ଭରିଯିବ । ଯେମିତି ତା’ର ଆପଣା ପାତ୍ର ଭରି ଯାଇଚି । ଦାରିଦ୍ର୍ୟର କଷାଘାତରେ ଦୁହେଁ ଅଲଗା ଅଲଗା ହୋଇଯିବେ । ଜଣେ ପଡ଼ିରହିବ ଘରେ, ଚାରିକାନ୍ଥରେ ଘେରା ଏକ ଅନ୍ଧାର କୋଠରୀରେ । ଅନ୍ୟଜଣେ ଚାଲିଯିବ କାହିଁ କେତେଦୂର-। କଳ କବ୍‌ଜାର ତପ୍ତଶ୍ୱାସରେ ପେଡ଼ି ହେବାକୁ ।

 

ଜଗୁଭାଇ, ଜଗୁଭାଇ !

ଜଗୁ ଚମକି ପଡ଼ିଲା । କେତେବେଳୁ ଗାଡ଼ି ଆସି ଆଉ ଗୋଟାଏ ଷ୍ଟେସନରେ ଅଟକି ଗଲାଣି ତାକୁ ଜଣା ନାହିଁ । ଦେଖିଲା ଗୋଟିଏ ପରିଚିତ ବ୍ୟକ୍ତି ତା କାନ୍ଧରେ ହାତରଖି ହଲାଇ ହଲାଇ ଡାକୁଚି ।

ଆରେ ମାଧବ ! ତୁ କୁଆଡ଼େ ? ଜଗୁ ପ୍ରଶ୍ନକଲା ।

ମାଧବ କହିଲା–ଗୋଟିଏ କାମରେ ହରିପୁର ଯାଇଥିଲି । ସେଇଠୁ ଫେରୁଚି । ଆଉ କହ ସବୁ ଭଲ ତ ?

ଜଗୁ କହିଲା–ହଁ ସବୁ ଠିକ୍‍ । ତୁ କେବେଠୁ ଆସିଲୁଣି ?

ମାଧବ କହିଲା–କାଲି ଆସି ଗାଁରେ ପହଞ୍ଚିଲି ।

ଆଉ ବାପା ଭଲ ଅଛନ୍ତି ?

ମାଧବ କହିଲା–ହଁଅ, ଭଲ ଆଉ କଅଣ ? ସବୁବେଳେ ତ ବେମାର ପଡ଼ୁଛନ୍ତି ।

ଜଗୁ କହିଲା–ଓଷଦପତ୍ର କଅଣ କରାହେଉଚି ?

ମାଧବ ମୁହଁରେ ଶୁଖିଲା ହସ ଫୁଟାଇ କହିଲା–ଓଷଦ ! ଜଗୁଭାଇ ତୁମେ କଅଣ ଗାଁର ସବୁ କଥା ଭୁଲିଗଲ କି ?

 

ଜଗୁ କହିଲା–ନାହିଁରେ ମାଧବ । ଭୁଲି ତ ନାହିଁ । କିନ୍ତୁ ଶୁଣିଚି ଗାଁମାନଙ୍କରେ ଖୁବ୍‌ ଉନ୍ନତି ହୋଇଛି । ଡାକ୍ତରଖାନା ଖୋଲିଚି, ମାଗଣାରେ ଓଷଦ ମିଳୁଚି ।

ମାଧବ କହିଲା, ମାଗଣା ! ଜଗୁଭାଇ, ବେମାରୀ ମଧ୍ୟ ବୁଝିପାରେ କୋଉ ଓଷଦ ମାଗଣା ଆଉ କିଏ ପଇସାଦିଆ ।

ଜଗୁ ପଚାରିଲା–କ’ଣ କଥା ?

ମାଧବ କହିଲା–ସେଇଥି ପାଇଁ ସେ ସହଜରେ ଦେହରୁ ଛାଡ଼େ ନାହିଁ । ଆଉ ପଇସାବାଲା ଓଷଦ ପାଇଁ ତୁମେ ତ ଜାଣ ମୋ ଅବସ୍ଥା ।

ଜଗୁ ପଚାରିଲା–କାଇଁକି ? ଡାକ୍ତର ଭଲ ନାହାନ୍ତି ନା କଅଣ ?

ମାଧବ କହିଲା–ଭାଇ, ପାସ୍‍ କରି ସାର୍ଟିଫିକେଟ ନେଇ କରି ଯେତେବେଳେ ଆସିଛନ୍ତି ମୁଁ କେମିତି କହିବି ଯେ ସେ ଭଲ ନୁହନ୍ତି ?

ହେଲେ ତାଙ୍କ ଚିକିତ୍ସା ଥିଲାବାଲାଙ୍କ ପାଇଁ । ଜାଣିଚ ତ ‘‘ସର୍ବେ ଗୁଣାଃ କାଞ୍ଚନମ୍‌ ଆଶ୍ରୟନ୍ତି ।’’ ସେଥିଲାଗି ଓଷଦର ଯେତେଗୁଣ ଡାକ୍ତରଙ୍କର ଯେତେଗୁଣ ସବୁ କାଞ୍ଚନ ପଛରେ ଦଉଡ଼ୁଛନ୍ତି । ଛାଡ଼, ଆଉ ରଘୁଭାଇର କିଛି ଖବର ଅନ୍ତର ମିଳିଲା ?

ଜଗୁ ମୁହଁରେ ଏକ ନୀରସ ହସ । କହିଲା–ଭାଇକୁ ତ ମୁଁ ନିତି ଦେଖୁଚି ।

ନିତି ଦେଖୁଚ ? ତେବେ ସେ ମିଳିଲେ ? ମାଧବ ଅତି ଆଗ୍ରହରେ ପ୍ରଶ୍ନ କଲା–

ଜଗୁ କହିଲା–ହଁ, କେତେବେଳେ ସନ୍ନ୍ୟାସୀ ରୂପରେ । କେତେବେଳେ ପାଗଳା ବେଶରେ ତ କେତେବେଳେ ଭିକାରୀ ଭଳିଆ ହୋଇ ସେ ପ୍ରକଟ ହେଉଛନ୍ତି । କିନ୍ତୁ ତାକୁ ଏ ପର୍ଯ୍ୟନ୍ତ ତାଙ୍କ ପ୍ରକୃତ ରୂପରେ ଦେଖି ପାରି ନାହିଁ । ‘‘ଦେଖୁନୁ’’, କଣ୍ଠର ଶବ୍ଦକୁ ଟିକିଏ କ୍ଷୀଣ କରି ଜଗୁ ମାଧବର କାନ ପାଖରେ କହିଲା, ସେଠେଇ ଭାଇ ସନ୍ନ୍ୟାସୀ ରୂପରେ ବସିଛନ୍ତି । ଆମେ ଯେୁଉଁଠି ବସିଚେ ଠିକ୍ ତା’ର ଆରପଟକୁ, କାନ୍ଥର ଆରପଟକୁ ।

 

ଦୁହେଁ ବସିବା ଥାନରୁ ଉଠିଯାଇ ଟିକିଏ ଆଗେଇ ଗଲେ । ଦେଖିଲେ ସେଠି କେହି ନାହିଁ । ଥାନଟା ଖାଲି ପଡ଼ିଚି । ବୋଧହୁଏ ଏଇନା ଏଇନା ଉଠି ଯାଇଛନ୍ତି । ସେ ଥାନରେ କେହି ବସିନାହିଁ ।

 

ଜଗୁକୁ ଏକ ଅମୂଲ୍ୟ ଧନ ହଜାଇଲା ପରି ଜଣାପଡ଼ିଲା । ସେ ଡବା ଭିତରଟାଯାକ ଖୋଜିଗଲା । ନାଇଁ–ସାଧୁ ନାହାନ୍ତି । ରତନ ସିଂ ପଚାରିଲେ–କ’ଣ ଜଗୁଭାଇ, କ’ଣ ଖୋଜୁଚ ? କିଛି ହଜିଗଲା କି ?

 

ଜଗୁ କହିଲା–ନାଇଁ ଏଠେଇ ଯେଉଁ ସାଧୁ ଜଣକ ବସିଥିଲେ ତାଙ୍କୁଇ ଖୋଜୁଚି । କୁଆଡ଼େ ଗଲେ ?

 

ରତନ ସିଂ କହିଲେ–ଆରେ ଭାଇ ସାଧୁଙ୍କର କୋଉ ଠିକଣା ? ଯେଉଁଠି ମନ ସେଠି ଗାଡ଼ିରେ ଚଢ଼ିଯିବେ, ଯେଉଁଠି ମନ ସେଠି ଓହ୍ଲାଇ ଯିବେ । ତାଙ୍କର କିଛି ଦେବାକୁ ପଡ଼ୁଚି ନା ନେବାକୁ । କାହିଁକି, ତାଙ୍କ ସାଙ୍ଗରେ କିଛି କାମ ଅଛି କି ?

 

ଜଗୁ କହିଲା–ନାଇଁ, ଖାସ୍‌ କିଛି କାମ ନାହିଁ ଯେ.....ବୋଷ୍‍ବାବୁ ନିଜର ଜିନିଷପତ୍ରକୁ ଟିକିଏ ଦେଖି ପକାଇଲେ, ପେଡ଼ିପୁଟୁଳା ଗଣି ପକାଇଲେ । ସବୁ ଠିକ୍‌ ଥିବାରୁ ଏକ ସନ୍ତୋଷ ଭାବ ମୁହଁରେ ଖେଳାଇ କହିଲେ–ଦେଖ ଭାଇ, ଦେଖି ନିଅ ନିଜ ନିଜ ଜିନିଷପତ୍ର । କାହିଁ କେହି ନେଇ ପଳାଇ ଯାଇ ନାହିଁ ତ ?

 

ଜଗୁ ପ୍ଲାଟ୍‍ଫର୍ମ ଆଡ଼କୁ ଏକ ଧ୍ୟାନରେ ଦେଖୁଥିଲା । ଆଉ ହତାଶା ହୋଇ ବସିଯାଇ କିଛି ଭାବୁଥିଲା । ଗାଡ଼ି ପ୍ଲାଟ୍‌ଫର୍ମ ଛାଡ଼ି ଧୀରେ ଧୀରେ ଆଗେଇଲା । ଜଗୁ ନିଜକୁ ଭାବନା ଭିତରେ ହଜାଇ ଦେଇଚି । ମାଧବ କ’ଣ କହୁଚି । ଜଗୁର ଧ୍ୟାନ ଭାଙ୍ଗିଗଲା ।

 

ମାଧବ କହିଲା–ଜଗୁଭାଇ, ଗୋଟିଏ କଥା, ତୋତେ କହିବାକୁ ଭୁଲି ଯାଇଚି । କିଛିଦିନ ତଳେ ହଁ ଏଇ ଦୁଇ ମାସ ହେବ । ଆମ ଗାଁକୁ ଜଣେ ସାଧୁ ଆସିଥିଲେ । ତାଙ୍କୁ କେହି କିଛି ପଚାରିଲେ ସେ ଜବାବ ଦେଉ ନ ଥିଲେ । ଗାଁ ଚାରିଆଡ଼ ବୁଲିଲେ ତମ ଦୁଆରେ ପହଞ୍ଚିଲେ । ତମ ଦି’ଟି ପିଲାଙ୍କୁ ଦେଖିଲେ । ମୁଣ୍ଡରେ ହାତ ବୁଲାଇ ଦେଲେ, ତା ପରେ ଚାଲିଗଲେ । ଆଉ ଦେଖା ନାହିଁ । ଲୋକେ କହିଲେ, ସେ ସି:ଆଇ:ଡି: । ଜଗୁ ଏକଥା ଶୁଣି ଅନୁଭବ କଲା ଯେପରି ସେ କୌଣସି ଅମୂଲ୍ୟ ପଦାର୍ଥ ପାଇ ହରାଇ ବସିଚି ।

 

ତା’ର ଅବସ୍ଥାରୁ ମାଧବ କ’ଣ ବୁଝିଲା, ପଚାରିଲା–ସେ ବାବାଜି କ’ଣ ତମର ଚିହ୍ନାପରିଚ ?

 

ଜଗୁ କହିଲା–ଛାଡ଼, ଆଉ ଭାବି କଅଣ ହେବ ? କହ ପିଲାମାନେ କେମିତି ଅଛନ୍ତି ?

 

ମାଧବ କହିଲା–ଦି’ଜଣ ଯାକ ଭଲ ଥିଲେ । କହୁଥିଲେ ଦାଦା ଆସିବ, ମିଠେଇ ଆଣିବ, ଖେଳନା ଆଣିବ ।

 

ଜଗୁ ଉଠିଯାଇ ତା ବାକ୍‌ସ ଖୋଲି ଦେଖି ନେଲା । ଭିତରେ ମିଠେଇ ଆଉ ଖେଳନା ଠିକ୍‌ ଅଛି । ସେଠୁ ଆସି ସିଟ୍‌ ଉପରେ ବସିଲା । ତା ଆଖି ଆଗରେ ନାଚିଲା–ସେ ପହଞ୍ଚି ଯିବ । ପିଲା ଦିଓଟି ଧାଇଁ ଆସିବେ । ସେ ସେମାନଙ୍କ ହାତରେ ମିଠେଇ ଆଉ ଖେଳନା ଧରାଇ ଦେବ । ଜଣକ ହାତରେ ଖେଳନା ତ ଅନ୍ୟ ଜଣକ ହାତରେ ମିଠେଇ–ନିଅ ବାଣ୍ଟି କରି ଖା, ଖେଳ । କେଡ଼େ ଖୁସି ହୋଇ ଧାଇଁଯିବେ ।

 

ଜଗୁ ଅନାଇଛି ବାହାରକୁ । ୟା ଛଡ଼ା ଆଉ କେତେ କଥା ସେ ଭାବି ଚାଲିଚି । ତା ଘର ଛପର ହୋଇପାରି ନଥିବ । ଢିଙ୍କି ଚାଳିଆ ଖଣ୍ଡକ ଭାଙ୍ଗି ପଡ଼ିଚି ବୋଲି ସେ ଚିଠି ଲେଖିଥିଲା । ସେ ଖଣ୍ଡକ ମରାମତ ହେବ ।

 

ଜଗୁବାବୁ, ଜଗୁବାବୁ !

 

ଜଗୁର ଧ୍ୟାନ ଭାଙ୍ଗିଗଲା । ସେଇ ବିନା ଟିକଟରେ ଯେଉଁ ଲୋକଟି ଯାଉଥିଲା, ସେଇ ଲୋକଟି ଡାକୁଚି ।

 

ଜଗୁ ମୁହଁ ବୁଲାଇ ପଚାରିଲା–କ’ଣ କହୁଚ ?

 

ସେ କହିଲା–ମୁଁ ସରଦାର୍‍ଙ୍କଠାରୁ ଯେଉଁ ପଇସା ନେଲି ତାକୁ ଫେରାଇ ଦେବି । ତାଙ୍କଠୁ ତାଙ୍କ ଠିକଣାଟା ଟିକିଏ ମୋତେ ଦିଅ । ସରଦାର୍‍ ରତନ ସିଂ କଥାଟା ଶୁଣି ପାରିଲେ । ପଚାରିଲେ–କ’ଣ ସରଦାର୍‍ଙ୍କ କଥା ପଡ଼ିଚି ? କ’ଣ ଜଗୁ ? କ’ଣ ସେ କହୁଛନ୍ତି ?

ଜଗୁ କହିଲା–ସେ କହୁଛନ୍ତି ତାଙ୍କୁ ଆପଣ ଯେଉଁ ପଇସା ଦେଲେ ସେ ଘରକୁ ଯାଇ ଆପଣଙ୍କୁ ପଠାଇଦେବେ । ଠିକଣା ମାଗୁଛନ୍ତି । ସରଦାର୍‍ କହିଲେ–ଫେରାଇବେ ଆଉ କ’ଣ ? ଆରେ, କେତେଟା ପଇସା ଯେ ତା ପାଇଁ ଏତେ କଥା ! ତୁମ ନାଁ କ’ଣ ?

ସେ ବ୍ୟକ୍ତି କହିଲା–ମୋ ନାଁ ନୃସିଂହ ।

ବଚନ ସିଂ କହିଲେ–ଶୁଣ ନୃସିଂହ ସେ ପଇସା ଆମେ ତୁମ ପିଲାଙ୍କୁ ଦେଲୁ । ମିଠାଇ ଖୁଆଇ ଦେବ ।

ନୃସିଂହ କହିଲା–ନାଇଁ, ସେ କେମିତି କଥା ? ପଇସାଟେ ହେଲା କାହିଁକି, ମୋ ଅର୍ଜିତ ଧନ ତ ନୁହେଁ । ବୁଝିଲେ ସରଦାରେ, ମୋତେ ଭଗବାନ କାହିଁରେ ଊଣା କରି ନଥିଲେ । ଖାଇ ପିଇ ବରଷକୁ ହଜାର ଟଙ୍କା ହାତକୁ ଆସୁଥିଲା । ଭାଗ୍ୟ ଖରାପ ହୋଇଗଲା, ଲାଗ ଲାଗ ବଢ଼ି, ମରୁଡ଼ି ଦିଟାଯାକ କେଳେଇ ଖାଇଗଲେ । ଆପଣ ମୋର ଯେତିକି କରିଛନ୍ତି; ଭଗବାନ ତା ପାଇଁ ଆପଣଙ୍କର ମଙ୍ଗଳ କରିବେ । କିନ୍ତୁ ମୁଁ ମୋର ଯାହା ଅର୍ଜିତ ନୁହେଁ ତାକୁ ନେଇ ପାରିବି ନାହିଁ ।

ଏ ପଦକ ଶୁଣି ସରଦାର୍‍ ଦୁଇ ଜଣ ଚୁପ୍‌ ରହିଲେ । ନୃସିଂହର କଥା ଶେଷ ହୋଇନାହିଁ.....ସେ କହିଲା, ମୁଁ ଘରକୁ ଯାଇ ଯେମିତି ହେଲେ ଆପଣଙ୍କ ପଇସା ପଠାଇ ଦେବି । ନ ହେଲେ ମୋତେ ନର୍କର ଯୋଗ । ମୋତେ ଆପଣ ଠିକଣାଟା ଦିଅନ୍ତୁ ।

‘ହଉ–ଦେଇଦେବା । ରତନ ସିଂ କହିଲେ । ଆଉ ପକେଟରୁ ଖଣ୍ଡେ ଛୋଟ କାଗଜ ବାହାର କରି ଜଗୁକୁ ଧରାଇ ଦେଲେ ।

 

‘‘ଜଗୁ, ଏଥିରୁ ତାଙ୍କୁ ଠିକଣାଟା ଲେଖିଦିଅ ।’’

 

ଜଗୁ ତାଙ୍କ ହାତରୁ କାଗଜ ଖଣ୍ଡକ ନେଇ ଦେଖିଲା, ତହିଁରେ ଇଂରାଜୀରେ ଠିକଣା ଲେଖାଥିଲା । ଜଗୁ କହିଲା, ନୃସିଂହ ଭାଇ ତୁମେ କାଗଜ ରଖିଚ ? ଦିଅ, ଟିପିଦେବି ।

 

ନୃସିଂହ କହିଲା–ନାଇଁ ସେ ଖଣ୍ଡକ ମୋତେ ଦିଅ, ମୁଁ ପଢ଼ି ପାରୁଚି ଯେ ।

 

ତହିଁରେ, ଇଂରେଜୀରେ ଲେଖା ହୋଇଛି, ନୃସିଂହ । ରତନ ସିଂ କହିଲେ ।

 

ନୃସିଂହ କହିଲା–ସରଦାରେ, ସେତକ ଇଂରେଜୀ ମୁଁ ପିଲାଦିନୁ ଶିଖି ସାରିଚି । ଏହା କହି ଜଗୁ ଆଡ଼କୁ କାଗଜ ପାଇଁ ହାତ ବଢ଼ାଇଲା । ବେକରେ ତୁଳସୀ ମାଳି, କାଖରେ ବଟୁଆ, ଦେହରେ ଖଣ୍ଡେ ଚିରା ଗଞ୍ଜି । ଲୁଗା, ଆଣ୍ଠୁକୁ ଲୁଚାଉଚି କି ନାହିଁ ତହିଁରେ ସେ କହୁଚି ଇଂରେଜୀ ଜାଣେ । ବଚନ ସିଂ ଆଉ ରତନ ସିଂ ମୁହଁରେ ଆଶ୍ଚର୍ଯ୍ୟ ହେଲା ଭଳି ଭାବ ।

 

ରତନ ସିଂ ଚୁପ୍ ରହିଲେ । ତାଙ୍କର ମନେପଡ଼ିଲା ତାଙ୍କର ପଛରେ ପଡ଼ି ରହିଥିବା ସୁଦିନ କଥା । ଯେତେବେଳେ ସେ ପଞ୍ଜାବରେ ଥିଲେ । ଅବିଭାଜ୍ୟ ପଞ୍ଜାବ । ନିଜର ଜମିବାଡ଼ି, ଗାଈ ମଇଁଶି । ଦୁଧ ଘିଅରେ ଭାସୁଥିଲେ । ବଗିଚାରେ ପନି ପରିବା, କାହିଁରେ ଅଭାବ ନ ଥିଲା । ଜୀବନରେ ଥିଲା ଆନନ୍ଦ, ପୂର୍ଣ୍ଣତା । ଦୁର୍ଦ୍ଦିନ ଆସିଲା । ଯେଉଁ ହାତ ଅନ୍ୟକୁ, ଅଭାବରେ, ମୁକ୍ତ ହସ୍ତରେ ଦାନ କରୁଥିଲା ସେଇ ହାତକୁ ଫେର୍‍ ସରକାରଠାରୁ ଋଣ ଗ୍ରହଣ କରିବା ପାଇଁ ଅକୁଣ୍ଠିତ ଭାବରେ ଲମ୍ବ ହେବାକୁ ପଡ଼ିଲା । ଋଣ କ’ଣ ? ଭିକ୍ଷା କରିବାକୁ ହେବ । ହଁ ଭିକ୍ଷା । ଯେଉଁ ପଇସା ନେଲି ଆଉ ଫେରାଇ ନେଲି ନାହିଁ । ସେ ଭିକ୍ଷା ନୁହେଁ ତ କ’ଣ ? କାହା ପଇସା ସିଏ ? ଦେଶର ଲକ୍ଷ ଲକ୍ଷ ଦୁଃଖୀ ରଙ୍କଙ୍କ ପଇସା ତହିଁରେ ଅଛି । ହାଡ଼ ଭାଙ୍ଗି ଯେଉଁମାନେ ପଇସା କମେଇଛନ୍ତି ସେମାନଙ୍କର ଅଂଶ ତହିଁରେ ଅଛି । ଗରିବ ଦୁଃଖୀଙ୍କର ରକ୍ତ ନିଗିଡ଼ି ନିଗିଡ଼ି ସେଇ ପଇସା ହୋଇଛି ଆଉ ତହିଁରୁ ମୋର ଉପୁଡ଼ି ପଡ଼ିଥିବା ଜୀବନର ଚେର ଖାଦ୍ୟ ସଂଗ୍ରହ କରିଚି, ଜୀବନକୁ ବଳ ଦେଇଚି, ପୁଷ୍ଟ କରିଚି । ଝାଉଁଳି ପଡ଼ିଥିବା ଜୀବନ ତହିଁରେ ସତେଜ ହୋଇଛି । କିନ୍ତୁ ସତେଜ ହୋଇ ମୁଁ ଦିନେ ହେଲେ ଭଲା ଭାବିଚି ଯେ ସେ ପଇସା ଫେରାଇ ଦେବି ? ଦିନେ ହେଲେ ମୁଁ ଭାବିଚି କି ଏ ଋଣ, ଭିକ ନୁହେଁ ? କାହିଁକି ? ଆଜି ତ ମୁଁ ଦୁସ୍ଥ ନୁହେଁ ? ଆଜି ତ ମୋର ପଇସା ଫେରାଇ ଦେବାର ଶକ୍ତି ହୋଇଛି । ଇସ୍‍ କେଡ଼େ ଟାଣୁଆ ଏ ଲୋକଟା !

 

ରତନ ସିଂଙ୍କ ଦୃଷ୍ଟି ନୃସିଂହ ଉପରେ । ନୃସିଂହ ଖଣ୍ଡେ ଇଂରାଜୀ ଖବରକାଗଜ ହାତରେ ଧରି କ’ଣ ଦେଖୁଚି । ଆଉ ବୋଷ୍‍ବାବୁ ତା ଆଡ଼କୁ ଅନାଇଛନ୍ତି ଅପଲକ ଦୃଷ୍ଟିରେ । କେଜାଣି କଅଣ ମନ୍ତବ୍ୟ ପ୍ରକାଶ କରିବେ ବୋଲି ଜିଭ ତାଙ୍କର ହୁଏତ ଖଲ ଖଲ ହେଉଚି । ସରଦାର୍‍ ନାମଟା ମନେ ମନେ ଉଚ୍ଚାରଣ କରି ଭାବିଲେ, ନାଁଟାକୁ ଚାହିଁ ଲୋକଟା ଠିକ୍‌ ହୋଇଛି । ଉପରକୁ ଦେଖିବାକୁ ନର ହେଲେ ଭିତରଟା ସିଂହପରି ଟାଣୁଆ । ଏତେ ଅଭାବ ତାକୁ ଛୋଟ କରିପାରି ନାହିଁ । ନିଜର ଅର୍ଜିତ ଯାହା ନୁହେଁ ସେ ତାକୁ ଛୁଇଁବାକୁ ଚାହେଁ ନାହିଁ । ଠିକ୍‌ ସିଂହପରି ନିଜେ ମାରିବ ତ ଖାଇବ । ଅନ୍ୟ ମାରିଥିବା ଶିକାରକୁ ସେ ଛୁଇଁବ ନାହିଁ ।

 

ରତନ ସିଂ ପଚାରିଲେ–ନୃସିଂହ, ଆଜିକାଲି କ’ଣ କରୁଚ ? ନୃସିଂହ ଆପଣା ଗଣ୍ଠିଲ ଖଣ୍ଡକ ଦରାଣ୍ଡି ହାତରେ ଧରି କହିଲା–ସରଦାର୍‍ଜୀ, ଆଉ କ’ଣ କରିବି ? ଲାଇଫ୍ ଇଜ୍‌ ଷ୍ଟ୍ରଗଲ୍‍–ଆପଣ ଗୋଟାଏ ପ୍ରକାର ଷ୍ଟ୍ରଗଲ୍‌ କରୁଛନ୍ତି । ମୁଁ ଗୋଟିଏ ପ୍ରକାର କରୁଚି ଆପଣଙ୍କ ଋଣ କିନ୍ତୁ ସୁଝି ପାରିବି ନାହିଁ । ଚିଠି ଦେବି, ଟଙ୍କା ପଠାଇବି । ଫେର୍‍ ଭଗବାନଙ୍କ ଇଚ୍ଛା ଥିଲେ କେବେ ଦେଖା ହୋଇ ଯିବ ।’’ ଗାଡ଼ି ଅଟକି ଗଲା । ନୃସିଂହ ନମସ୍କାର କରି ଓହ୍ଲାଇ ପଡ଼ିଲା ।

 

ରତନ ସିଂ କହିଲେ–ଟଙ୍କାପାଇଁ ଚିନ୍ତା କରିବ ନାହିଁ । ଜାଣିଲ ନୃସିଂହ ? ତୁମେ ମଧ୍ୟ ଆମକୁ କମ୍‌ କିଛି ଦେଇଗଲ ନାହିଁ । ତୁମେ ତ ଟଙ୍କା ସୁଝିଦେବ କିନ୍ତୁ ତୁମଠାରୁ ଯାହା ଶିଖିଲୁ ତାହା ଆଉ ସୁଝି ହେବ ନାହିଁ ।

 

ଗାଡ଼ିରୁ ଓହ୍ଲାଇ ନୃସିଂହ ଜଗୁକୁ କହିଲା, ହଉ ଥା ଜଗୁବାବୁ ! ଜଗୁ ତାକୁ ନମସ୍କାର ଜଣାଇଲା । ନୃସିଂହ ପ୍ରତିନମସ୍କାର ଜଣାଇ ଗହଳି ଭିତରେ ଛପିଗଲା । ରତନ ସିଂ ତାକୁ ଝରକା ପାଖକୁ ଆସି ଅନାଇ ରହିଲେ–ସେ ଖାଲି ତା’ର ଉପରଟାକୁ ଦେଖୁ ନ ଥିଲେ ଦେଖୁଥିଲେ ତା ଭିତରେ ଛପିଥିବା ସିଂହକୁ । ଗାଡ଼ି ଛାଡ଼ିଲା । ବୋଷ୍‍ବାବୁ କହିଲେ–ସରଦାର୍‍ଜୀ, ଦେଖିଲ

 

ସରଦାର୍‍ଜୀ ଆପଣା ସିଟ୍‌ ଉପରେ ବସୁ ବସୁ କହିଲେ–କ’ଣ ବୋଷ୍‍ବାବୁ ?

 

ମଣିଷ !

 

ସରଦାର୍‍ ପଚାରିଲେ–କାହିଁକି କ’ଣ ହେଲାକି ?

 

ବୋଷ୍‍ବାବୁ କହିଲେ–ବୁଝି ପାରିଲେ ନାହିଁ । ଠକିବାର ଏ ବି ଗୋଟାଏ ବାଟ ।

 

ସରଦାର୍‍ ପଚାରିଲେ–କେମିତି ?

 

ବୋଷ୍‍ବାବୁ କହିଲେ–କେମିତି ବୁଝିଲେ ନାହିଁ ? ଯାହାର ଏତେ ଧନ ସମ୍ପତ୍ତି ସେ କେବେ ବିନା ଟିକଟରେ ଗାଡ଼ି ଚଢ଼େ ?

 

ସରଦାର୍‍ଜୀ କହିଲେ–ନାଇଁ ଭାଇ ବଡ଼ ନିର୍ମାୟା ଲୋକଟିଏ ।

 

ବିଦ୍ରୂପସ୍ୱରରେ ବୋଷ୍‍ବାବୁ କହିଲେ–ନିର୍ମାୟା । ପଛରେ ବୁଝିବ କେମିତି ମାୟା କରି ଦେଇଗଲା ।

 

ସରଦାର୍‍ ଟିକିଏ ବିରକ୍ତିଭାବ ପ୍ରକାଶ କରି କହିଲେ–କ’ଣ ବୁଝିବି ? ମୁଁ ପଇସା ଦେଲାବେଳେ ଏକଥା ଭାବି ନଥିଲି ଯେ ସେ ମୋତେ ପଇସା ଫେରାଇ ଦେବ । ସେ ଏକଥା ମଧ୍ୟ ବୁଝାଇ ଦେଇଗଲା ଯେ ଯାହା ନିଜର ଅର୍ଜନ ନୁହେଁ ତାକୁ ନେବା ଅର୍ଥ ଭିକ୍ଷା ନେବା । ସେଥିଲାଗି ମୁଁ ଠିକ୍‌ କରିଚି ଯେ ଯେଉଁ ପଇସା ମୁଁ ସରକାରଠୁ ଦୁର୍ଦ୍ଦିନରେ ସାହାଯ୍ୟ ନେଇଚି ସେ ସବୁ ମୋର ସୁଦିନରେ ଫେରାଇ ଦେବି । ନ ହେଲେ ମୋର ମନରେ ଶାନ୍ତି ରହିବ ନାହିଁ ।

 

ବୋଷ୍‍ବାବୁ ପୁଣି ବ୍ୟଙ୍ଗମିଶା ଭାଷାରେ କହିଲେ–ହଁ ହଁ, କାହିଁକି ଭାବନା ନହେବ ? ଲୋକେ ଯେତେବେଳେ ଶ୍ମଶାନରୁ ଶବ ସଂସ୍କାର କରି ଫେରିଥାଆନ୍ତି କହନ୍ତି–ଏ ଦୁନିଆରେ କ’ଣ ଅଛି ? ଏ ଘରସଂସାର, ପିଲାକବିଲା, ବନ୍ଧୁବାନ୍ଧବ କିଛି ନୁହେଁ । ସବୁ ମାୟା, ଦିଦିନର ଖେଳ । ବେଶ୍‌ ସେ ତାତି ଖାଲି ଦି’ଘଣ୍ଟା ପାଇଁ ରହେ । ତା ପରେ ଯଦି ଦେଖିଲେ କାହା ଗୋରୁ ଆସି ତାଙ୍କ ଚାଳରୁ କୁଟା ପୁଳାଏ ଖାଇ ଯାଉଚି ତାଙ୍କର ମନେହୁଏ ସେ ଗୋରୁକୁ ଛୋଟା କରି ଦିଅନ୍ତେ । ବୋଷ୍‍ବାବୁ ଆଉରି ଲମ୍ବେଇ ଚାଲିଥାଆନ୍ତେ । ରତନ ସିଂ ତାଙ୍କୁ ବାଧାଦେଇ କହିଲେ–ଆପଣ ମୋତେ କ’ଣ ବୁଝିଲେ କି ?

 

ବୋଷ୍‍ବାବୁ ଅଟକି ଗଲେ । ବଡ଼ କଠୋର ସେଇ କେତେଟା ଶବ୍ଦ ।

 

ବୋଷ୍‍ବାବୁ ଡରିଗଲେ । କହିଲେ–ନାଇଁ ନାଇଁ କିଛ ନାହିଁ । ସେ ତ ମନ ଉପରେ ନିର୍ଭର କରେ । ଯେ ଧାର ନେଇଚି ତା’ର ସୁଝିଦେବା ଉଚିତ । ଜାଣିଲେ, ମୋ ଘର ମଧ୍ୟ ପାକିସ୍ତାନରେ ଚାଲିଗଲା । ମୋତେ ମଧ୍ୟ ଅରକ୍ଷ ହୋଇ ସରକାରୀ ସାହାଯ୍ୟ ନେବାକୁ ହେଲା । ନ ହେଲେ କ’ଣ ବଞ୍ଚି ହୋଇଥାଆନ୍ତା ? ତେବେ ଆପଣ ଦେବା ଆରମ୍ଭ କଲେ ସମସ୍ତଙ୍କୁ ଦେବାକୁ ନ ପଡ଼ିଯାଉ । ମୁଁ ମଧ୍ୟ ବେଳେ ବେଳେ ଏକଥା ଭାବି ନାହିଁ ତା ନୁହେଁ; ହେଲେ ହୋଇପାରି ନାହିଁ ।

 

କଥାରେ ସେଇ ପୂର୍ବର କଠୋରତା ରଖି ରତନ ସିଂ କହିଲେ–ଦେଖନ୍ତୁ, ‘‘ଆପଣ ସମସ୍ତଙ୍କୁ ନିଜଭଳିଆ ଭାବୁଛନ୍ତି କାହିଁକି ? ଭଲ ଭିତରୁ ମନ୍ଦ ବାଛିବା ଆପଣଙ୍କର ଏକ ପ୍ରବୃତ୍ତି ପରି ଜଣାପଡ଼ୁଚି ।’’ ଆଉ କିଛି କହିଲେ ଲାଗୁଚି ସରଦାର୍‍ ପିଟି ପକାଇବ–ମୁହଁରେ ଏମିତି ଏକ ଭାବ । ବୋଷ୍‍ବାବୁ ଏତକ ଦେଖି ଚୁପ୍‌ ହୋଇଗଲେ ଆଉ ଦୋଷୀ ପରି ଏଣେ ତେଣେ ଅନାଇଲେ । ଗାଡ଼ିଟା ଚାଲୁ ଚାଲୁ ହଠାତ୍‌ କାହିଁକି ରହିଗଲା । କୌଣସି ଗୋଟାଏ ଡବାରୁ ଖୁବ୍‌ ପାଟିତୁଣ୍ଡ ଶୁଭିଲା-। ଜଗୁ ଡିବାରୁ ଓହ୍ଲାଇ ଗଲା । ଦେଖୁ ଦେଖୁ ସବୁ ଡିବାରୁ ଲୋକେ ଓହ୍ଲାଇ ସେଇ ଡିବାରେ ଯାଇ ରୁଣ୍ଡ ହୋଇଗଲେ ।

 

ମାର ମାର, ଶଳାକୁ ମାର ବୋଲି ପାଟି ଶୁଭୁଥାଏ । ଧୁମ୍‌ଧାମ୍‌ ବିଧା ଚାପୁଡ଼ାର ଶବ୍ଦ ମଧ୍ୟ ଆସୁଥାଏ । କାହାରି କଣ୍ଠରୁ ଏକ କରୁଣ ନିବେଦନ । ‘ମୁଁ ନେଇ ନାଇଁ ବାବୁ, ମୋତେ ମାରନାହିଁ । ମେତେ ରକ୍ଷାକର ।’ ଜଣ କେତେ ଲୋକ ତାକୁ ପିଟି ପିଟି ବାହାରକୁ ଟାଣୁ ଥାଆନ୍ତି । ଜଗୁ ସିଆଡ଼ୁ ଦୌଡ଼ି ଦୌଡ଼ି ଆସି କହିଲା–ସରଦାର୍‍ଜୀ ଆପଣମାନେ ଦୌଡ଼ିଆସନ୍ତୁ । ଜଣେ ଲୋକକୁ ପଞ୍ଝାଟେ ତୁଚ୍ଛାଟାରେ ପିଟି ପକାଉଛନ୍ତି । ଲାଗୁଚି ପିଟି ପିଟି ତା ଜୀବନ ନେଇଯିବେ । ଧାଇଁ ଆସନ୍ତୁ ତାକୁ ବଞ୍ଚାନ୍ତୁ । ମୁଁ ଯାଇଥିଲି ଯେ କ’ଣ ପଶିପାରିଲି କି ? ଉଃ କି ମାଡ଼ ! ବାପ୍‌ରେ ବାପ୍‌ ।

 

ସରଦାର୍‍ ରତନ ସିଂ ଆଉ ବଚନ ସିଂ କୌଣସି ଆପତ୍ତି ନ କରି ବାହାରି ପଡ଼ିଲେ । ଆଉ ଜଗୁ ସାଙ୍ଗରେ ଭିଡ଼ ଭିତରେ ପଶିଗଲେ । ଦେଖିଲେ ଲୋକ ତ ଘେରିଛନ୍ତି ଆଉ ଖାଲି ଦୁଇ ଚାରିଜଣ ଲୋକ ଜଣକୁ ଧରିଛନ୍ତି, ମଝିରେ ମଝିରେ କ’ଣ ପଚାରୁଛନ୍ତି ଆଉ ପିଟୁଛନ୍ତି । ସମସ୍ତେ ଦେଖାଣାହାରୀ । ମଝିରେ ମଝିରେ କେହି କେମିତି ଉତ୍ସାହିତ ହୋଇ ପାଟିକରି ଉଠୁଥାଏ–ବାଡ଼ା ବାଡ଼ା ଶଳାକୁ ।

 

ସରଦାର୍‍ ଦୁହେଁ ପହଞ୍ଚି ଯାଇ ସେ ଲୋକକୁ ଅନ୍ୟମାନଙ୍କଠାରୁ ଛଡ଼ାଇ ଆଣିଲେ । ଆଉ ଯେଉଁମାନେ ମାରୁଥିଲେ ସେମାନଙ୍କୁ ପଚାରିଲେ–କାହିଁକି ମାରୁଚ ? ସେ କଅଣ ଚୋରୀ କରିଚି ? କାହାର ଚୋରୀ କରିଚି ?

 

ମାଡ଼ ମାରୁଥିବା ଲୋକ ଭିତରୁ ଜଣେ କହିଲା–ମୋରି ଚୋରୀ କରିଚି ।

 

ବଚନ ସିଂ ପଚାରିଲେ–କ’ଣ ଏଇ ଚୋରୀ କରିଚି । ତୁମେ ଠିକ୍‌ କରି ଜାଣ ? କିଛି ଉତ୍ତରକୁ ଅପେକ୍ଷା ନକରି ସେ ଚୋରକୁ ଆଉ ଚୋରୀ ଯାହାର ଯାଇଛି ଦୁହିଁଙ୍କୁ ଦୁଇ ହାତରେ ଧରି ପକାଇ କହିଲେ ଚାଲ ମୁଁ ତୁମକୁ ପୋଲିସରେ ଦେବି । ୟା ପାଖରେ ଜିନିଷ ନାଇଁ–ଆଉ ତୁମେ ତାକୁ ମାରି ଚାଲିଚ ।

 

ରତନ ସିଂ ମଧ୍ୟ ଆଉ ଦୁଇ ଜଣ ମାରୁଥିବା ଲୋକକୁ ଧରି ପକାଇଲେ । ଧରୁ ଧରୁ ତହିଁରୁ ଗୋଟାଏ ଖସି ପାର୍‌ । ଆଉ ସମସ୍ତେ ଡରରେ ଦଉଡ଼ି ପଳାଇଲେ । ସରଦାର୍‍ ଦୁଇ ଜଣ ଚାରି ଜଣକୁ ଟାଣିଆଣି ନିଜ ଡବା ଭିତରେ ପଶିଗଲେ । ଜଣେ ଯେ ମାଡ଼ ଖାଉଥିଲା, ଜଣେ ଯେ ମାଡ଼ ଦେଉଥିଲା, ଜଣେ ଯେ କହୁଥିଲା ତା ଜିନିଷ ଚୋରୀ ଯାଇଚି । ଜଗୁ ଆଉ ଜଣେ ଦୁଇଜଣ ଟାଣୁଆ ଲୋକ ସେମାନଙ୍କୁ ସାହାଯ୍ୟ କଲେ ।

 

ପୁଣି ଗାଡ଼ି ଛାଡ଼ିବ ବୋଲି ସିଟି ଦେଲା । ଯେଉଁମାନଙ୍କର ଗାଡ଼ିରେ ଯିବା କଥା ସେମାନେ ଚଢ଼ିଗଲେ । ଯେଉଁମାନଙ୍କୁ ଗାଁ ଏଇଠୁ ପାଖ ପଡ଼ିବ ସେମାନେ ଓହ୍ଲାଇ ପେଡ଼ିପୁଟୁଳା ଧରି ପଳାଇଲେ । ଏତିକିବେଳେ ମାଡ଼ ଦେଇଥିବା ଲୋକ ଦୁଇଟା ଛାଟିପିଟି ହୋଇ ଗାଡ଼ିରୁ ଡେଇଁ ପଳାଇଲେ । ବାକୀ ରହିଲା ଗୋଟାଏ । ସରଦାର୍‍ ଦୁଇଜଣଯାକ ପଚରା ପଚରି କରି ବୁଝିଲେ ଯେ, ଚୋର ବୋଲି ଯାହାକୁ ଧରି ଦୁଇ ତିନି ଜଣ ମାଡ଼ ଦେଉଥିଲେ ସେ ଚୋରି କରିନାହିଁ । କାହାରି ଜିନିଷ ଚୋରୀ ଯାଇଛି କି ନା ତା ମଧ୍ୟ ସନ୍ଦେହ । ହୋଇଥିଲେ ଆଉ କିଏ ନେଇ ଯାଇଛି ।

 

ମାଡ଼ ଦେଇଥିବା ଲୋକକୁ ପଚାରିବାରୁ ସେ କହିଲା–ବାବୁ ସମସ୍ତେ କହିଲେ ଏଇ ଚୋରୀ କରିଚି । ସେଠଉ ମୁଁ ମାରିଲି ।

 

ସରଦାର୍‍ ବଚନ ସିଂ ତାକୁ ଗୋଟାଏ ଚାପୁଡ଼ା ମାରି କହିଲେ–ତୋର କ’ଣ ଯାଉଥିଲା ତୁ କାହଁକି ମାରିଲୁ ? ତୋର ତ ଜିନିଷ ଚୋରୀ ଯାଇ ନାହିଁ ? ତୁ ପକ୍‌କା ବଦମାସ୍‌ ଅଛୁ କହି ଯେମିତି ଆଉ ଗୋଟାଏ ଚାପଡ଼ା କଷି ଦେଇଛନ୍ତି ସେ ପ୍ରାଣ ବିକଳରେ ଦୌଡ଼ିଯାଇ ଦୁଆପାଖରେ ହାଜର । ଦେଖୁ ଦେଖୁ ସେ ଚଳନ୍ତା ଗାଡ଼ିରୁ ଡେଇଁ ଛୁ । ବାକୀ ରହିଗଲେ ଚୋରୀ ଯାହାର ଯାଇଚି ଆଉ ଚୋର ବୋଲି ଯେ ମାଡ଼ ଖାଇଚି ।

 

ବୋଷ୍‍ବାବୁ ସବୁ କଥା ଶୁଣୁଥିଲେ ଆଉ ଦେଖୁଥିଲେ । ରତନ ସିଂକୁ ପାଖକୁ ଡାକି କାନରେ ଚୁପ୍‌ ଚୁପ୍‌ କରି କହିଲେ–ଦେଖନ୍ତୁ, ଏଇ ଯେଉଁ ଲୋକଟି ନିଜ ଜିନିଷ ଚୋରି ଯାଇଚି ବୋଲି କହୁଚି ସେ ନିଜେ ଚୋର–ତାକୁ ଆପଣ ଧରନ୍ତୁ । ଆଉ ଯିଏ ପଳାଇଲା ସେ ଚୋରର ସାଙ୍ଗ-। ଆଉ ଯିଏ ମାଡ଼ ଖାଇଚି ସେ ବି ତାଙ୍କରି ଦଳର । ଯେ ଜିନିଷ ଚୋରୀ ଯାଇଚି ବୋଲି କହୁଚି ତାକୁ ଧରି ଦିଟା ଲଗାଇ ଦିଅନ୍ତୁ ସେ ସବୁ କହିଦେବ ।

 

ଏତିକିବେଳେ ସେ ଲୋକ ଏଣେ ତେଣେ ଚାହିଁ ଖାଲି ଚଙ୍ଗଚଙ୍ଗ ହେଲା । ତା ମୁହଁରେ ଅସ୍ଥିରତାର ଭାବ....ଆଖିରେ ଚଞ୍ଚଳତା ମନେହେଲା । ସେ ଯେମିତି ଭାବୁଚି ପଳାଇ ଗଲେ ବଞ୍ଚେ-। ଆଉ ସୁଯୋଗ ଉଣ୍ଡୁଚି ।

 

ରତନ ସିଂ ତାକୁ ଧରି ପକାଇ କହିଲେ–କିରେ ଚଙ୍ଗଚଙ୍ଗ କ’ଣ ହଉଚୁ । କହ, ତୁ କୁଆଡ଼େ ଯିବୁ ?

 

ସେ ଡରି ଡରି କହିଲା....ଆଜ୍ଞା ପୁରୀ ।

 

ତୋର କି କି ଜିନିଷ ଥିଲା ?

 

ସେ କହିଲା, ଆଜ୍ଞା ମୋର ଗଣ୍ଠରିଟିଏ । ତହିଁରେ ସବୁ ଥିଲା । ପଇସାପତ୍ର, ଟିକଟ, ଲୁଗାପଟା ସବୁ । ମୁଁ ପୁରୀ ଯିବି କେମିତି ? କହୁ କହୁ ସେ କାନ୍ଦିବାକୁ ଆରମ୍ଭ କଲା ।

 

ମାଡ଼ ଖାଇବା ଲୋକକୁ ବଚନ ସିଂ ପଚାରିଲେ–ତୁ କୁଆଡ଼େ ଯିବୁ ? ସେ କହିଲା–ଆଜ୍ଞା, ଆର ଷ୍ଟେସନରେ ଓହ୍ଲାଇବି । ମୋ ଗଣ୍ଠିଲି ଆର ଡବାରେ ରହିଗଲା । ମୋତେ ଛାଡ଼ି ଦିଅନ୍ତୁ । କେଜାଣି ମୋ ଜିନିଷ ଥିବ କି ନାହିଁ । ସେ ମଧ୍ୟ କାନ୍ଦଣା ଆରମ୍ଭ କରିଦେଲା ।

 

କାନ୍ଦ ଶୁଣି ସରଦାର୍‍ ଅନ୍ୟମନସ୍କ ହୋଇଗଲେ । ଷ୍ଟେସନ ଆସୁଚି, ଗାଡ଼ିର ଗତି ଶିଥିଳ ହୋଇଯିବା ସଙ୍ଗେ ସଙ୍ଗେ ତାଙ୍କର ମୁଠା କୋହଳ ହୋଇଗଲା । ଷ୍ଟେସନରେ ଓହ୍ଲାଇବ ବୋଲି ଜଣେ ଦୁଆର ଖୋଲି ଦେଇଚି ଏତିକିବେଳେ ସରଦାର୍‍ଙ୍କ ହାତରୁ ଖସି ଯେ ଜିନିଷ ହଜିଚି ବୋଲି କହୁଥିଲା ଦଉଡ଼ି ଯାଇ ତଳକୁ ଡେଇଁ ପଡ଼ିଲା । ବାବୁ ଗଲା ଗଲା ବୋଲି କହି ତା ପଛରେ ମାଡ଼ ଖାଇବା ଲୋକଟି ଦଉଡ଼ି ଛୁ ।

 

ସରଦାର୍‍ ଦୁହେଁ ଖାଲି ଅନାଇ ଟିକିଏ ଟିକିଏ ହସିଲେ । ବୋଷ୍‍ବାବୁ ପାଖକୁ ଆସି କହିଲେ, ଦେଖିଲେ, ମୋ କଥା ଠିକ୍‌ କି ଭୁଲ୍‍ ? ମୁଁ ତୁଚ୍ଛାଟାରେ ଭଲରେ ମନ୍ଦ ଦେଖେ ନାହିଁ । ସରଦାର୍‍ ରତନ ସିଂ ପଚାରିଲେ ଆପଣ ଏ ଭେଦ ପାଇଲେ କେମିତି ? ବୋଷ୍‍ବାବୁ ଏକ ସବ୍‌ଜାନତା’ର ହସ ହସି କହିଲେ–ଆପଣମାନେ କ’ଣ ଦୁନିଆ ଦେଖିଲେଣି ? ବେପାର ବାଣିଜରେ ତ ଆପଣମାନଙ୍କର ସମୟ କଟିଗଲା ଦୁନିଆକୁ ଜାଣିବାକୁ ବେଳ କାହିଁ । ପୁଣି ଥରେ ହସିଲେ । କହିଲେ–ଜାଣନ୍ତି ? ଏଇ ପାଖ ଆଖରେ ଗୋଟାଏ ବଡ଼ ଦଳ ଅଛି । ଏମାନେ ଟ୍ରେନରେ ଚଢ଼ନ୍ତି । ସେମାନଙ୍କର ଥାନମୁଣ୍ଡ ହୋଇଗଲେ ଏହିପରି ଏକ ଗୋଳମାଳ ସୃଷ୍ଟି କରି ଦିଅନ୍ତି । ତାରି ଭିତରୁ କିଏ ଜଣେ ଟ୍ରେନର ଚେନ୍‌ ଟାଣିଦିଏ । ଗାଡ଼ି ଅଟକିଯାଏ । ଗୋଳମାଳ ଦେଖିବାକୁ ଲୋକେ ଚାଲିଯାଆନ୍ତି । ତାରି ଭିତରେ ଏମାନଙ୍କର ଲୋକେ ଗାଡ଼ିର ବିଭିନ୍ନ ଡବାରୁ ଓହ୍ଲାଇ ଚାଲିଯାଆନ୍ତି ଆଖପାଖ ଗାଁକୁ । ଖାଲି ଯାଆନ୍ତି ନାହିଁ, ତାଙ୍କ ଜିନିଷ ସହିତ ଅନ୍ୟମନସ୍କ ଲୋକଙ୍କର ଜିନିଷପତ୍ର ଧରି ଚାଲି ଯାଆନ୍ତି । ଏଇ ଡବାରେ କେତେ ଲୋକ ଥିଲେ ଦେଖନ୍ତୁ ଏଇ ଗୋଳମାଳଠାରୁ କେତେ ଜଣଙ୍କର ଦେଖା ନାହିଁ । ଆପଣ ଚାଲିଗଲେ । ମୋର କାମ ଥିଲା ଆପଣଙ୍କ ଜିନିଷରେ ଯେମିତି କେହି ହାତ ନ ଲଗାଏ ।

 

ତା ପରେ ଗୋଟାକପରେ ଗୋଟାଏ ଆଖିଦେଖା ଖବର ସେ କହିଗଲେ । କଥା ନ ସରେ । ଷ୍ଟେସନ ଆସିଗଲା । ବଡ଼ ଷ୍ଟେସନ । ଏଇଠି ସରଦାର୍‍ ଦୁଇଜଣଯାକ ଓହ୍ଲାଇବେ । ଜଗୁ ସେମାନଙ୍କୁ ଜିନିଷପତ୍ର ବନ୍ଧା ବନ୍ଧିରେ ସାହାଯ୍ୟ କଲା । ଗାଡ଼ି ରହିଲା, ସେମାନେ ଓହ୍ଲାଇଲେ । ବୋଷ୍‍ବାବୁଙ୍କୁ ବିଦାୟ ମାଗିଲେ ।

 

ରତନ ସିଂ କହିଲେ–ବୋଷ୍‍ବାବୁ, ଆପଣଙ୍କୁ ଭୁଲିହେବ ନାହିଁ । ହଉ ଫେର୍‍ କେବେ ଦେଖା ହେବ ।

 

ବୋଷ୍‍ବାବୁ କହିଲେ–ଦେଖା ହେଲେ ପୁଣି ଏମିତି ଏଣୁତେଣୁ ଶୁଣାଇ ବିରକ୍ତ କରାଇବି-। ହଉ ନମସ୍କାର ।

 

ଜଗୁ ଗାଡ଼ିରୁ ଓହ୍ଲାଇ ସେମାନଙ୍କଠାରୁ ବିଦାୟ ନେଲା । ଜଗୁ ସାଙ୍ଗରେ ହାତ ମିଳାଇ ସେମାନେ ବିଦାୟ ନେଲେ । ରତନ ସିଂ କହିଲେ ଜଗୁ, ଆମ ଠିକଣାରେ ପତ୍ର ଦେବ । ଆଉ ଚାହିଁବ ତ ଆମ ସାଙ୍ଗରେ ରହି ବିଜିନେସ୍‌ ଶିଖିନିଅ । ଚାକିରିରୁ କେତେ ପାଇବ ? ତୁମର ଇଆଡ଼େ ପଇସା ଖାଲି ଉଡ଼ୁଚି । ତୁମେମାନେ ଧରି ପାରୁନା । ଦେଖୁଚ ତ ଆମ ଆଡ଼ୁ ଆମରି ଭଳିଆ କେତେ ଆସି କେମିତି ପଇସା ଛାଣି ନେଉଛନ୍ତି । ଡ୍ରାଇଭରୀ କରୁ କରୁ ଟ୍ରକର ମାଲିକ ହୋଇ ଯାଉଛନ୍ତି ।

 

ବଚନ ସିଂ କହିଲେ–ଆସ ଜଗୁ ଆମ ସାଙ୍ଗରେ ମିଶ । ସେଥିରେ ତୁମର ଲାଭ, ଆମର ଲାଭ ।

 

ଜଗୁ କହିଲା ହଉ । ମୁଁ ଚିଠି ଦେବି । ମନ ତ ଅଛି କାରବାର କରିବାକୁ ହେଲେ–

 

ହେଲେ ଆଉ କଅଣ ? କଷ୍ଟ ବହୁତ ସହିବାକୁ ହେବ । ଚାକିରିରେ ଆରାମ ପରି ସେଥିରେ ଆରାମ ନାହିଁ । ଖରା ନାଇଁ ତରା ନାହିଁ ବିଜିନେସ୍‌ ଠିଆକଲା ଯାଁ ବହୁତ ଖାଟେଣୀ ।

 

ଜଗୁ କହିଲା–ଖାଟେଣୀ ପାଇଁ ଡର ନାଇଁ । କିନ୍ତୁ ଖାଲି ଖାଟିଲେ ଯଦି ସଫଳତା ମିଳୁ ଥାଆନ୍ତା ତେବେ ଓଡ଼ିଶା ବ୍ୟବସାୟରେ ସମସ୍ତଙ୍କ ଉପରେ ଥାଆନ୍ତେ । କାହିଁକିନା ଓଡ଼ିଆ କୁଲିଙ୍କର ଖାଟିବାରେ ଖୁବ୍‌ ନାମ୍‍ । ବୁଝିଲେ ସରଦାର୍‍ଜୀ ଆମେ ଖାଲି ପାଠରେ ପଢ଼ିଚୁ ଓଡ଼ିଆ କୋଉଠି ବେପାର ବଣିଜ କରି ବାହାରୁ ବହୁ ଧନ ଆଣି ତା ଭଣ୍ଡାର ଭରି ଦେଉଥିଲା । ସେଇ ପଇସାରେ ତା ରଜା ବଡ଼ ବଡ଼ ମନ୍ଦିର ତୋଳେଇଲା । ମନ୍ଦିରରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଖୋଳାଇଲା-। ସେ ସବୁ ଖାଲି ଗପ ଏଇନା । ତା’ର ଖିଅ ଆମେ କେଉଁଠି ହଜେଇ ଦେଇଚୁ ଜଣା ନାହିଁ । ହଉ, ଚିଠି ଲେଖିବି । ସୁବିଧା ହେଲେ ଆପଣମାନଙ୍କ ସହିତ ସାକ୍ଷାତ କରିବି । କୁଲିକୁ ଜିନିଷ ଦେଇ ସରଦାର୍‍ ଦୁହେଁ ଚାଲିଗଲେ । ଜଗୁ ଗାଡ଼ିକୁ ଆସିଲା । ନେଳୀ ଆଲୁଅ ହେଲା । ଗାଡ଼ି ଛାଡ଼ିବ । ପ୍ଲାଟ୍‍ଫର୍ମ ଧୀରେ ଧୀରେ ଖାଲି ହୋଇଗଲାଣି । ସରଦାର୍‍ ଦୁହେଁ ଆଉ ଦିଶୁ ନାହାନ୍ତି । ଗେଟ୍‌ ଆର ପଟକୁ ଚାଲିଗଲେଣି । ଚଢ଼ିବା ଲୋକେ ଚଢ଼ିଗଲେଣି, ଓହ୍ଲାଇ ଯିବା ଲୋକେ ମଧ୍ୟ ଓହ୍ଲାଇ ଚାଲି ଗଲେଣି-। ଗାଡ଼ି ଭିତର ଖାଲି ଖାଲି । ଚୌଧୁରୀ କେତେବେଳେ ଚାଲି ଯାଇଛନ୍ତି । ନୃସିଂହ ଗଲେ-। ସରଦାର୍‍ ଦୁଇଜଣ ଗଲେ । ଅନେକ ଥାନ ଏଇନା । ଆଉ ଚଢ଼ିବା ବେଳର ଠେଲା ପେଲା, ବାଡ଼ିଆ ପିଟା ନାହିଁ । ଅଭାବ ହେଲେ ସିନା ଗଣ୍ଡଗୋଳ । ଏଇ କିଛି ସମୟ ଭିତରେ କେତେ ଲୋକ ପାଖେଇ ଆସିଲେ, ଆପଣାର ହୋଇଗଲେ । କିଏ ଜାଣେ ସେମାନଙ୍କ ସହିତ ଆଉ ସାକ୍ଷାତ ହେବ କି ନାହିଁ ।

 

ଜଗୁ ବସିଲା–ତା ପାଖରେ ଆସି ବସିଲା ମାଧବ । ଟିକିଏ ଦୂରରେ ଝରକା ପାଖରେ ବସି ବୋଷ୍‍ବାବୁ ଖଣ୍ଡେ ଖବରକାଗଜରେ ମନ ଲଗାଇଛନ୍ତି । ଆଉ କେତୋଟି ନୂଆ ମୁହଁ ଗାଡ଼ି ଭିତରେ..... । ଛୋଟ ଛୋଟ ଦଳ ବାନ୍ଧି ଗାଁ କଥା, ବିଲବାଡ଼ି କଥା, ବନ୍ଧୁ ବାନ୍ଧବଙ୍କ କଥା ପକାଇଛନ୍ତି । ଗାଡ଼ି ଛାଡ଼ିଲା । ଆଉ ଦୁଇଟା ଷ୍ଟେସନ ପରେ ଜଗୁର ପାଳି । ଜଗୁ ଆଖି ଆଗରେ ଘରର ଦୃଶ୍ୟ ଦେଖାଦେଲା । ଏତିକିବେଳେ ମାଧବ ପଚାରିଲା, ଜଗୁଭାଇ–ଏ ସରଦାର୍‍ ଦିଜଣ କ’ଣ ଚିହ୍ନା ?

 

ଜଗୁ କହିଲା–ହଁ, କାହିଁକି ?

 

ନାଇଁ, ଏମିତି ପଚାରୁଥିଲି । ଆଜି କାଲି ଆମ ଆଡ଼େ ଏମିତି ଅନେକ ସରଦାର୍‍ ଭର୍ତ୍ତି ହୋଇଗଲେଣି । ଖୁବ୍‌ କାରବାର ଚଳେଇଛନ୍ତି ।

 

ଜଗୁ କହିଲା–ଭଲ, ଆଉରି ଭରନ୍ତୁ ଆମେ ତାଙ୍କ ପାଖରେ କୁଲି ହୋଇ କାମ କରବା ।

 

ମାଧବ ପଚାରିଲା–ତୁମକୁ ତ ସରଦାର୍‍ କହୁଥିଲା ତାଙ୍କ ବ୍ୟବସାୟରେ ମିଶିବ ବୋଲି-। ଜଗୁ ଟିକିଏ ହସିଲା, କହିଲା–ଆଉ କୁଲି ହବ କିଏ ? ହଉ ଛାଡ଼ ଗାଁ ହାଲଚାଲ କଅଣ କହ ।

 

ମାଧବ ଗାଁ କଥା ଠିକେ ଠିକେ କହିଗଲା । କଥା ଶୁଣି ଜଗୁକୁ ଲାଗିଲା, ଏଇ କେତେଦିନ, ସେ ବାହାରେ ରହିବା ଭିତରେ ଯେମିତି ଘୋର ପରିବର୍ତ୍ତନ ହୋଇ ଯାଇଚି । ଯେଉଁ ଗାଁରେ ସୁଖ ଥିଲା, ଶାନ୍ତି ଥିଲା, ବ୍ୟବସ୍ଥା ଥିଲା, ପ୍ରାଚୁର୍ଯ୍ୟ ଥିଲା ସେଇଠି ଦୁଃଖ, ଅଶାନ୍ତି, ଅବ୍ୟବସ୍ଥା, ଅଭାବ ଘର ବାନ୍ଧି ରହିଗଲେଣି ।

 

ଜଗୁ କହିଲା–ମାଧବ, ତୁ କ’ଣ କହୁଚୁ ଗାଁ ଲୋକେ ନୂଆ କରି ଝଗଡ଼ା କରୁଛନ୍ତି ? ଯେବେଠୁ ଏ ଗାଁ ହେଲାଣି ସେବେଠୁ ଏଇ ଲଢ଼େଇ ଚାଲିଚି । ଦେହରେ ପ୍ରାଣଥିବା ପର୍ଯ୍ୟନ୍ତ ଲଢ଼େଇ ଚାଲିଥିବ । ତା ପାଇଁ କେହି କିଛି କରିପାରିବ ନାହିଁ । ଏଥିରେ ଧର୍ମର ହାତ ନାଇଁ, ରାଜାର ହାତ ନାଇଁ, ସରକାରର ହାତ ନାଇଁ ।

 

ମାଧବ କହିଲା–ଆମ ଗାଁରେ ଏସବୁ ଏତେ ନ ଥିଲା ।

 

ଜଗୁ କହିଲା–ନଥିଲା ହେବ । ହାନି କ’ଣ ? କଳି ହଉଚି । କଳିରୁ ମକଦ୍ଦମା ହଉଚି, ଲୋକେ ଓକିଲ ପାଖକୁ ଦୌଡ଼ୁଛନ୍ତି । ଟଙ୍କା ଗଣୁଛନ୍ତି, ବୁଦ୍ଧି ଶିଖୁଛନ୍ତି, ଆଇନ ଜାଣୁଛନ୍ତି । ଚାଲାକ ଚତୁର ହେଉଛନ୍ତି ।

 

ଯାହା କହିଲୁ । ମାଧବ ଗୋଟିଏ ଶୁଖିଲା ହସ ହସି ମନ୍ତବ୍ୟ ଦେଲା ।

 

ଜଗୁ କହିଲା–ମାଧବ, ଆମ ଗାଁ ଲୋକଙ୍କର ବଣିଜ ବେପାରରେ ମନ ଥାଆନ୍ତା, ଚାଷବାସରେ ମନ ଥାଆନ୍ତା ତେବେ କ’ଣ ସେମାନେ ମକଦ୍ଦମାରେ ମନ ଦେଉଥାଆନ୍ତେ ? କିଛି ନାହିଁ ବୋଲି ଏ ଧନ୍ଦା ଧରିଛନ୍ତି ।

 

ଷ୍ଟେସନ ପାଖେଇ ଆସିଲା । ଏଇ ଖରଖରୀ ପୋଲ ଡେଇଁଲା, ଏଇ ମାଛନାଳ, ଆଉ ଅଳ୍ପବାଟ । ଏଇ ହାଟପଡ଼ା ମୁଣ୍ଡିଆ ଉପର ଦେଉଳ ଦିଶିଲାଣି । ଜଗୁ ନିଜର ଜିନିଷପତ୍ର ସବୁ ପାଖରେ ଆଣି ରଖିବାକୁ ବାହାରିଲା । ବେଞ୍ଚତଳୁ ଅଖାରେ ବନ୍ଧା ପୁଟୁଳାଟି ଆଣି ବେଞ୍ଚ ଉପରେ ଥୋଇଲା । ସୁଟକେସ୍‌ଟା ମୁଣ୍ଡ ଉପରକୁ ଥିବା ପଟା ଉପରେ, ଥୋଇଥିଲା–ହାତ ବଢ଼ାଇଲା । ନା, ଏଇଟା ତା’ର ନୁହଁ । ବେଞ୍ଚତଳେ କ’ଣ ଆଉ ରଖିଛି । ଦେଖିଲା–ସେଠେଇ ଖାଲି କେତେଟା ପୁଟୁଳା କାହାର ଅଛି–ସୁଟକେଶ୍‌ ନାହିଁ । ଏଇଟା ସେଇଟା ଯେତେଟା ସେଠେଇ ଥୁଆ ହୋଇଥିଲା ସବୁ ସେ ନିରିଖି ନିରିଖି ଦେଖିଲା । ତଳ ଉପର ସବୁ ଦେଖିଗଲା । ହତାଶ ହେଲା ।

 

ମାଧବ ପଚାରିଲା–ଜଗୁଭାଇ, କ’ଣ କିଛି ହଜିଗଲା କି ?

 

ବୋଷ୍‍ବାବୁ ବସି ବସି ଲକ୍ଷ୍ୟ କରୁଥିଲେ, ପଚାରିଲେ କ’ଣ ଜଗୁ ? କିଛି ହଜିଲା କି ? ଜଗୁ କିଛି ଉତ୍ତର ଦେଲା ନାହିଁ । କିନ୍ତୁ ତା ମୁହଁ ଉପରେ ଉତ୍ତରଟି ଲେଖି ହୋଇ ସାରିଥିଲା । ସେ ଧୀରେ ଧୀରେ କ୍ଳାନ୍ତ ହୋଇ ପଡ଼ିଲା । ଲାଗିଲା ଯେମିତି ସେ ବହୁଦିନ ଧରି ଗାଡ଼ିରେ ଯାତ୍ରା କରି କରି ଶୁଖି ଯାଇଚି । ବୋଷ୍‍ବାବୁ ଜଗୁର ଶୁଖିଲା ମୁହଁରୁ ଉତ୍ତରଟା ପଢ଼ିସାରି ପ୍ରଶ୍ନକଲେ–କ’ଣ ଥିଲା ସେଥିରେ ?

 

ଜଗୁ ଚୁପ୍‌ ରହିଲା । ମନେ ମନେ ଉତ୍ତର ଦେଲା–କ’ଣ ନ ଥିଲା ତହିଁରେ ? ତହିଁରେ ଥିଲା ପ୍ରେମର ଭଣ୍ଡାର, ତହିଁରେ ଥିଲା ପ୍ରେମର ଏକ ପ୍ରତୀକ ରୂପ । ସେଥିରେ ଥିଲା ସାରା ପରିଶ୍ରମରୁ ଲାଭ କରିଥିବା ଧନର ସାରାଂଶ । ସାରା ମନ୍ଥନରୁ ଉପଲବ୍‌ଧି ପାରିଜାତ ।

 

ଏଇ ହେଲା ବୋଷ୍‍ବାବୁଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର; କିନ୍ତୁ ଏସବୁ ଶୁଣିବାକୁ କ’ଣ ବୋଷ୍‍ବାବୁ ପ୍ରସ୍ତୁତ ହେବେ ? କାହିଁକି ବା ଏସବୁ ସେ ମିଛଟାରେ କହିବ ? ତାକୁ ସାରା ସଂସାର ନିରସ ଲାଗିଲା । ନିଜର ସ୍ଥିତି ତାକୁ ଅସହ୍ୟ ବୋଧ ହେଲା । ଗାଡ଼ିର ଗତି ଧୀର ହୋଇ ଆସିଲା । ଜଗୁକୁ ଲାଗିଲା ତା’ର ଶରୀରର ସମସ୍ତ ରକ୍ତ ପ୍ରବାହ ଯେମିତି ବନ୍ଦ ହୋଇ ହୋଇ ଆସୁଚି, ଗାଡ଼ି ରହିଗଲା । ଜଗୁ ବୋଷ୍‍ବାବୁଙ୍କଠାରୁ ବିଦାୟ ମାଗିଲା ।

 

ବୋଷ୍‍ବାବୁ ଜଗୁର ଖୁବ୍‌ ପ୍ରଶଂସା କରି କହିଲେ–ଜଗୁବାବୁ ତୁମ ସହିତ କଥାବାର୍ତ୍ତା ହୋଇ ଖୁବ୍ ଆନନ୍ଦ ପାଇଲି । କଲିକତା ଆସିଲେ ତୁମେ ନିଶ୍ଚୟ ମୋ ପାଖକୁ ଆସିବ । ମୁଁ ଗୋଟିଏ ଖବର କାଗଜରେ କାମ କରେ । ଏଇ ମୋର ଠିକଣା । ଏହା କହି ଗୋଟିଏ ହାତ ବ୍ୟାଗରୁ ଖଣ୍ଡିଏ କାର୍ଡ଼ କାଢ଼ି କରି ଦେଲେ । ଜଗୁ ସେ ଖଣ୍ଡିକ ପକେଟରେ ରଖୁ ରଖୁ କହିଲା, ମୁଁ ଆପଣଙ୍କ କଥାବାର୍ତ୍ତାରୁ ତାହା ଅନୁମାନ କରୁଥିଲି । ଭଲ ହେଲା ଆପଣଙ୍କ ସହିତ ଚିହ୍ନାପରିଚୟ ହୋଇଗଲା-। କଲିକତା ଗଲେ ନିଶ୍ଚୟ ଆପଣକୁ ସାକ୍ଷାତ କରିବି ।

 

ଜଗୁ ଗାଡ଼ିରୁ ଓହ୍ଲାଇଲା–ବୋଷ୍‍ବାବୁ ଦୁଆର ପାଖକୁ ଆସି କହିଲେ–ଭାଇ, ତୁମର ଏ ଯାତ୍ରାଟାର ମୁହୂର୍ତ୍ତଟା ଅଶୁଭ ଥିଲା ।

 

ଜଗୁ କହିଲା–ଖାଲି ଏଇ ଯାତ୍ରାଟା କହୁଛନ୍ତି ? ମୋର ଜୀବନ ଯାତ୍ରାର ମୁହୂର୍ତ୍ତଟା ହିଁ ଅଶୁଭ । ହଉ ନମସ୍କାର ।

 

ବୋଷ୍‍ବାବୁ କହିଲେ–ଆରେ ବାଃ, ଜଗୁବାବୁ, ଏମିତି କଥା ମୁଁ କାହାରି ଠାରୁ ଶୁଣି ନଥିଲି, ଆଚ୍ଛା, ନମସ୍କାର ।

 

ମାଧବର ଜଗୁର ଚାଲିଲେ । ପ୍ଲାଟ୍‍ଫର୍ମ ଉପରେ ପଏଣ୍ଟସ୍‌ମ୍ୟାନ ଟିକଟ ମାଗିଲା । ଜଗୁ ପକେଟରୁ ଟିକଟ କାଢ଼ୁ କାଢ଼ୁ ସେ ତାକୁ ଚିହ୍ନିପାରି କହିଲା, କିଏ ଜଗୁଭାଇ କି ? ହଉ ଯା ଯା, ସବୁ ଭଲ ?

 

ଜଗୁ ଟିକଟ ଖଣ୍ଡକ ବଢ଼ାଇ କହିଲା–ହଁ ସବୁ ଭଲ । ଆଉ ତମର ?

 

‘‘ଚଳି ଯାଉଚି ବାବୁ; ହଉ, ଦିନାକେତେ ରହିବ ?’’

 

‘‘ହଁ’’ ଏତିକି କହି ଜଗୁ ଆଗେଇଲା ।

 

ମାଧବ ନିତିଦିନିଆ ଲୋକ, ତାକୁ ଟିକଟ କେହି ମାଗିଲେ ନାହିଁ । ଦୁହେଁ ଚାଲିଲେ । ଜଗୁ ମନରୁ ଘରେ ପହଞ୍ଚିବାର ଆଗ୍ରହ ମରି ଯାଇଥିଲ । ସେ ଖାଲି ଟାଣି ହେଲା ପରି ଯାଉଥିଲା । ଆଉ ଭାବୁଥିଲା, ଏଇନା ଘରେ ପହଞ୍ଚିଯିବ । ଭାଇର ପିଲେ ଦଉଡ଼ି ଆସିବେ । ମନରେ ସେମାନଙ୍କର କେତେ ଆଶା ! ଦାଦା କିଛି ଆଣିଥିବ । ଆସି ଦୁଆର ମୁହଁରେ ଠିଆହୋଇ ଯିବେ । ସେ ଧାଇଁ ଆସିବ । ତା ମନରେ ଅପାର ଆନନ୍ଦ । ମୋତେ ଦେଖି ସେ ଭିତରେ ଭିତରେ ନାଚି ଉଠିବ । ଭାବୁଥିବ ତା ପାଇଁ ମୁଁ ନିଶ୍ଚେ ଅନେକ କିଛି ଆଣିଥିବି । ସେ କ’ଣ ବୁଝିବ କେତେ କ’ଣ ହୋଇଗଲା ବୋଲି । ଆଉ ଆଗକୁ ସେ ଭାବି ପାରିଲା ନାହିଁ, ପହଞ୍ଚିବା ମୁହୂର୍ତ୍ତଟା କିପରି ବିତିବ ସେ କଳ୍ପନା ମଧ୍ୟ କରିପାରିଲା ନାହିଁ । ହିଡ଼ ଉପରୁ ଗୋଡ଼ଟା ଖସିଗଲା, ପଡ଼ିଯାଇ ଥାଆନ୍ତା ।

 

ମାଧବ କହିଲା–ହଁ ସମ୍ଭାଳି । ହିଡ଼ରେ ଚାଲିବା ଅଭ୍ୟାସ ଛାଡ଼ି ଗଲାଣି କିନା । ହଉ ଜଗୁଭାଇ କ’ଣ ଭାବୁଚ ? କ’ଣ ହଜିଲା, କିଛି କହିଲ ନାହିଁ ।

 

ଜଗୁ କହିଲା–ନାଇଁରେ କିଛି ନାଇଁ । ଖଣ୍ଡେ ଛୋଟିଆ ସୁଟକେଶରେ ମୋର ଲୁଗାପଟା ଦିଖଣ୍ଡ, ପିଲାଙ୍କ ପାଇଁ ଦି ଚାରିଟା ଖେଳନା । ପଇସା କାଇଁ ଯେ କ’ଣ ଆଣିଥାଆନ୍ତି ?

 

ମାଧବ ପଚାରିଲା–ଆଉ ଛୁଟି କେତେଦିନ ଆଣିଚ ?

 

ଜଗୁ କହିଲା–ଦି’ମାସ । ଦେଖିବି, ଇଆଡ଼େ ଯଦି କିଛି ଯୋଗାଡ଼ ହୋଇଯିବ ଆଉ ଯିବି ନାହିଁ ।

 

ମାଧବ କହିଲା–ଜଗୁଭାଇ, ମୋତେ କୋଉଠି ଠାଏ ଲଗାଇ ଦିଅ । ଗାଁରେ ପଡ଼ି ପଡ଼ି ଭାରି କଷ୍ଟରେ ଦିନ କାଟୁଚି ।

 

କଥାରେ ଥିଲା ଏକ ମାଗୁଣି ।

 

ଜଗୁ କହିଲା–ଆରେ ଭାଇ, ତୁମେ ସବୁ ଗାଁ ଛାଡ଼ି ଚାଲିଯିବ ତ ଜମିବାଡ଼ି କଥା ବୁଝିବ କିଏ ?

 

ମାଧବ ଏକ ଅସହାୟପୂର୍ଣ୍ଣ ହସ ହସି କହିଲା–ଆରେ ଭାଇ, ବିଲ ବାଡ଼ି କଥା କହୁଚ ଯେ ସେ ତ ଖାଲି ଦିନ ଅସରକୁ କରିବା କଥା । ନ ହେଲେ ତହିଁରୁ ମିଳୁଚି କ’ଣ ? ଏତେ ଲାଗି ଲାଗି ତ ପେଟ ପୂରିଲା ନାହିଁ । ତା ଉପରେ ଭରସା କରି କେତେ କାଳ ଆଉ ରହିବ କହ ?

 

ଜଗୁ ଭାବିଲା–ସମସ୍ତଙ୍କ ଆଖି ଆଜି କଳକାରଖାନା ଉପରେ । ଚାଷକୁ ଆଜି କେହି ଦେଖୁ ନାହିଁ । ଅନ୍ନ ଉତ୍ପାଦନ ପାଇଁ ଆଜି କାହାରି ଚିନ୍ତା ନାହିଁ । ଅନ୍ନପୂର୍ଣ୍ଣା ଆଜି ଅପମାନିତା, ଲାଞ୍ଛିତା । ଏଥିରେ ଦେଶକୁ କଅଣ ସୁଖ ମିଳିବ ? କି ଶାନ୍ତି ମିଳିବ ? ଗାଁ ଆଜି ଜନଶୂନ୍ୟ ହୋଇ ଯାଉଚି, ଗାଁର ନବଯୁବକ ପେଟ ଜ୍ୱାଳାରେ ଇଆଡ଼େ ସିଆଡ଼େ ହାଇଁ ହାଇଁ ହୋଇ ଦଉଡ଼ି ବୁଲୁଚି । କାଲିର ଶସ୍ୟଶ୍ୟାମଳା ଭାରତମାତା ଅନ୍ନ ପାଇଁ ଅନ୍ୟ ନିକଟରେ ମସ୍ତକ ନୁଆଁଇଚି, ଝୁଲାମୁଣି ଧରି ପ୍ରାର୍ଥନା କରୁଚି ଅନ୍ନଂ ଦେହି ଅନ୍ନଂ ଦେହି ।

 

ମାଧବ–ଏ ମାଧବ । ପଛରୁ କିଏ ଡାକ ପକାଇଲା । ମାଧବ ଆଉ ଜଗୁ ଉଭୟ ଠିଆ ହୋଇ ପଛକୁ ଅନାଇଲେ । ସଦାନନ୍ଦ ଆସୁଚି । ସଦାନନ୍ଦ ଜଗୁର ପିଲା ଦିନର ସାଙ୍ଗ । ଦିହେଁ ଏକାଠି ପଢ଼ୁଥିଲେ, ଖେଳୁଥିଲେ । ଦିହିଁଙ୍କର ବାହାଘର ମଧ୍ୟ ଏକାଦିନକେ ହୋଇଥିଲା । ସଦାନନ୍ଦ ଭଲ ନ ପଢ଼ୁଥିଲେ ମଧ୍ୟ ତା ପଢ଼ାରେ ବାଧା କେଉଁଠି ଆସି ନ ଥିଲା । ବି.ଏ. ପାସ୍‍ କରି ସେ ଗୋଟିଏ ଗାଁରେ ସ୍କୁଲ ଶିକ୍ଷକ । ଆଉ ଜଗୁ ? ଜଗନ୍ନାଥରୁ ଜଗୁ ନାମ ଧରି ଗୋଟିଏ କାରଖାନାରେ କୁଲି, ଲିଟରେଟଲିକୁ ଏତିକି ଯାହା ରକ୍ଷା । ଏତକ ଭାବୁ ଭାବୁ ସଦାନନ୍ଦ ଆସି ପହଞ୍ଚିଗଲା । ଅନେକ ଦିନ ପରେ ସାକ୍ଷାତ । ଦୁଇବନ୍ଧୁ କୁଣ୍ଢାକୁଣ୍ଢି ହୋଇପଡ଼ିଲେ । ତା ପରେ କଥାବାର୍ତ୍ତା ହୋଇ ଗାଁ ଆଡ଼କୁ ଚାଲିଲେ । କଥାର ଫେର୍‍ କେଉଁଠି ଶେଷ ଅଛି ? ତୁ କ’ଣ କରୁଚୁ ତୁ କ’ଣ କରୁଚୁ–ଏଇ କଥାରୁ କେତେ ଶାଖା ପ୍ରଶାଖା ମେଲୁ ମେଲୁ ବାଟ କଟି ଚାଲିଲା । ଗାଁ ପୋଖରୀ–ମହାଦେବଙ୍କ ମନ୍ଦିର । ଜଗୁ ଚମକି ପଡ଼ିଲା । ଏତେ ବେଳ ଯାଏ ସଦାନନ୍ଦ ସଙ୍ଗରେ କଥାବାର୍ତ୍ତା ହୋଇ ତା ପ୍ରାଣ ଟିକିଏ ହାଲୁକା ହୋଇ ଯାଇଥିଲା । ଗାଁ ଭିତରେ ପଶୁ ପଶୁ ତା ଛାତି ଧଡ଼ ପଡ଼ ହେବାକୁ ଲାଗିଲା । ନିଜ ଜିନିଷ ନିଜେ ହଜାଇଚି–ଅନ୍ୟ କାହାରି ନୁହେଁ କି ଅନ୍ୟର ଅର୍ଜିତ ଧନ ନୁହେଁ ତଥାପି ସେ ନିଜକୁ ଦୋଷୀ ବୋଲି ଭାବୁଛି କାହିଁକି ? ମନକୁ ମନ ଶାନ୍ତ୍ୱନା ଦେଇ ଦେଇ ସେ ଚାଲିଲା । ଆଜି ଯଦି ଜିନିଷ ହଜାଇ ନଥାନ୍ତା ତେବେ ସଦାନନ୍ଦକୁ ଦେଖି ସେ ଆଉରି ଅନେକ ଖୁସି ହୋଇ ପାରି ଥାଆନ୍ତା । ମିଳନରେ ଶିଥିଳତା ସେ ପ୍ରକାଶ କରି ନ ଥିଲେ ମଧ୍ୟ ଯେମିତି ତା ମନ କଥାଟା, ତା ପ୍ରାଣର ବେଦନାଟା ଖୁବ୍‌ ପାଟି କରି କରି ବାହାରେ ସମସ୍ତଙ୍କୁ କହି ଦେଉଚି–ଜିନିଷ ହଜିଚି କ’ଣ ଖାଲି ? ତା ସହିତ ସୁଖର ଏକ ଭଣ୍ଡାର ନଷ୍ଟ ହୋଇ ଯାଇଚି ।

 

ସଦାନନ୍ଦ ନିଜର କେତୋଟି ସୁଖର କଥା କହି କହି ବାଟ ଚାଲୁଥିଲା । ଜଗୁ ସେ ସବୁ କାନକୁ ନେଉଥିଲା ସତ କିନ୍ତୁ ମନରେ ସେ ସବୁର ଥାନ ନ ଥିଲା । ଏତିକିବେଳେ ଗାଁ ଦାଣ୍ଡରେ ସଦାନନ୍ଦ ନିଜ କଥାର ପ୍ରବାହରେ ବାଧା ପକାଇ କହିଲା, ହଁ ଭାଇ, ଭୁଲି ଯାଇଥିଲି–ତୋର ଗୋଟିଏ ଚିଠି ଆସିଚି ।

 

କୋଉଠୁ ? ଅତି ଉତ୍କଣ୍ଠା ପ୍ରକାଶ କରି ଜଗୁ ପଚାରିଲା ।

 

ସଦାନନ୍ଦ କହିଲା–ଜାଣି ନାହିଁ । ମୁଁ ମଧ୍ୟ ଏଇ ଗାଡ଼ିରୁ ଓହ୍ଲାଇଲି । ଚୌକିଦାର, ନଟ ମଳିକ ଦେଖାହେଲା । ସେଇ ମୋତେ ଚିଠିଖଣ୍ଡ ଦେଲା । ଆଉ କହିଲା–ଭାରୀ ଜରୁରୀ ଚିଠି । ଆପଣ ତାଙ୍କ ଘରେ ଦେଇ ଦେବେ । ମୁଁ କାଲି ଦେଇ ଥାଆନ୍ତି । ଭଲ ହେଲା । ତୋ ସଙ୍ଗରେ ଦେଖା ହୋଇଗଲା ।

 

ଜଗୁ ପଚାରିଲା–ତୁ କ’ଣ ଏଇ ଗାଡ଼ିରୁ ଓହ୍ଲାଇଲୁ ?

 

‘ଆଉ କଅଣ’ ? କାଇଁ ମୁଁ ତ ତୋତେ ଦେଖିଲି ନାହିଁ ?

 

ସଦାନନ୍ଦ କହିଲା–ମୋର ଟିକିଏ ଗୋଦାମ ପାଖରେ କାମ ଥିଲା । ମୁଁ ଅଟକି ଗଲି । ହଉ ମୁଁ ଯାଉଚି କାଲି ଦେଖାହେବ । ଯାଉଚି, ହେଁ ?

 

ଜଗୁ ହାତରେ ଚିଠି ଧରି ଭାବିଲା–ଏ ଚିଠି ନିଶ୍ଚେ ଭାଇର । ଚୌଧୁରୀ କହୁଥିଲେ, ଯେଉଁ ଲୋକଟି ଆତ୍ମହତ୍ୟା କରିଚି ତାଠୁ ଚିଠି ଖଣ୍ଡେ ମିଳିଚି । ତାକୁ ତା ଘରକୁ ପକାଇ ଦିଆଯିବ । ସେଇ ଚିଠି ହୋଇଥିବ । ଭାଇ ମରିଗଲା ! ଫେର୍‍ ଆତ୍ମହତ୍ୟା କରି ମଲା !

 

ଏତିକି ଭାବି ଦେଇ ତାକୁ ସବୁ ଅନ୍ଧାର ଦିଶିଲା । ଦେଖୁ ଦେଖୁ ନିଜ ଦୁଆର ମୁହଁ ହେଲା-। ସେ ଘର ଭିତରକୁ ପଶିଯାଇ ପହଞ୍ଚିଲା ଅଗଣାରେ । ପିଣ୍ଡାରେ ବସିପଡ଼ି ଚିଠି ଖୋଲିବ ବୋଲି ସେ ବଳ ସଂଗ୍ରହ କଲା । ଖୋଲୁ ଖୋଲୁ ଭାବିଲା, କ’ଣ ସେ ଲେଖିଥିବ ? ତୁଚ୍ଛାଟାରେ ମରିଗଲା-। ଏତେ ସାହସୀ, ଏଡ଼େ ସ୍ପଷ୍ଟବାଦୀ, କେଡ଼େ କଷ୍ଟସହିଷ୍ଣୁ । ସେ ଫେର୍‍ ଜୀବନକୁ ଡରି ଆତ୍ମହତ୍ୟା କଲା ! ଆତ୍ମହତ୍ୟା କରି ମରିବାକୁ ତା’ର ମନ ହେଲା କେମିତି ? ତା’ର ପିଲା ଦୁଇଟି କ’ଣ ତା ମନରେ ପଡ଼ି ତାକୁ ବାଧା ଦେଲେ ନାହିଁ ? ଥରଟେ ଆସି ଥାଆନ୍ତା ! ଦୁଃଖ ଯଦି ପଡ଼ିଲା ମନ ଖୋଲି କହି ଥାଆନ୍ତା । ଆସିଥିଲେ ତା ପିଲା ଦୁଇଟି ତାକୁ ବାନ୍ଧି ନେଇ ଥାଆନ୍ତେ । ଛାଡ଼ ।

 

ସବୁ ଚିନ୍ତା ପରେ ଏକ ହତାଶା ।

 

ଶେଷକୁ ଚିଠି ଖୋଲିଲା । କିନ୍ତୁ ପଢ଼ି ପାରିଲା ନାହିଁ । ଭାଇର ପିଲାଏ ଆସିଗଲେ । ଦାଦା ଦାଦା କହି ଜଣେ କୋଳରେ ବସି ପଡ଼ିଲା । ଜଣେ ପିଠିରେ ନଦି ହୋଇଗଲା । ଚମ୍ପା ଆସି ଆଗରେ ଠିଆ ହୋଇଗଲା । ମୁହଁରେ ତା’ର ସଜଫୁଟା ଫୁଲ ପରି ପ୍ରସନ୍ନତା । ଜଗୁ କିଛି କହିଲା ନାହିଁ । ପିଲାକୁ ଟିକିଏ ଗେଲ କରି ଦେଇ ଚିଠି ପଢ଼ିବାକୁ ଚେଷ୍ଟାକଲା । ବେଶ୍‌ ଦୁଇଟି ଧାଡ଼ିର ଚିଠି-। ମରିବା ଆଗରୁ ଲେଖି ଯାଇଚି । ଯେ ସଂସାରର ସବୁ ମାୟା କାଟି ଦେଇଚି ତାକୁ ଆଉ ଅଧିକା କ’ଣ ଲେଖିବାର ଥିବ ?

 

ପଢ଼ିଲା–ଲେଖିଥିଲା–ତୁ ମୋତେ ଗୋଟିଏ ସାଧୁ ବେଶରେ ଦେଖିଲୁ । ଚିହ୍ନି ପାରିଲୁ ନାହିଁ । ମୁଁ ସେଇଆ ଚାହୁଁଥିଲି । ମୁଁ କିନ୍ତୁ ତୋତେ ଦେଖିଦେଲି । ତୁ ମୋତେ ଚିହ୍ନିଦେବୁ ବୋଲି ମୁଁ ସେ ଡବାରୁ ଅନ୍ୟ ଡବାକୁ ଚାଲି ଆସିଲି । ମୁଁ ବର୍ତ୍ତମାନ ଫେରାର । ଗୋଟିଏ ସ୍ୱାର୍ଥାନ୍ଧ ରାକ୍ଷସକୁ ମାରି ଦେଇଚି । ଆଗେ ଏମିତି ରାକ୍ଷସକୁ ମାରୁଥିଲେ ମାରିବା ଲୋକର ଯଶ ହେଉଥିଲା । ଆଜି କିନ୍ତୁ ସଂବିଧାନରେ ତା ପାଇଁ ଫାସୀର ବ୍ୟବସ୍ଥା ଲେଖା ହୋଇଛି ନହେଲେ ଆଜୀବନ କାରାବାସ-। ମୁଁ ଏ ଦୁଇଟାରୁ କୌଣସିଟା ଚାହେ ନାହିଁ । ତେତେ ସବୁ ଲାଗିଲା । ଏମିତି କେବେକେବେ ଦେଖା ହୋଇ ଯାଉଥିବ । ତୋର ଭାଇ....

 

ଜଗୁର ଆଖି ଲୁହରେ ଭରିଗଲା ।

 

ମାଧବ ପଚାରିଲା–ଜଗୁଭାଇ କାନ୍ଦୁଚ ? କ’ଣ କଥା ? କହ । ଚିଠି କିଏ ଦେଇଚି ?

 

ଜଗୁ କାଠଟି ପରି ବସିଚି ।

 

ମାଧବ କହୁଚି । ଦେଖୁଚଟି ? ନୂଆବୋଉ ଠିଆ ହୋଇଛନ୍ତି । ପଲାଏ ଠିଆ ହୋଇଛନ୍ତି । ଅନା–

 

ଜଗୁ ଆଖିରୁ ଲୁହ ଝରି ଚାଲିଚି । ଧୀରେ ଧୀରେ ସେ ମୁହଁ ଉଠାଇଲା । ଦେଖିଲା ସାମ୍ନାରେ ଚମ୍ପା ଏକ ପଥର ମୂର୍ତ୍ତିପରି ଠିଆ ହୋଇ ରହିଚି, ଖୁଣ୍ଟକୁ ଆଉଜି କରି । କିଛି ନ ବୁଝି ତା ଆଖିରୁ ଲୁହ ଝରୁଚି । ଜଗୁ ଭାବିଲା, ଲାଗୁଚି ଏପରି ଏକ ଅସ୍ୱାଭାବିକ ଘଟଣା ତାକୁ ଆଘାତ ଦେଇଚି । ସେ ଭାବୁଚି ବୋଧହୁଏ ବର୍ତ୍ତମାନ ମୁଁ ତାକୁ କୌଣସି କାରଣରୁ ଅପମାନ ଦେଉଚି । ନ ହେଲେ ଏତେ ଦିନ ପରେ ଆସି ମୁଁ ଏପରି ବସିଚି ତାକୁ ପଚାରି ନାହିଁ । ଚିଠି,–କି ଚିଠି ଏମିତି ଯେ ଆଗ ପଛର ବିଚାର ଭୁଲାଇ ନେଲା । ସେ ନିଜର ଆଖିରୁ ଲୁହ ପୋଛି ପକାଇ ପିଲାଙ୍କୁ ଟିକିଏ ଗେଲ କରିଦେଲା ।

 

କ’ଣ ହେଲା କ’ଣ ? ମାଧବ ପଚାରି ଚାଲିଚି ।

 

ଜଗୁ ମୁହଁରେ ଟିକିଏ ହସ ଉକୁଟାଇବାର ଚେଷ୍ଟା କଲା । ତା ପରେ କହିଲା–କିଛି ନାଇଁ-। ଡେରି ହେଲାଣି, ତୁ ଯା ।

Image